‘ମୁଁ ନବୀନଙ୍କ ପାଇଁ କହୁଛି’ ସାଇକେଲ୍‌ରେ ବେଦବ୍ୟାସରୁ ନବୀନ ନିବାସ

ଭୁବନେଶ୍ବର: ରାଜ୍ୟ ଛାତ୍ର ବିଜେଡିର ୭୩ କର୍ମକର୍ତ୍ତାକୁ ନେଇ ଗଠିତ ‘ମୁଁ ନବୀନଙ୍କ ପାଇଁ କହୁଛି’ ଟିମ୍‌ ବେଦବ୍ୟାସରୁ ଆସି ଆଜି ନବୀନ ନିବାସରେ ପହଞ୍ଚିଛି। ସାଇକେଲ୍‌ ଯୋଗେ ସେମାନେ ୪ଶହ କିଲୋମିଟର ଯାତ୍ରା କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏହି ଦଳ ଏଠାରେ ପହଞ୍ଚିବା ପରେ ସେମାନଙ୍କୁ ସମ୍ବର୍ଧିତ କରାଯାଇଛି। ଆଗକୁ ରାଜ୍ୟର ପ୍ରତ୍ୟେକ ଜିଳ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି। ଏହି ଦଳ ‌ଫେବ୍ରୁଆରି ୨୩ରୁ ସୁନ୍ଦରଗଡ଼ରୁ ବାହାରି ଦେବଗଡ଼, ‌ଢେଙ୍କାନାଳ ଓ କଟକ ଦେଇ ଭୁବନେଶ୍ବରରେ ପହଞ୍ଚିଥିଲେ। ଯାତ୍ରା ଆରମ୍ଭ ସମୟରେ ସଭାପତିଙ୍କ ସମେତ ଜିଲ୍ଲା ଯୁବ ବିଜେଡି ସଭାପତି ଦେବେନ୍ଦ୍ର ମାଝୀ, ବୀରମିତ୍ର ପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ରୋହିତ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ନବୀନ ନିବାସରେ ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ପାଲଟାସିଂହ, ମନୋଜ ସେନାପତି, ଅପୂର୍ବା ଅପରୂପା, ପ୍ରଦୋଷ ପରିଡ଼ା, ସମ୍ପାଦକ ପ୍ରମୋଦ ପାତ୍ର, ସାଂଗଠନିକ ସମ୍ପାଦକ ସ୍ଥିତପ୍ରଜ୍ଞ ପଣ୍ଡା, ଛାତ୍ର ନେତା ଧର୍ମେନ୍ଦ୍ର ଧଳ, ରମାରଞ୍ଜନ ମହାନ୍ତି, ସଞ୍ଜୟ ବିଶୋୟୀ, ଭୁବନେଶ୍ବର ଜିଲ୍ଲା ସଭାପତି କଳ୍ପତରୁ ଓଝା ପ୍ରମୁଖ ଏହି ଦଳକୁ ପାଛୋଟି ଆଣିଥିଲେ। ବିଜେଡି ଆଇଟି ସେଲ ମୁଖ୍ୟ ଡ. ଅମର ପଟ୍ଟନାୟକ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର