‘ଆଇ ଲଭ୍‌ ୟୁ ମଂଜୁ’! ଜେଲ୍‌ ହାଜତରେ କଏଦୀର ଆତ୍ମହତ୍ୟା!

ସୋହେଲା: ଗତ ୭ ତାରିଖ ଯୌତୁକଜନିତ ବଧୂହତ୍ୟା ମାମଲାରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ପେଟୁପାଲି ଗ୍ରାମର ମନମୋହନ ରାଉତିଆ (ମୋହିତ)ଙ୍କ ମଂଗଳବାର ସକାଳେ ସୋହେଲା ଉପକାରାଗାରରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ମୋହିତ ପାଇଖାନା ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜେଲ୍‌ କର୍ତୃପକ୍ଷ କହୁଥିବା ବେଳେ ପରିବାରଲୋକେ ତାଙ୍କ ମୃତ୍ୟୁ ଘଟଣାଟି ସନ୍ଦେହଜନକ ବୋଲି ଅଭିଯୋଗ କରିଛନ୍ତି।

ତେବେ ମୋହିତଙ୍କ ହାତରେ ପେନ୍‌ରେ ଲେଖାଥିବା ‘ଆଇ ଲଭ୍‌ ୟୁ ମଂଜୁ’ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛି। ପେଟୁପାଲି ଗ୍ରାମର ଅଶୋକ ରାଉତିଆଙ୍କ ପୁଅ ମୋହିତଙ୍କ ବିବାହ ସୋହେଲା ଥାନା ଅନ୍ତର୍ଗତ ଲୁହୁରାଚଟି ଗ୍ରାମର ଜୟଦେବ ମେହେରଙ୍କ ଝିଅ ମଂଜୁଙ୍କ ସହିତ ଗତବର୍ଷ ଫେବ୍ରୁଆରି ମାସ ୨୦ ତାରିଖରେ ହୋଇଥିଲା। ଗତ ୫ ତାରିଖ ଗୁରୁବାର ରାତିରେ ମଂଜୁଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ମଂଜୁଙ୍କ ପରିବାରଲୋକେ ଯୌତୁକ ଦାବିରେ ଶାଶୂଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

ମେଲଛାମୁଣ୍ଡା ପୁଲିସ ଗତ ୭ ତାରିଖ ମଂଜୁଙ୍କ ସ୍ୱାମୀ ମୋହିତଙ୍କୁ ଗିରଫ କରି ସୋହେଲା କୋର୍ଟ ଚାଲାଣ କରିଥିଲେ। ଜାମିନ ନ ମିଳିବାରୁ ତାଙ୍କୁ ସୋହେଲା ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ସୋହେଲା ଜେଲ୍‌ ସୁପରିଟେଣ୍ଡେଣ୍ଟ ସସ୍ମିତା ଅଂଜନା ଲାକ୍ରାଙ୍କ କହିବା ହେଲା, ମୋହିତଙ୍କୁ  ୨ ନମ୍ବର ୱାର୍ଡରେ ଅନ୍ୟ ୧୨ ଜଣ ବିଚାରାଧୀନ କଏଦୀଙ୍କ ସହିତ ରଖାଯାଇଥିଲା। ଆଜି ଭୋର ସାଢ଼େ ୪ଟାରେ ଜେଲ୍‌ କର୍ମଚାରୀ ତାଙ୍କୁ ଫୋନ୍‌ କରି ମୋହିତ ପାଇଖାନା ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ଦେଇଥିଲେ।

ଅନ୍ୟପକ୍ଷରେ ମୋହିତଙ୍କ ମୃତ ପତ୍ନୀ ମଂଜୁଙ୍କ ଆଜି ତିନିଦିନିଆ କର୍ମ ଚାଲିଥିବାବେଳେ ଏହି ଅଘଟଣ ଘଟିଛି। ଖବର ପାଇ ମୋହିତଙ୍କ ବନ୍ଧୁ, ପରିବାରବର୍ଗ ଓ କିଛି ଗ୍ରାମବାସୀ ସୋହେଲା ଡାକ୍ତରଖାନାକୁ ଆସିଥିଲେ। କିନ୍ତୁ ସେଠାରେ ତାଙ୍କୁ ଶବ ଦେଖିବାକୁ ଦିଆଯାଇ ନଥିଲା। ଏଥିରେ ସେମାନେ ଅସନ୍ତୋଷ ପ୍ରକାଶ କରି ସୋହେଲା ଥାନାକୁ ଆସିଥିଲେ। ଥାନାରେ ଜେଲ୍‌ ସୁପରିଟେଣ୍ଡେଣ୍ଟ  ପହଂଚି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବିଡିଓ ଏବଂ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଘଟଣାର ତଥ୍ୟ ପ୍ରଦାନ କରିଥିଲେ। କିନ୍ତୁ ମୃତକଙ୍କ ପରିବାରବର୍ଗ ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିବା ପରେ ସେମାନଙ୍କୁ ଘଟଣାସ୍ଥଳ ଦେଖାଇବା ପାଇଁ ସୋହେଲା ଉପକାରାଗାରକୁ ନିଆଯାଇଥିଲା। କିନ୍ତୁ ଜେଲ ଭିତରକୁ ପରିବାରର ୩ ଜଣଙ୍କୁ ଯିବା ପାଇଁ ଅନୁମତି ଥିଲା। ମୃତଦେହ ଉଦ୍ଧାର ହୋଇଥିବା ପାଇଖାନାକୁ ଦେଖାଇବାକୁ ଜେଲ କର୍ତୃପକ୍ଷ ମନା କରି ମୋହିତ ଥିବା ୨ନମ୍ବର ୱାର୍ଡର ଅନ୍ୟ ୩ଜଣ ଅନ୍ତେବାସୀଙ୍କ ସହିତ କଥା କରାଇଥିଲେ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ପରିବାରବର୍ଗ ଦାବି କରିଥିଲେ।

ସମ୍ବନ୍ଧିତ ଖବର