ମୋ’ର ଗୋଟିଏ ଲକ୍ଷ୍ୟ ଦ୍ୱିତୀୟ କୋଣାର୍କ: ରଘୁନାଥ ମହାପାତ୍ର

ଖେଳବୁଲା ବୟସରେ ଖେଳନା ନୁହେଁ, ବରଂ ପଥରର ପ୍ରତିମୂର୍ତି ତାଙ୍କୁ ରୋମାଞ୍ଚିତ କରୁଥିଲା। ଖାସ୍‌ ସେଇଥିପାଇଁ ଅଷ୍ଟମରୁ ପାଠରେ ଡୋରି ବନ୍ଧା ହେଲା। ସେଇ କଅଁଳ ବୟସରେ ତାଙ୍କ ଆଙ୍ଗୁଳିର ଯାଦୁକରୀ ସ୍ପର୍ଶ ପଥରରେ ଜୀବନ୍ୟାସ ଭରି ସାରା ରାଇଜକୁ ଚମକାଇଦେଲା। କଳା ପ୍ରତି ତାଙ୍କର ପ୍ରଚଣ୍ଡ ଅନୁରାଗ ଖାଲି ତାଙ୍କୁ ବିଶ୍ୱ ପ୍ରସିଦ୍ଧି ଆଣି ଦେଲାନି, ବରଂ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ଭଳି ମର୍ଯ୍ୟାଦାଜନକ ସମ୍ମାନର ମୁକୁଟ ପିନ୍ଧାଇଲା। କଳା ପ୍ରତି ୬ ଦଶନ୍ଧିର ସଫଳ ଫଳଶ୍ରୁତି ସ୍ୱରୂପ ଆଜି ରାଜ୍ୟସଭାକୁ ମନୋନୀତ ହୋଇଥିବା ଏହି ବିଖ୍ୟାତ ସ୍ଥପତି ଜଣକ ହେଉଛନ୍ତି ରଘୁନାଥ ମହାପାତ୍ର। ରାଜ୍ୟସଭାରେ ଜୀବନର ନୂଆ ଇନିଂସ ଆରମ୍ଭ ପୂର୍ବରୁ ସତ୍ୟନାରାୟଣ ରାଉତରାୟଙ୍କ ସହ ସାକ୍ଷାତକାର।

ପଥରଶାଳରୁ ସଂସଦ, କେମିତି ଅନୁଭବ କରୁଛନ୍ତି ?
ଯାହା ହୋଇଛି, ଜଗନ୍ନାଥଙ୍କ କୃପାରୁ। ତାଙ୍କ ଆଶୀର୍ବାଦରୁ ମୁଁ ଏହା ପ୍ରାପ୍ତ ହୋଇଛି। ମୁଁ ତାଙ୍କ ନିକଟରେ ମୋ’ର ସମଗ୍ର ଜୀବନକୁ ସମର୍ପିତ କରିଛି। ସେ ଯେମିତି ବାଟ ଦେଖାଉଛନ୍ତି ମୁଁ ସେମିତି ଚାଲୁଛି, ଚାଲୁଥିବି।

୨୦୧୪ରେ ଆପଣ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ବିଜେଡି ଆପଣଙ୍କୁ ସମର୍ଥନ ଦେଇଥିଲେ ହେଁ ସୁଯୋଗ ପାଇ ନ ଥିଲେ। ଅବସୋସ ରହିଯାଇଥିଲା କି ?
ବିଜେଡି ସହ ବିଜେପି ବି ମୋତେ ସମର୍ଥନ ଦେଇଥିଲା। କିନ୍ତୁ ଭିନ୍ନ କାରଣରୁ ମୁଁ ସଂସଦକୁ ଯାଇପାରି ନ ଥିଲି। କିନ୍ତୁ ମୁଁ ଭାବେ ଜଗନ୍ନାଥ ହରେଇ ଦେଇଥିଲେ ବୋଲି ଯାଇପାରି ନ ଥିଲି। ଏବେ ପୁଣି ଜଗନ୍ନାଥ ସୁଯୋଗ ଦେଲେ। ତେଣୁ ଏଥିରେ ଦୁଃଖ କରିବାର କିଛି ନାହିଁ। ବରଂ ଆଜି ଏତେ ବଡ଼ ଦିନରେ ମତେ ଏଭଳି ମର୍ଯ୍ୟାଦା ମିଳିବା ସବୁଠୁ ବଡ଼କଥା।

କଂଗ୍ରେସ ଅମଳରେ ଆପଣ ବହୁ ମର୍ଯ୍ୟାଦାଜନକ ସମ୍ମାନ ପାଇଛନ୍ତି। ବିଜେଡି ମଧ୍ୟ ସମର୍ଥନ କରିଛି। ଏବେ ବିଜେପିର ସମର୍ଥନ ବି ରହିଛି। ପ୍ରତିଭା ଥିଲେ ସମର୍ଥନର ଅଭାବ ହୁଏନି ବୋଲି ଭାବୁଛନ୍ତି କି ?
ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ହେଲେ ଯେମିତି ବିନା ନିମନ୍ତ୍ରଣରେ ଲକ୍ଷ ଲକ୍ଷ ଭକ୍ତ ପହଞ୍ଚିଯାଆନ୍ତି। ସେମିତି ଶିଳ୍ପୀର କାମରେ ଲୟ ଥିଲେ ଏବଂ ସେ ଭଲ କାରିଗରୀ ସୃଷ୍ଟି କରୁଥିଲେ ତାକୁ ସମସ୍ତେ ଆଦର ଓ ସମ୍ମାନ କରନ୍ତି। ଏହା ମୋ କ୍ଷେତ୍ରରେ ଘଟିଥାଇପାରେ।

ସାଂସଦ ଭାବେ କେଉଁ ପ୍ରସଙ୍ଗଙ୍କୁ ପ୍ରାଥମିକତା ଦେବେ ?
ମୋର ଗୋଟିଏ ଲକ୍ଷ୍ୟ ଦ୍ୱିତୀୟ କୋଣାର୍କ (ଆଦିତ୍ୟ ନାରାୟଣ ମନ୍ଦିର)। ଦ୍ୱିତୀୟ କୋଣାର୍କ ଛଡ଼ା ମୋ’ର ଗତି ନାହିଁ କି ମୁକ୍ତି ନାହିଁ। ଆଜିକୁ ୪ ବର୍ଷ ହେଲା ଉଦ୍ୟମ ଚାଲିଛି। ନିଜ ପଇସାରେ ୧୦୦ ଏକର ଜାଗା କିଣିଛି। ସାଂସଦ ହେବାର ସୌଭାଗ୍ୟ ଜୁଟିଥିବାରୁ ମତେ ବହୁତ ଲୋକଙ୍କ ସାଙ୍ଗେ ମିଶିବାର ସୁଯୋଗ ମିଳିବ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ବି ଦ୍ୱିତୀୟ କୋଣାର୍କ ବାବଦରେ କହିବି। ତେଣୁ ଯେଉଁ ଅର୍ଥ ବାଧକ ସାଜିଥିଲା, ତାହା ଆଉ ରହିବ ନାହିଁ ବୋଲି ମୋ’ର ବିଶ୍ୱାସ। ସେମାନେ ଯଦି ମୋ’ ପାଇଁ ଶିବେଇ ସାଆନ୍ତରା ହେଇଯାଆନ୍ତି ମୁଁ ବିଶୁ ମହାରଣା ହେବାକୁ ପଛାଇବିନି। କି ସେମାନେ ଯଦି ମୋ ପାଇଁ ଲାଙ୍ଗୁଳା ନରସିଂହ ହେଲେ ମୁଁ ଧର୍ମପଦ ହେବାକୁ ପଛାଇବିନି।

ଆପଣ ପ୍ରତିଟି ସଫତଳା ପରେ ଜଣେ ବ୍ୟକ୍ତିଙ୍କୁ ଭେଟିବାକୁ କଟକରେ ପହଞ୍ଚି ଯାଆନ୍ତି। ସେ ବ୍ୟକ୍ତି ଜଣକ କିଏ ?
ସେ ବୁଢ଼ା ବାବା। ମୋ ମାର୍ଗଦର୍ଶକ। ମୁଁ ତାଙ୍କୁ ବହୁତ ମାନେ। ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ପରାମର୍ଶ ଲୋଡ଼େ। ତେଣୁ ଆଜି ଯାଇ ପ୍ରଥମେ ମୁଁ ବୁଢ଼ା ବାବାଙ୍କୁ ଭେଟି ଆଶୀର୍ବାଦ ନେଇଥିଲି। କେମିତି ଆଗକୁ କାମ କରିବି ସେ ନେଇ ମୋତେ ମାର୍ଗଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର