ଚିପିଲିମା: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍‌ ଅଞ୍ଚଳର ୨ ଜଣ ବରିଷ୍ଠ ବିଜେପି‌ ନେତାଙ୍କୁ ହାଇୱା ଚଢ଼ାଇ ହତ୍ୟା କରାଯିବା ଘଟଣା ଜିଲ୍ଲାବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଣ ହରାଇଥିବା ଦୁଇ ନେତା ହେଲେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ କର୍ଡୋଲାର ପୂର୍ବତନ ସରପଞ୍ଚ ତଥା ଧନକଉଡ଼ା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସୀତା ଛୁରିଆଙ୍କ ସ୍ବାମୀ ମୁରଲୀଧର ଛୁରିଆ। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ କାର୍‌ରେ ଥିବା ବରିଷ୍ଠ ବିଜେପି ନେତା ସାହାଜବାହାଲ ଗ୍ରାମର ସୁରେଶ ଛନ୍ଦ ଏବଂ ବସନ୍ତପୁର ବୁଡ଼ିଅଞ୍ଚଳ ସଂଗ୍ରାମ ସମିତିର ସଭାପତି ରାମନାରାୟଣ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। କାର୍‌ ଚାଳକ ପିଣ୍ଟୁ ମହାକୁଡ଼ ଓ ଅନ୍ୟଜଣେ ସୁଧୀର ଛୁରିଆ ସାମାନ୍ୟ ଆହତ ହୋଇଛନ୍ତି। ମୃତ ଦେବେନ୍ଦ୍ରଙ୍କ ପୁତୁରା ଜୟନ୍ତ ନାୟକଙ୍କ ଏତଲାକ୍ରମେ ବୁର୍ଲା ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ତେବେ ହାଇୱା ଚାଳକ ଅନୁଗୁଳ ଆଠମଲ୍ଲିକ ଅଞ୍ଚଳର ପ୍ରସନ୍ନ ଜେନାମଣି (୩୦)ର ବୟାନକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ‘ମାରିବା ପାଇଁ ମୋର ଇଚ୍ଛା ହେଲା, ତେଣୁ ମାରିଦେଲି’ ବୋଲି ପ୍ରସନ୍ନର ବୟାନ ପଛରେ କି ରହସ୍ୟ ରହିଛି, ସେ ସଂକ୍ରାନ୍ତରେ ତନାଘନା ଚଳାଇଛି ପୁଲିସ। 

Advertisment

୨ ଗୁରୁତର, ୨ ଆହତ
ହାଇୱା ଚାଳକର ବୟାନକୁ ନେଇ ଚାଞ୍ଚଲ୍ୟ

ସୂଚନା ଅନୁସାରେ, ଗତ ୩ ତାରିଖ ଦିନ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ସହିତ କର୍ଡ଼ୋଲା ଗ୍ରାମର ଦେବେନ୍ଦ୍ର ନାୟକ, ଚାରପାଲିର ମୁରଲୀଧର ଛୁରିଆ, ସୁରେଶ ଛନ୍ଦ, ରାମନାରାୟଣ ପଣ୍ଡା ଓ ସମ୍ବଲପୁରର ରୁଦ୍ରମଣି ପୋଢ଼ ଭୁବନେଶ୍ୱର ଯାଇଥିଲେ। ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ଅଧିଗ୍ରହଣ ହୋଇଥିବା ଜମିରେ ଚାଷ କରୁଥିବା ବସନ୍ତପୁର ଅଞ୍ଚଳର ୫୫୩ ଜଣ ଚାଷୀଙ୍କୁ ଟୋକନ୍‌ ମିଳିନଥିବାରୁ ସେମାନେ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ଧାନ ବିକ୍ରି ପାଇଁ ସ୍ବତନ୍ତ୍ର ଅନୁମତି ଆଣିବା ନିମନ୍ତେ ସେମାନେ ପୂର୍ବତନ ବିଧାୟକ ଶ୍ରୀ ନାୟକଙ୍କ ସହିତ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଥିଲେ। ଧାନ ବିକ୍ରି ପାଇଁ ଅନୁମତି ମିଳିବା ପରେ ‌ଗତକାଲି ସନ୍ଧ୍ୟାରେ ସେମାନେ ସମସ୍ତେ ନାଉରୀ ନାୟକ ଏବଂ ରୁଦ୍ରମଣିଙ୍କ ଗାଡ଼ିରେ ରାତି ୧୨ଟାରେ ସମ୍ବଲପୁର ଫେରିଥିଲେ। ରୁଦ୍ରମଣି ଓ ନାଉରୀ ସମ୍ବଲପୁରରେ ରହିଯାଇଥିଲେ। ସମ୍ବଲପୁରରୁ ସେମାନେ ମୁରଲୀଧରଙ୍କ ପୁତୁରା ସୁଧୀର ଛୁରିଆ ଏବଂ କାର୍‌ ଚାଳକ ପିଣ୍ଟୁ ମହାକୁଡ଼ଙ୍କ ସହିତ କାର୍‌ (ଓଡି-୧୫ଜେ-୨୩୩୮) ଯୋଗେ ଗାଁ ଅଭିମୁଖେ ବାହାରିଥିଲେ।

 ସମସ୍ତେ ଗୋଟିଏ ଅଞ୍ଚଳର ହୋଇଥିବାରୁ ଗୋଟିଏ କାର୍‌ରେ ଆସୁଥିଲେ। ୫୩ ନମ୍ବର ଜାତୀୟ ରାଜପଥର ଆ.କଟାପାଲି ଓଭରବ୍ରିଜ୍‌ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା (ଓଡି-୧୫ଟି-୩୮୮୯) ଧକ୍କା ଦେବା ଫଳରେ କାର୍‌ର ପଛପଟ କାଚ ଭାଙ୍ଗି ଯାଇଥିଲା। କାର୍‌ ଚାଳକ ଆଗକୁ ଯିବା ସମୟରେ ହାଇୱା ପୁଣିଥରେ ସେମାନଙ୍କୁ ଧକ୍କା ଦେଇଥିଲା। ଜୀବନ ବିକଳରେ ପିଣ୍ଟୁ ଜାତୀୟ ରାଜପଥ ଛାଡ଼ି ଝରେଇପାଲି ଗାଁ ରାସ୍ତାରେ କାର୍‌ ନେଇଥିଲେ। ତେବେ ସେମାନଙ୍କୁ ପିଛା କରୁଥିବା ହାଇୱା ଚାଳକ ପ୍ରସନ୍ନ ଜେନାମଣି ପୁଣିଥରେ ଜାତୀୟ ରାଜପଥରୁ ଗାଁ ରାସ୍ତାରେ ଶହେ ମିଟର ଦୂରରେ କାର୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଓଲଟି ପଡ଼ିଥିଲା। କାର୍‌ ଭିତରେ ପଶିଥିବା ବିଜେପି ନେତାମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦେବେନ୍ଦ୍ର ନାୟକ ଏବଂ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ହାଇୱା ଚାଳକ ପ୍ରସନ୍ନ ଜେନାମଣିକୁ ଗିରଫ କରିଛି। ଘଟଣା ସଂପର୍କରେ ଖବର ପାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ବୁର୍ଲା ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟି ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।