ଭୁବନେଶ୍ବର: ଓଡ଼ିଶା ନିର୍ମାଣ କନ୍କ୍ଲେଭ୍ର ତୃତୀୟ ଅଧିବେଶନରେ ବିଷୟବସ୍ତୁ ଥିଲା ‘ମୁଁ ବି ଦେଖେ ବିକଶିତ ଓଡ଼ିଶାର ସ୍ବପ୍ନ’। ଏଥିରେ ୩ ଜଣ ଯୁବନେତା ବିକଶିତ ଓଡ଼ିଶାକୁ ସେମାନେ କିଭଳି ଦେଖିବାକୁ ଚାହାନ୍ତି, ସେ ସମ୍ପର୍କରେ ମତ ରଖିଥିଲେ। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦେଇ କହିଲେ, ବିକଶିତ ଓଡ଼ିଶା ପାଇଁ ୩ଟି ଜିନିଷ ଦରକାର- ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି। ଏହି ଲକ୍ଷ୍ୟ ନେଇ ବିକଶିତ ଓଡ଼ିଶାର ସ୍ବପ୍ନ ହାସଲ କରିହେବ। ବିକଶିତ ଓଡ଼ିଶା ପାଇଁ ଆମକୁ ଆଗ ମିଶନ୍ ଓ ଭିଜନ୍ ଦରକାର। ଆମକୁ ବଡ଼ ବଡ଼ ଶିଳ୍ପ ସହ ମଧ୍ୟମ ଓ ଛୋଟ ଛୋଟ ଶିଳ୍ପକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ। ମେସିନ୍ ବଦଳରେ କିଭଳି ଅଧିକରୁ ଅଧିକ ଲୋକ କାମ କରିବେ ଏବଂ ସେମାନଙ୍କୁ ତାଲିମ ଦେବା ପାଇଁ ବ୍ୟାପକ ବ୍ୟବସ୍ଥା ରହିବା ଦରକାର। ସେହିପରି ଜଳ ସେଚନର ସୁବିଧା ତଳସ୍ତରରେ ପହଞ୍ଚିବା ଉଚିତ। ସେ ଆହୁରି କହିଲେ, ୨୪ ବର୍ଷ ଭିତରେ ବିକାଶ ହେଇନି କହିଲେ ଭୁଲ ହେବ। ଅନେକ ବିକାଶମୂଳକ କାମ ହୋଇଛି। ହେଲେ ଯୁବବର୍ଗ ଉପରେ ଆଉ ଟିକେ ଫୋକସ୍ କରିବା ଆବଶ୍ୟକ ଥିଲା।
ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଲେ, ସରକାରର ଦାୟିତ୍ୱ ଦେଉଛି ବିକାଶ କରିବା- ସେ ଡବଲ୍ ହେଉ କି ସିଙ୍ଗଲ୍। ପୂର୍ବ ସରକାରଙ୍କ ସମୟରେ ଅର୍ଥନୀତି ବିକାଶ କରିବାର ଯେଉଁ ସୁଯୋଗ ଆସିଥିଲା, ତାକୁ ସେ ଛାଡିଦେଲେ। ପ୍ରଯୁକ୍ତି ବିଦ୍ୟାକୁ ନେଇ ଭବିଷ୍ୟତ ପିଢ଼ି ତିଆରି ହେବ। ତେଣୁ ଯାହା ପାଖରେ ନୂଆ ଦେଖାଇବାର ପରିକଳ୍ପନା ଅଛି, ସେ ହିଁ ଆଗକୁ ଯିବ। ଓଡ଼ିଶା ବାଣିଜ୍ୟ ବିପ୍ଲବର ଦ୍ୱିତୀୟ ପର୍ଯ୍ୟାୟରେ ରହିଛି। ରାଜ୍ୟରେ ଭାଲ୍ୟୁ ଆଡିସନ୍ ଇଣ୍ଡଷ୍ଟ୍ରି ନାହିଁ। ଭାରତ ବିଶ୍ୱର ଚତୁର୍ଥ ଅଟୋମୋବାଇଲ୍ ଉତ୍ପାଦକ, ୯୮ ପ୍ରତିଶତ ମୋବାଇଲ ଭାରତରେ ତିଆରି ହେଉଛି। ହେଲେ ଓଡ଼ିଶାରେ ଗୋଟିଏ ବି କାରଖାନା ନାହିଁ। ରାଜ୍ୟର ମାଟିତଳେ ଖଣିଜ ଭରପୂର ରହିଛି। ହେଲେ ଆମେ ତାକୁ ବ୍ୟବହାର କରିପାରିଲେନି। ୨୦୩୬କୁ ଲକ୍ଷ କରି ଏହିସବୁ ଦିଗରେ କାମ କରିବାକୁ ପଡ଼ିବ। ଏଆଇସିସି ସଦସ୍ୟ ମନସା ତ୍ରିପାଠୀ କହିଲେ, ଓଡ଼ିଶାର ଯୁବକ ଯେବେ ନିଜ ପେଟ ପୋଷଣ ଶିଖିଯିବେ, ସେତେବେଳେ ଓଡ଼ିଶାର ନିର୍ମାଣ ଆପେ ଆପେ ହେଇଯିବ। ଆମ ପିଲା ଇଞ୍ଜିନିୟରିଂ, ଏମ୍ବିଏ, ଗ୍ରାଜୁଏସନ୍ କରି ବାହାରକୁ ଚାକିରି କରିବାକୁ ଯାଉଛନ୍ତି, ଆଉ ଅନ୍ୟ ରାଜ୍ୟର ଉନ୍ନତି ହେଉଛି। ଯେତେବେଳେ ଆମେ ଆମପିଲାଙ୍କୁ ନିଯୁକ୍ତି ଦେଇପାରିବା, ସେତେବେଳେ ବିକାଶ ଆପେ ଆପେ ହେଇଯିବ। ଓଡ଼ିଶାରେ ଖଣି ଅଛି, ଜନତାଙ୍କ ସହଯୋଗ ଅଛି, ତଥାପି ଆମଲୋକ ଦାଦନ ଖଟିବାକୁ ବାହାରେ। ଆମେ ଖଣିରୁ କେତେ ରାଜସ୍ୱ ପାଉଛେ, ଆମ ଓଡ଼ିଶାର କେଉଁ ବିକାଶରେ ଲାଗୁଛି ତା’ର ହିସାବ ନାର୍ହି। ଓଡ଼ିଶାର ୭ଟି ଜଳପ୍ରକଳ୍ପରୁ ୪ଟି ଅବିଭକ୍ତ କୋରାପୁଟରେ ଅଛି। ହେଲେ ଆଜି ବି ମୋ’ ଜିଲ୍ଲା ଅନ୍ଧାକାରମୟ। ଆଜି ସେଠି ଥରେ ବିଦ୍ୟୁତ୍କାଟ ହେଲେ ୪୮ ଘଣ୍ଟା ପର୍ଯ୍ୟନ୍ତ ଆସୁନି। ନବରଙ୍ଗପୁର ମକା ଉତ୍ପାଦନରେ ଏସିଆ ମହାଦେଶରେ ପ୍ରଥମ। ହେଲେ ସେଠି ଗୋଟେ ମକା ପ୍ରକ୍ରିୟାକରଣ ୟୁନିଟ୍ ନାହିଁ। ଏହି ଅଧିବେଶନକୁ ସୁଶ୍ରୀ ସଂଗୀତା ଦାଶ ସଂଯୋଜନା କରିଥିବା ବେଳେ ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ।