ଝାରସୁଗୁଡ଼ା ଜିଲ୍ଲା ବ୍ରଜାରାଜନଗର ନିର୍ବାଚନ ମଣ୍ଡଳୀ ୨୦୨୨ ମସିହାରେ ଅନୁଷ୍ଠିତ ଉପନିର୍ବାଚନରେ ରେକର୍ଡ ଭୋଟ୍ରେ ବିଜୟୀ ହୋଇଥିଲେ ଅଳକା ମହାନ୍ତି। ସେତେବେଳେ ସେ ରାଜନୀତିରେ ସଂପୂର୍ଣ୍ଣ ନୂଆ ଥିଲେ। ମାତ୍ର ବିଗତ ଅଢ଼େଇ ବର୍ଷର କାର୍ଯ୍ୟଶୈଳୀକୁ ଆଖି ଆଗରେ ରଖି ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଅଳକାଙ୍କୁ ପୁଣି ଟିକେଟ୍ ଦେଇଛି। ଏହି ଅବସରରେ ଅଳକା ମହାନ୍ତିଙ୍କ ସହିତ ‘ସମ୍ବାଦ’ର ଝାରସୁଗୁଡ଼ା ଜିଲ୍ଲା ପ୍ରତିନିଧି ତେଜସ୍କର ମହାପାତ୍ରଙ୍କ ସ୍ବତନ୍ତ୍ର ସାକ୍ଷାତକାର।
୧. ଉପ ନିର୍ବାଚନରେ ବିପୁଳ ବିଜୟ ପରେ ସାଧାରଣ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦିତା କେତେ ସହଜ ହେଲାଣି?
- ଗତ ଉପନିର୍ବାଚନରେ ବିଜୟ ନିଶ୍ଚିତ ଭାବେ ମୋ ପାଇଁ ଏକ ବଡ଼ ବିଜୟ ରହିଥିଲା। ସେହି ବିଜୟ ହାରକୁ ଆଖିରେ ରଖି ଦଳ ସାଧାରଣ ନିର୍ବାଚନରେ ବି ମୋ ଉପରେ ଭରସା କରିଛି। କଥା ରହିଲା, ପ୍ରତିଦ୍ବନ୍ଦିତାରେ ତେବେ ବିନା ପ୍ରତିଦ୍ବନ୍ଦୀରେ ରାଜନୀତି ସମ୍ଭବ ହିଁ ନୁହେଁ। ତେଣୁ ମୁଁ ନିର୍ବାଚନକୁ ବେଶ୍ ଦୃଢତାର ସହ ଲଢେଇ କରି ଉପ ନିର୍ବାଚନ ଭଳି ଜିତିବି। ତାହା ମୋର ଦୃଢ ବିଶ୍ବାସ।
୨. ହାଣ୍ଡିଶାଳରୁ ରାଜନୈତିକ ମଇଦାନ କେମିତି ରହିଛି ଯାତ୍ରା?
- ଅପ୍ରତ୍ୟାଶିତ ଭାବେ ରାଜନୀତିରେ ପାଦ ଥାପିଥିଲି। ମୋର ସ୍ବାମୀ ତଥା ଏହି ଅଞ୍ଚଳର ଲଢୁଆ ନେତା ସ୍ବର୍ଗତ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ମୋତେ ରାଜନୀତିକୁ ଆସିବା ପାଇଁ ବାଧ୍ୟ କରିଥିଲା। ତେବେ ରାଜନୀତିକୁ ଆସିବା ପରେ ମୋର ସ୍ବାମୀଙ୍କ ନୀତି, ଆଦର୍ଶକୁ ନେଇ ବଞ୍ଚୁଥିବା ଲୋକଙ୍କ ଭଲପାଇବା, ସମର୍ଥକଙ୍କ ବିପୁଳ ଆଗ୍ରହ ହିଁ ମୋତେ ଏତେ ଦୂର ଟାଣିପାରିଛି। ଆଗକୁ ବି ମୋତେ ଏହି ସମର୍ଥନ, ଭଲପାଇବା ଏମିତି ମିଳୁଥିବ ବୋଲି ମୋର ଭରସା ରହିଛି।
୩. ଉପ ନିର୍ବାଚନରେ କଳ ବଳ କୌଶଳ କ୍ରମେ ଆପଣ ବଡ଼ ମାରିଜିନରେ ବିଜୟୀ ହୋଇଥିଲେ। ଏଥର ଫଳାଫଳ କ’ଣ ହେବ ବୋଲି ଆପଣ ଭାବୁଛନ୍ତି?
- କଳ, ବଳ, କୌଶଳର କୌଣସି ପ୍ରୟୋଗ ହୋଇନି। ଲୋକେ ମୋ ଦିବଙ୍ଗତ ସ୍ବାମୀ କିଶୋର ମହାନ୍ତିଙ୍କ କାର୍ଯ୍ୟଶୈଳୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଦେଖି ମୋ ଉପରେ ଭରସା କରିଛନ୍ତି। ଲୋକଙ୍କର ସେହି ଭରସାକୁ ମୁଁ ଯଥା ସମ୍ଭବ କାଏମ୍ ରଖିବାକୁ ଚେଷ୍ଟା କରିଛି। ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇଛି। ତେଣୁ ଲୋକେ ଏଥର ବି ମୋ ଉପରେ ବିଶ୍ବାସ କରି ବିପୁଳ ଜନମତରେ ବିଜୟୀ କରିବେ ବୋଲି ଆଶା।
୪.ଏଥର ଆପଣଙ୍କ ସାମ୍ନାରେ ୨ ଅଭିଜ୍ଞ କିଶୋର ଓ ସୁରେଶ ରହିଛନ୍ତି। ଆପଣଙ୍କ ରଣନୀତି କ’ଣ ରହିଛି ?
- ଅନ୍ୟ ଦଳ ସେମାନଙ୍କର ପ୍ରାର୍ଥୀ ଦେଇଛନ୍ତି। କିନ୍ତୁ କେନ୍ଦ୍ରରେ ସେତେବେଳ କଂଗ୍ରେସ ଓ ଏବେ ବିଜେପି ସରକାର ଲୋକଙ୍କୁ କିଭଳି ଭୁଆଁ ବୁଲାଇଛନ୍ତି ତାହା ଲୋକେ ଅଙ୍ଗେ ନିଭେଇସାରିଛନ୍ତି। କେବଳ ଭାଷଣ ବାଜିରେ ଲୋକଙ୍କ ପେଟ ପୂରେନି କି ସମସ୍ୟାର ସମାଧାନ ହୁଏନି। ବିଗତ ଅଢ଼େଇ ବର୍ଷରେ ଲୋକଙ୍କ ଯେଉଁସବୁ ସମସ୍ୟାର ସମାଧାନ କରିଛି ଓ ଯେଉଁଥିପାଇଁ ଏବେ ବି ପ୍ରଚେଷ୍ଟା ଜାରି ରଖିଛି, ତାକୁ ନେଇ ଲୋକଙ୍କ ପାଖକୁ ଯାଉଛି। ଏହାଛଡ଼ା ଅନ୍ୟ କୌଣସି ରଣନୀତିର ଆବଶ୍ୟକତା ଥିବା ଭଳି ମୋର ମନେ ହୁଏନି।
୫. କୁହାଯାଉଛି ସୁପ୍ରିମୋ ନବୀନ ପଟ୍ଟନାୟକ ଆପଣଙ୍କ ଉପରେ ବେଶ୍ ଖୁସ। ଏହାର କାରଣ କଣ ?
- ତାହା ତ ଆପଣମାନେ କହିପାରିବେ। ତେବେ ଦଳ ବିଗତ ଅଢ଼େଇ ବର୍ଷରେ ମୋତେ ଯେଉଁ ଦାୟିତ୍ବ ଦେଇଛି, ତାକୁ ଶତ ପ୍ରତିଶତ ପୂରଣ କରିବାକୁ ଚେଷ୍ଟା କରିଛି। ଲୋକଙ୍କ ପାଖରେ ପହଞ୍ଚିଛି, ଲୋକଙ୍କ ସମସ୍ୟା ବୁଝିଛି, ତାହାର ସମାଧାନ କରିଛି। ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇଛି। ବୋଧହୁଏ ଦଳ ମୋ ଉପରେ ଖୁସି ହେବାର ଏହା ହିଁ କାରଣ।
୬. ଦଳ ଛାଡିଥିବା ବିଶ୍ଵନାଥ ନାୟକଙ୍କୁ ଆପଣ ବୁଝାଇ ଦଳକୁ ଫେରାଇ ଆଣିବାରେ ସଫଳ ହେଲେ। ଏହା ସଂଗଠନରେ କଣ ପ୍ରଭାବ ପକାଇବ?
- ଶ୍ରୀ ନାୟକ ଦଳର ଜଣେ ପୁରୁଣା ସଦସ୍ୟ ଓ ମୋ ସ୍ବାମୀ ଦିବଙ୍ଗତ କିଶୋର ମହାନ୍ତିଙ୍କ ପାଖ ଲୋକ ଥିଲେ। ତେବେ କାହା ପ୍ରରୋଚନାରେ ହେଉ ବା ଅନ୍ୟ କୌଣସି କାରଣ ପାଇଁ ସେ ଦଳ ଛାଡ଼ିବାକୁ ବାହାରିଥିଲେ। ମାତ୍ର ତାଙ୍କ ସହିତ କଥାବାର୍ତ୍ତା କରି ବୁଝାଇଥିଲି ଓ ତାଙ୍କ ଭଳି କର୍ମୀଙ୍କର ଦଳରେ ଆବଶ୍ୟକତା ଥିବା କହିଥିଲି। ସେ ବି ବୁଝିଥିଲେ। ଦଳର ଶୀର୍ଷ ନେତୃତ୍ବ ବି ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଏହା ବ୍ରଜରାଜନଗର ବିଜେଡ଼ିକୁ ପୁଣିଥରେ ପରିପୂର୍ଣ୍ଣ କରିପାରିଛି।
୭.ବ୍ରଜରାଜନଗରବାସୀଙ୍କ ମନ ଜିଣିବା ପାଇଁ ନୂଆ ପ୍ରୟାସ କ’ଣ ରହିଛି ?
- ନୂଆ କ’ଣ। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଜାରି ରହିଛି। ଜିଲ୍ଲାର ପ୍ରଥମ ସରକାରୀ ଯୁକ୍ତ ୨ ବିଦ୍ୟାଳୟ ଏହି ନିର୍ବାଚନମଣ୍ଡଳୀରେ ହେଲା। ୧୯ ଖଣ୍ଡ ମୌଜାବାସୀଙ୍କ ଦୀଘଁଦିନର ଦାବି ପୂରଣ ହେଲା। ହୀରାକୁଦ ବିସ୍ଥାପିତ ଜମି ପଟ୍ଟା ପାଇଲେ। ପାନୀୟ ଜଳ ପ୍ରକଳ୍ପ କିଛି କାର୍ଯ୍ୟକ୍ଷମ ହୋଇଛି ଓ ଆଉ କିଛି ହେବା ଉପରେ। ଆଗକୁ କିଭଳି ସରକାରୀ କଲେଜ ସଂଖ୍ୟା ବୃଦ୍ଧି ହେବ, ସ୍ଥାନୀୟ ନିଯୁକ୍ତି ଆହୁରି ବଢ଼ିବ, ଲଖନପୁର ବ୍ଲକ ବିଭାଜନ ହୋଇ ସବ୍ ଡିଭିଜନ ମାନ୍ୟତା ଯେଭଳି ପାଇବ ତାହା ଉପରେ ଗୁରୁତ୍ବ ଦେବି।
୮. ଅଢେଇ ବର୍ଷର ଉପଲବ୍ଧି କ’ଣ ?
- ବିକାଶର ପ୍ରତିଫଳନ ହିଁ ହେଉଛି ମୋର ରିପୋର୍ଟ କାର୍ଡ। ପୂର୍ବରୁ ଯେମିତି କହିଲି ସରକାରୀ କଲେଜ, ହୀରାକୁଦ ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ ଭଳି ଦଶନ୍ଧୀ ପୁରୁଣା ସମସ୍ୟାର ସମାଧାନ ହେଲା। କୋଲ୍ କରିଡର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏନ୍ଏଚ୍ ୪୯ର ଡିପିଆର୍ ପ୍ରସ୍ତୁତ ହୋଇସାରିଛି। ପୂର୍ବବର୍ଷ ଅପେକ୍ଷା ଚାଷୀମାନେ ଭଲରେ ଧାନ ବିକି ପାରୁଛନ୍ତି, ହସ୍ପିଟାଲ ସମସ୍ୟାର ସମାଧାନ ହୋଇଛି।
୯. ଅଳକା ମହାନ୍ତି ରାଜନୀତିକୁ କିପରି ଦେଖନ୍ତି ନୀତି,ଆଦର୍ଶ ନା କୂଟନୀତି?
- ମୋତେ କୂଟନୀତି ଆସେନି। ମୁଁ ସିଧାସାଧା ମଣିଷଟିଏ। ବିଜୁ ବାବୁ, ନବୀନ ବାବୁ ଓ ମୋ ସ୍ବାମୀଙ୍କ ନୀତି ଆଦର୍ଶରୁ ଯାହା ଶିଖିଛି, ତାହା ହିଁ ମୋ ପାଇଁ ରାଜନୀତି। ସବୁଠୁ ବଡ଼ କଥା ହେଲା ରାଜନୀତିକୁ ମୁଁ କେବଳ ସେବା ଭାବେ ହିଁ ଦେଖେ।
୧୦. ପୁଅ ପୁରୁଷୋତ୍ତମକୁ ରାଜନୈତିକ ଉତ୍ତରାଧିକାରୀ କରିବାକୁ ଆପଣ ଇଚ୍ଛୁକ ବୋଲି ଚର୍ଚ୍ଚା। କ’ଣ ଲକ୍ଷ୍ୟ ରହିଛି ?
- ସେ ଜଣେ ପ୍ରାପ୍ତ ବୟସ୍କ ଶିକ୍ଷିତ ଯୁବକ। କିଶୋର ମହାନ୍ତିଙ୍କ ଭଳି ଜଣେ ଭେଟେରାନ୍ ରାଜନେତାଙ୍କ ରକ୍ତ ତା’ ଦେହରେ ବୋହୁଛି। ସେ ଚାହିଁଲେ ପ୍ରତ୍ୟେକ୍ଷ ରାଜନୀତିକୁ ଆସିପାରିବ। ତେବେ ମୋ ପରେ ମୋ ପୁଅ ବି କିଶୋର ମହାନ୍ତିଙ୍କ ଲୋକସେବା ଲିଗାସିରେ ସାମିଲ୍ ହେଉ, ତାହା ତ ନିଶ୍ଚୟ ଚାହିଁବି।
୧୧. ଏଇ ନିର୍ବାଚନରେ ସ୍ବର୍ଗତ କିଶୋର ମହାନ୍ତିଙ୍କ ନେମ୍ ଆଣ୍ଡ ଫେମ୍ ଆପଣଙ୍କୁ କେତେ ସହାୟକ ହେବ?
- କିଶୋର ମହାନ୍ତି ଲୋକଙ୍କ ଭିତରେ ଯେଉଁ ଭଲପାଇବା ଛାଡ଼ି ଯାଇଛନ୍ତି, ତାହା ଶତାବ୍ଦୀ ଯାଏ ଲୋକଙ୍କ ମନରେ ରହିବ। ଉପ ନିର୍ବାଚନରେ ତାଙ୍କରି ଆଶୀର୍ବାଦ ହିଁ ମୋତେ ବିଜୟୀ କରିଥିଲା। ଉପରେ ଥାଇ ଏଥର ବି ସେ ମୋ ଉପରେ ଆଶୀର୍ବାଦ କରିବେ।
୧୨. ଅନ୍ୟ ପ୍ରାର୍ଥୀଙ୍କ ଭଳି ଆପଣଙ୍କ ସ୍ବାମୀଙ୍କ କିଛି ଅଧୁରା ସ୍ବପ୍ନ ରହିଯାଇଛି କି?
– ଯେପର୍ଯ୍ୟନ୍ତ ଲୋକେ ଭଲ ପାଉଥିବେ, ସେମାନେ ଆପଣଙ୍କୁ ବାଛିବେ। ମୋ ସ୍ବାମୀ କିଶୋର ମହାନ୍ତିଙ୍କୁ ଯେଉଁ ଲକ୍ଷ୍ୟରେ ୨୦୧୯ ନିର୍ବାଚନରେ ଲୋକେ ଜିତାଇଥିଲେ, ତାହା ଅଧାରେ ରହିଯାଇଥିଲା। ମୁଁ ମୋ ସାଧ୍ୟମତେ ତାହା ପୂରଣ କରିବାକୁ ଚେଷ୍ଟା କରିଛି। ଏଥର ବିଜୟୀ ହେବା ପରେ ବି ସେହି କାର୍ଯ୍ୟ ଜାରି ରହିବ। କିନ୍ତୁ କିଶୋର ମହାନ୍ତି କେବେ ନିଜ ପାଇଁ ସ୍ବପ୍ନ ଦେଖିନଥିଲେ। ସ୍ବପ୍ନ ଦେଖିଥିଲେ ତ କେବଳ ବ୍ରଜରାଜନଗରବାସୀଙ୍କ ପାଇଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/4fb137e2-1448-47c2-9b3c-1e6010952dd4.jpeg)