ନରମିଲେ ଦାମ ! ନବୀନ ବାବୁ ଭଲ ଲୋକ ଓ ତାଙ୍କ ବିରୋଧରେ ପଦଟିଏ ବି କହି ନାହିଁ ବୋଲି ବୟାନ ରଖିଲେ

ଭୁବନେଶ୍ୱର: ବେଶ୍ କିଛି ଦିନ ଧରି ଦଳକୁ ଅଡ଼ୁଆରେ ପକାଇବା ଭଳି ବୟାନ ଦେଇ ଚର୍ଚ୍ଚାରେ ରହିଥିବା ଡା.ଦାମୋଦର ରାଉତ ଆଜି ନରମି ଥିବା ଜଣାପଡ଼ୁଛି । ବୁଧବାର ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଲୋକ। ସେ ଜଣେ ଭଲ ଲେଖକ ଓ ଚିତ୍ରକାର । ଏଥିସହ ସେ ଏହା ମଧ୍ୟ ବୟାନ ଦେଇଛନ୍ତି କି ନବୀନଙ୍କ ବିରୋଧରେ ସେ ପଦୁଟିଏ କେଉଁଠି କହି ନାହାନ୍ତି । ଶାସନରେ ଭ୍ରଷ୍ଟାଚାର ହେଲେ କିମ୍ବା ଦୁର୍ନୀତି ହେଲେ ପର୍ଦ୍ଦାଫାଶ କରିବା ବିରୋଧୀଙ୍କ କାମ । ହେଲେ ସେମାନେ ସେ କାମ କରୁନାହାନ୍ତି, ତେଣୁ ମୁଁ କରୁଛି ।

ଏହି ପ୍ରସଙ୍ଗରେ ସେ ନଗଡାର ଉଦାହରଣ ଦେଇଛନ୍ତି । ଦାମ ବାବୁ କହଛନ୍ତି ମୁଖ୍ୟମନ୍ତ୍ରୀ ନଗଡ଼ା ପାଇଁ ୨୪୫ କୋଟି ଅନୁଦାନ ଦେଉଥିଲେ, ହେଲେ ଅଫିସରମାନେ ଠିକ୍ ଭାବେ କାମ କରୁନଥିବା ଯୋଗୁଁ ଲୋକଙ୍କ ପାଖରେ ଅନୁଦାନ ଅର୍ଥ ପହଞ୍ଚିପାରିନଥିଲା । ଆଉ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦୋଷ ଦେଲେ ଲୋକେ । ଯେକୌଣସି କାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୋଷ ଦେବା ସମସ୍ତଙ୍କର ଅଭ୍ୟାସ ହୋଇଗଲାଣି। ସେ ଅନୁଦାନ ଘୋଷଣା କରିପାରିବେ ସିନା ଘରକୁ ଘର ଯାଇ ତ କାମ କରିପାରିବେ ନାହିଁ । ସେସବୁ କାମ ଅଧିକାରୀମାନଙ୍କର । ଅଧୀକାରୀମାନେ କାର୍ଯ୍ୟକାରୀ ନକଲେ କିମ୍ବା ହେରାଫେରି କରୁଥିଲେ ତାହା ବାହାରକୁ ଆସିବା ଦରକାର ।

National Political Mirror

ସୂଚନାଯୋଗ୍ୟ ଗତ କିଛି ଦିନ ହେବ ଦଳ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଦାମ । ଦଳରୁ ଦାମଙ୍କୁ ବହିଷ୍କାର କରିବା ଲାଗି ଜଗତସିଂହପୁର ଜିଲ୍ଲା ବିଜେଡିର ଅନେକ କର୍ମୀ ଓ ନେତା ତାଙ୍କ ବିରୋଧରେ ଫେରାଦ ହୋଇଥିଲେ। ଦାମ ଦଳ ବିରୋଧୀ କାମ କରୁଥିବା ସୁପ୍ରିମୋ ନବୀନ ପଟ୍ଟନାୟକ ପାଖରେ ଅଭିଯୋଗ ହୋଇଛି । ତେବେ ଅଭିଯୋଗର ବିଚାର କରୁଥିବା ନେଇ ନବୀନ ପଟ୍ଟନାୟକ କାଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ । ମନ୍ତ୍ରୀପଦ ଓ ଦଳୀୟ ପଦ ପଦବିରୁ ବିଦା ହୋଇସାରିଥିବା ଦାମୋଦର ରାଉତ, ଦଳର ସଭ୍ୟ ପଦ ହରାଇ ପାରନ୍ତି ବୋଲି ଆଶଙ୍କା କରାଯାଉଥିଲା । ତେବେ ଆଜି ଦାମଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମନ ପରିବର୍ତ୍ତନ କରିବ କି ସେନେଇ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର