ଭୁବନେଶ୍ବର: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ଫେକ୍ ଆଇଡି ଖୋଲା ହୋଇଛି। ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ହେବାର ୨୪ ଘଣ୍ଟା ନପୁରୁଣୁ ତାଙ୍କ ନାମରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଫେକ୍ ଆକାଉଣ୍ଟ ଖୋଲାଯାଇ ତାଙ୍କୁ ବଦ୍ନାମ କରିବାକୁ ଉଦ୍ୟମ କରାଯାଇଛି। ସେହି ଫେକ୍ ଆକାଉଣ୍ଟରେ ଫେକ୍ ନ୍ୟୁଜ୍ ପୋଷ୍ଟ ହେଉଛି, ଯାହାକି ଅନେକଗୁଡ଼ିଏ ଡିଜିଟାଲ ଓ ଟେଲିଭିଜନରେ ପ୍ରକାଶ ପାଇଛି। ଏଘଟଣା ସଂର୍ପରେ ସରକାର ଜାଣିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୋଷ୍ଟ କରିଥିବା ପେଜରୁ ଦେଖିବାକୁ ମିଳିଛି ଦୁଇଟି(ଫେକ୍ ଓ ପ୍ରକୃତ)ର ମାଷ୍ଟହେଡ୍ ସମାନ ରହିଥିଲା ବେଳେ ଫେକ୍ ଆକାଉଣ୍ଟ @mohanmajhi_BJP ଲେଖାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘ଏକ୍ସ’ ଆକାଉଣ୍ଟ ହେଉଛି @MohanModisha। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଫେସ୍ବୁକ୍ ଆକାଉଣ୍ଟ ରହିଥିବା ବେଳେ Instagram https://instagram.com/mohanmodisha/ରହିଛି।
ମୋହନ ମାଝୀ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ସ୍ଥାନୀୟ ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥଗ୍ରହଣ କରିଥିଲେ। ସମାରୋହରେ ୬ ଜଣ କେନ୍ଦ୍ରମନ୍ତ୍ରୀ, ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ, ନବନିର୍ବାଚିତ ସାଂସଦ, ବିଧାୟକ, ବିଜପେି ପଦାଧିକାରୀ ସାଧାରଣ ଜନତା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଆଜି ଅପରାହ୍ନ ୪ଟା ୨୦ ମିନିଟରେ ମୁଖ୍ୟମନ୍ତ୍ରୀଙ୍କ ଫେକ୍ ‘ଏକ୍ସ’ ଆକାଉଣ୍ଟରେ ୫ଟି ଓ ମୋ ସରକାର ହଟାଗଲା ବୋଲି ଏକ ପୋଷ୍ଟ ଲେଖାଯାଇଥିଲା। ଏହି ପୋଷ୍ଟ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। ଟେଲିଭିଜନ ଓ ଡିଜିଟାଲ ଗଣମାଧ୍ୟମରେ ଖବର ପ୍ରସାରଣ ତଥା ପ୍ରକାଶ ପାଇଥିଲା। ଏହାକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲଶ। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ସରକାର ତତ୍ପରତା ଦେଖାଇଥିଲେ। ୫ଟି ଓ ମୋ ସରକାର ସମ୍ପର୍କିତ ଖବର ପ୍ରକାଶ ପାଇଥିବା ‘ଏକ୍ସ’ ଆକାଉଣ୍ଟଟି ମୁଖ୍ୟମନ୍ତ୍ରୀଙ୍କର ନୁହେଁ ବୋଲି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିଥିଲା।