ବାରିପଦା: ଲିଭର୍‌ ସିରୋସିସ୍‌ ସହ ଲଢ଼ି ଶେଷରେ ନିରବି ଗଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ଭଞ୍ଜମାଟିର କୁନିଆ ଦାଦା (ଉତ୍ତମ ମହାନ୍ତି)। ବାରିପଦା ସହରରୁ ଅଭିନୟର ଖଡ଼ିଛୁଆଁ ହୋଇଥିଲା ତାଙ୍କର। ବାରିପଦାରେ କଟିଥିଲା ପିଲାଦିନ ଓ ଆଦ୍ୟ ଯୁବାବସ୍ଥା। ହେଲେ ଆଜି ସେ ନାହାନ୍ତି ବୋଲି ଗୁମୁରି କାନ୍ଦୁଛି ବାରିପଦା ମାଟି। ସହରର ଯେଉଁ ଗଳିରେ ଘର, ଯେଉଁଠି କଟିଥିଲା ପିଲାଦିନ; ସେଠି ଆଜି ଛାଇଯାଇଛି ନିରବତା। ପିଲାବେଳର ସାଙ୍ଗସାଥୀ, ପରିବାର, ସମ୍ପର୍କୀୟ ସମସ୍ତ ଆଖିରେ କୁନିଆଙ୍କ ପାଇଁ ଲୁହ। କାରଣ ଉତ୍ତମ ଆଉ ଫେରିବେନି...ସାଙ୍ଗସ‌ାଥୀଙ୍କ ଖଟିରେ ନିଜକୁ ମୟୂରଭଞ୍ଜିଆ ବୋଲି କହି ଗର୍ବ କରିବେନି। 

Advertisment

ସଂସ୍କୃତିସମ୍ପନ୍ନ ସହର ବାରିପଦାରେ ଏକ କରଣ ପରିବାରରେ ଉତ୍ତମଙ୍କ ଜନ୍ମ। ବାପା ମା’ ନାଁ ଦେଇଥିଲେ ଉତ୍ତମ। ହେଲେ ସମସ୍ତେ ତାଙ୍କୁ ସ୍ନେହରେ ଡାକୁଥିଲେ କୁନିଆ। ବାରିପଦା ସହରର ଅଧେ ଲୋକଙ୍କ ପାଇଁ ସେ ଥିଲେ କୁନିଆ ଭାଇ ନ ହେଲେ କୁନିଆ ଦାଦା। ଏହି ସହର ଥିଲା ତାଙ୍କ ଅଭିନୟର ଷଠିଘର। ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲରେ ପାଠପଢ଼ା ବେଳେ ସ୍କୁଲର ଜଣେ ଶିକ୍ଷକଙ୍କ ପରାମର୍ଶରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ। ମାଟ୍ରିକ୍‌ ପରେ ଏମ୍‌ପିସି କଲେଜରେ ଶିକ୍ଷା ବେଳେ ସାଙ୍ଗସାଥୀଙ୍କ ସହ ମିଶି ବିଭିନ୍ନ ନାଟକରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା ‘ରାଜହଂସ’। କଲେଜ ବେଳେ ଅଭିନୟକୁ କ୍ୟାରିୟର କରିବାକୁ ସେ କେବେ ଇଚ୍ଛା କରିନଥିଲେ। ହେଲେ ଘଟଣାଚକ୍ରରେ ୧୯୭୭ ମସିହାରେ ପ୍ରଥମ ସିନେମା ‘ଅଭିମାନ’ରେ ନାୟକ ଭୂମିକାରେ ବଡ଼ପରଦାରେ ପ୍ରଥମଥର ଦର୍ଶକଙ୍କ ସାମନାକୁ ଆସିଥିଲେ। ଆଉ ପ୍ରଥମ ପ୍ରୟାସରେ ହିଁ ସମସ୍ତଙ୍କ ମନରେ ଘର କରି ‌ନେଇଥିଲେ ଉତ୍ତମ। 

ବାରିପଦାରେ ରହୁଥିବା ବଡ଼ଭାଇ ଅଶୋକ ମହାନ୍ତି କହନ୍ତି, ‘କୁନିଆ ଓ ମୁଁ ଏଇ ଘରେ ଜନ୍ମ ନେଇଥିଲୁ। ଏହି ଘରେ ତା’ର ଶୈଶବ କଟିଛି। ସେ ଚାଟାର୍ଡ ଆକାଉଣ୍ଟିଂ କରୁଥିଲା, ହେଲେ ଅଭିନୟ ତାକୁ ଟାଣି ଆଣିଲା। ବର୍ଷ କେଇଟାରେ ତାର ଲୋକପ୍ରିୟତା ଶୀର୍ଷରେ ପହଞ୍ଚି ଯାଇଥିଲା ଓ କର୍ମମୟ ଜୀବନ ପାଇଁ ବାରିପଦା ଛାଡ଼ିବାକୁ ପଡ଼ିଲା। ଈର୍ଷଣୀୟ ସଫଳତା ସତ୍ତ୍ବେ ନିଜ ଜନ୍ମମାଟି ବାରିପଦାକୁ ସେ ଭୁଲିନଥିଲା। ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମାଆ ଅମ୍ବିକା ଓ ଜନ୍ମଦାତ୍ରୀ ମା’ଙ୍କୁ ସେ ସବୁବେଳେ ଝୁରୁଥିଲା।’ 

ପ୍ରଯୋଜକ ତଥା ଅଭିନେତା ଚିନ୍ମୟ ଦାସ ପଟ୍ଟନାୟକ କହିଛନ୍ତି, ‘ଓଡ଼ିଆ ସିନେମାକୁ ଆଗକୁ ନେବା ପାଇଁ ଯଦି କାହା ମନରେ ଟିକିଏ ସ୍ପୃହା ଥିଲା ସେ ଥିଲା କୁନିଆ। ନିଜ ପାରୁ ପର୍ଯ୍ୟନ୍ତ ଓଡ଼ିଆ ସିନେମାକୁ ସେ ଆଗକୁ ନେଇଛି। ସେ ଖାଲି ଯେ ଅଭିନୟରେ ମାହିର ଥିଲା ତାହା ନୁହେଁ, ସେ ସର୍ବଗୁଣା ହୋଇ ଜନ୍ମ ହୋଇଥିଲା।’ ବାଲ୍ୟବନ୍ଧୁ ବାସୁଦେବ ବେହେରା କହିଛନ୍ତି, ପିଲାଟି ଦିନରୁ କୁନିଆ ସହ ତାଙ୍କର ସମ୍ପର୍କ। ଗୋଟିଏ ସ୍କୁଲ ଓ କଲେଜରେ ପଢ଼ିଛୁ, ଏକାଠି ଅଭିନୟ କରିଛୁ। ଆଜି ଭଗବାନ କଠୋର ହୋଇ ଆମଠାରୁ ତାଙ୍କୁ ଛଡ଼ାଇ ନେଲେ। ନିଜ କଳା ପାଇଁ ସେ ସବୁଦିନ ମନେରହିବେ।

ଉତ୍ତମ ବାସ୍ତବିକ ଥିଲେ ସର୍ବୋତ୍ତମ: ଜୟରାମ ସାମଲ

ଫୁଲଚନ୍ଦନ ଚଳଚ୍ଚିତ୍ରରୁ ଆମେ ଦୁହେଁ ଏକାଠି କାମ କରିବା ଆରମ୍ଭ କରିଥିଲୁ। ସେ ହିରୋ ରୋଲ୍ କରିଥିବା ବେଳେ ମୁଁ କମେଡିଆନ୍ ରୋଲ୍‌ କରିଥିଲି। ତା’ ପରଠୁ ଆମ ସଂପର୍କ ଅତ୍ୟନ୍ତ ଘନିଷ୍ଠ ହୋଇଯାଇଥିଲା। ଯେଉଁ ସିନେମାରେ ସେ ହିରୋ ରୋଲ୍‌ କରୁଥିଲେ, ‌ମୋ ପାଇଁ କମେଡିଆନ୍‌ ରୋଲ୍‌ର ବ୍ୟବସ୍ଥା କରୁଥିଲେ। ସେ ମତେ ବଡ଼ଭାଇ ଭାବେ ମାନୁଥିବା ବେଳେ ମୁଁ ତାଙ୍କୁ ସାନଭାଇର ସ୍ନେହ ଦେଇ ଆସୁଥିଲି। ଉତ୍ତମଙ୍କ ସହ ଯେଉଁ ସବୁ ସମୟ କଟିଛି, ସବୁଗୁଡ଼ିକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଯାଇଛି ମୋ’ ଜୀବନରେ। କିଛି ବର୍ଷ ତଳେ ଭୁବନେଶ୍ବର ଜୟଦେବ ଭବନରେ ବସନ୍ତ ନାୟକଙ୍କ ପୁ୍ଅ ଟୁଟୁ ନାୟକ ଏକ ସମ୍ବର୍ଦ୍ଧନା ସମାରୋ‌ହର ଆୟୋଜନ କରିଥିଲେ। ମୋତେ ସେଠାକୁ ନିମନ୍ତ୍ରଣ କରାଯାଇଥିଲା। ପରିବାର ସହ ଆମେ ଜୟଦେବ ଭବନ ଯାଇଥିଲୁ। ସେଠାରେ ଉତ୍ତମଙ୍କ ସହ ଦେଖାହେଲା। ଉତ୍ତମ କହିଲେ, ଜୟୀ ଭାଇ ଆପଣ ଆସିବେ ବୋଲି ଜାଣିବା ପରେ ମୁଁ ଆସିଲି। ପାଖରେ ବସି ଦୀର୍ଘ ସମୟ କଥାବାର୍ତ୍ତା ହେଲୁ। କି ଆତ୍ମୀୟତା! ବାସ୍ତବରେ ସେ ଥିଲେ ସର୍ବୋତ୍ତମ।