କଣ୍ଟାମାଳ: ନଦନଦୀରେ ଭରା ଓ ବଣପାହାଡ଼ଘେରା ବୌଦ୍ଧ ଜିଲ୍ଲା। ହେଲେ ଏହାର ପରିବେଶ ସନ୍ତୁଳନ ଏଭଳି ବିଗିଡ଼ିଯାଇଛି ଯେ ଆଉ ବର୍ଷକରେ ୬ଟି ଋତୁ ଅନୁଭୂତ ହେଉନି। ଜଙ୍ଗଲର ସ୍ଥାନ ଏବେ କଂକ୍ରିଟ୍ ଜଙ୍ଗଲ ନେଲାଣି। ୧୯୭୯ ମସିହାରେ ପ୍ଲାଷ୍ଟିକ ବର୍ଜ୍ୟ କଥା ଶୁଣିଥିଲୁ। ସେତେବେଳେ ବିଶ୍ବାସ ହେଉନଥିବା ଏହି ସମସ୍ୟା ଏବେ ବିକଟାଳ ରୂପ ଧାରଣ କରିଛି। ତେଣୁ କେବଳ ସଚେତନ ନୁହେଁ, ପରିବେଶ ସୁରକ୍ଷା ନେଇ ସମସ୍ତଙ୍କୁ ତତ୍ପର ହେବାକୁ ପଡ଼ିବ। ଯଥାସମ୍ଭବ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାରଠାରୁ ନିଜକୁ ଦୂରେଇ ରଖିବା ସହ ବ୍ୟାପକ ବୃକ୍ଷରୋପଣ କରିବାକୁ ପଡ଼ିବ। ଆଜି ‘ସମ୍ବାଦ’ ପକ୍ଷରୁ କଣ୍ଟାମାଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଉଁଶୁଣୀ ନୋଡାଲ୍ ହାଇସ୍କୁଲ ପରିସର (ପୁରୁଣା ଏମ୍ଇ ସ୍କୁଲ) ପରିସରରେ ଥିବା ଶତାୟୁ ବରଗଛ ମୂଳେ ଆୟୋଜିତ ପରିବେଶ ପଞ୍ଚାୟତରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ କହ୍ନେଇଚରଣ ଡାଙ୍ଗ ଉପରୋକ୍ତ ମତପୋଷଣ କରିଛନ୍ତି। ବିଦ୍ୟାଳୟ ପରିସରରେ ବିଧାୟକ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ କହିଥିଲେ, ବର୍ତ୍ତମାନ ସମୟରେ ଆମ ଚାରିପାଖେ ଥିବା ମାଟି, ପାଣି, ପବନ ସହ ଶବ୍ଦ ପ୍ରଦୂଷଣ ବହୁ ମାତ୍ରାରେ ବୃଦ୍ଧି ପାଇଛି। ରାଜା ଅମଳରେ ଯଦି କେହି ଗୋଟିଏ ଗଛ କାଟୁଥିଲା, ତେବେ ତା’କୁ ୫ଟି ଗଛ ଲଗାଇବାକୁ ନିର୍ଦ୍ଦେଶ ରହୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବେଧଡ଼କ ଗଛକଟା ଯୋଗୁଁ ଜଙ୍ଗଲ ନଷ୍ଟ ହେବା ସହ ଆମ ଚାରିପଟେ ଏକ ବିଷବଳୟ ସୃଷ୍ଟି ହେଲାଣି। ଏଥିପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ।
ପ୍ଲାଷ୍ଟିକ୍ ଓ ଇ-ଆବର୍ଜନାକୁ ନେଇ ଚିନ୍ତା
ଜଙ୍ଗଲ ସୁରକ୍ଷା ସହ ବ୍ୟାପକ ବୃକ୍ଷରୋପଣ ପାଇଁ ଆହ୍ବାନ
ସମ୍ମାନିତ ଅତିଥି ସ୍ଥାନୀୟ ନୋଡାଲ୍ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପଞ୍ଚାନନ ମହାକୁଳ ବିଶ୍ବତାପନ ସମ୍ପର୍କରେ ମତବ୍ୟକ୍ତ କରିବା ସହ ଏଥିରୁ ରକ୍ଷା ପାଇବା ପାଇଁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ସହ ଅନ୍ୟାନ୍ୟ ସବୁଜଘର ବାଷ୍ପର ମାତ୍ରା ହ୍ରାସ କରିବାକୁ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ବାରୋପ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଙ୍କଜ ତନ୍ତି ପରିବେଶ ପ୍ରଦୂଷଣ ରୋକିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ପ୍ରୟାସ କରିବାକୁ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ବିଇଓ ଦଶରଥ ମେହେର, ଅବସରପ୍ରାପ୍ତ ଯନ୍ତ୍ରୀ ପ୍ରଭାସ ରଥ, ଅବସରପ୍ରାପ୍ତ ଶିକ୍ଷକ କିଶୋର ମେହେର, ଉଦ୍ୟାନବିତ୍ ନାରାୟଣ ଦେହୁରୀ, ନାଟ୍ୟକାର କରୁଣାକର ଘଣ୍ଟୁଆଳ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ହରିହର ମେହେର, ସମାଜସେବୀ ଘମୁଡ଼ୁ ଦନ୍ତା, ଅବସରପ୍ରାପ୍ତ ଏବିଇଓ ଚିତ୍ତରଞ୍ଜନ ମେହେର ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ବର୍ତ୍ତମାନ ପଲିଥିନ୍ ଆବର୍ଜନା ଭଳି ଭବିଷ୍ୟତରେ ଇ-ଆବର୍ଜନା ମାନବ ସମାଜ ପାଇଁ ବଡ଼ ବିପଦ ହୋଇ ଉଭା ହେବାକୁ ଯାଉଛି। ଏଥିପ୍ରତି ଏବେଠୁ ସଜାଗ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଜ୍ଞାନେନ୍ଦ୍ର ନାରାୟଣ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବାଉଁଶୁଣି ପ୍ରତିନିଧି ଉମାକାନ୍ତ ମହାକୁଳ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ହରିହର ପ୍ରଧାନ, ଅଜିତ ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/17/fhsfhxbvb-2025-08-17-04-07-43.jpg)