‘ମୁଁ ପିପୁଲ୍‌ସ ଗଭର୍ଣ୍ଣର ଥିଲି; ରବରଷ୍ଟାମ୍ପ ନୁହେଁ’: ଦ୍ରୌପଦୀ ମୁର୍ମୁ

ଆଗଭଳି ଆଗ୍ରେସିଭ୍ ନାହିଁ; କୁଲ୍ ହୋଇଯାଇଛି, ଆଧ୍ୟାତ୍ମିକତାକୁ ଆପଣାଇଛି; ରାତି ୩ଟାରୁ ଉଠି ଘଣ୍ଟାଏ ଯୋଗ କରେ

(ଝାଡ଼ଖଣ୍ଡ ରାଜ୍ୟପାଳ କାର୍ଯ୍ୟକାଳ ଶେଷ ହେବା ପରେ କନକ ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତକାରର କିୟଦଂଶ)

ସମସ୍ତେ କହନ୍ତି, ରାଜ୍ୟପାଳ ପଦବି ଏକ ରବରଷ୍ଟାମ୍ପ। ମନ୍ତ୍ରିମଣ୍ଡଳର ସୁପାରିସକୁ ଆଖିବୁଜି ଦସ୍ତଖତ କରିବା ରାଜ୍ୟପାଳଙ୍କ କାମ ବୋଲି ଧାରଣା ଦିଆଯାଏ। ଅଥଚ ମୁଁ ରାଜ୍ୟପାଳ ହେବା ପରେ ଏପରି ଧାରଣା ବଳବତ୍ତର ହେବାକୁ ଦେଇନାହିଁ। ମୁଁ ପିପୁଲ୍‌ସ ଗଭର୍ଣ୍ଣର ହେଇଥିଲି। ମୁଁ ରାଜ୍ୟପାଳ ଥିଲାବେଳେ ଆଦୈା ପାତରଅନ୍ତର କରିନାହିଁ। ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖୁଥିଲି। ମୁଁ ଯେଉଁଦିନ ରାଜଭବନ ଛାଡ଼ିଲି ସେଦିନ ବିମାନବନ୍ଦର ଜନସମୁଦ୍ର ପାଲଟିଯାଇଥିଲା। କେବଳ ଆମ ଦଳ ବିଜେପି ପ୍ରତି ଅନୁରାଗ ରଖିଥିଲେ ଏପରି ଜନପ୍ରିୟତା ହାସଲ କରିପାରିନଥା’ନ୍ତି। ରାଜ୍ୟପାଳଙ୍କ ବିଷୟରେ ଆଉ ଗୋଟିଏ ଭୁଲ ଧାରଣା ରହିଛି। ରାଜ୍ୟପାଳ କୁଆଡ଼େ ରାଜଭବନରେ ସୀମିତ ରହନ୍ତି। ସେ କେବଳ ଚାନ୍‌ସେଲର। ବିଶ୍ବବିଦ୍ୟାଳୟ, କଲେଜ କି ସ୍କୁଲ -ଏସବୁ କାହାରି ଉପରେ କିଛି ନିୟନ୍ତ୍ରଣ ବା କର୍ତ୍ତୃତ୍ବ ନାହିଁ ବୋଲ କହନ୍ତି। ମୁଁ କିନ୍ତୁ ରାଜ୍ୟର ୨୪ଟା ଯାକ ଜିଲ୍ଲା ବୁଲିଛି। ଗାଁଗଣ୍ଡା ବୁଲି ଆଦିବାସୀଙ୍କ ସ୍ବାର୍ଥ ପାଇଁ ଲଢ଼ିଛି। ସେମାନଙ୍କ ଶିକ୍ଷା କଥା ବୁଝିଛି। ଏପରିକି ଆମ ବିଜେପି ସରକାର ଥିବାବେଳେ ସାନ୍ତାଳୀ ପ୍ରଗଣା ସମ୍ପର୍କିତ ଏକ ଭୁଲ ଆଇନ କରିବାକୁ ସରକାର ଉଦ୍ୟମ କରୁଥିଲେ। ମୁଁ ବିରୋଧ କଲି। ସେଥିରେ ଆଦିବସୀଙ୍କର ଜମି ହରାଇବାର ଆଶଙ୍କା ଥିଲା। ମୁଁ ବିରୋଧ କଲି। ରାଜ୍ୟ ସରକାର ଓ କେନ୍ଦ୍ରକୁ ବୁଝାଇଲି। ସମ୍ବିଧାନର ୫ମ ସୂଚୀରେ ରାଜ୍ୟପାଳଙ୍କର ସ୍ବତନ୍ତ୍ର କ୍ଷମତା ରହିଛି। ଯଦି କୋୖଣସି ଜନବିରୋଧୀ କାର୍ଯ୍ୟ ହେଉଥିବ ଓ ରାଜ୍ୟପାଳ ନିରବ ରହିବେ, ତାହାହେଲେ ତ ସେ ଜଣେ ରବରଷ୍ଟାମ୍ପ ହୋଇଯିବେ! ଉଭୟ ରାଜ୍ୟ ଓ କେନ୍ଦ୍ର ସାମୟିକ ଭାବେ ମୋ ଷ୍ଟାଣ୍ଡ ପାଇଁ ରାଗିଯାଇଥାଇପାରନ୍ତି। କିନ୍ତୁ କଥାଟିକୁ ଠିକ୍ ଭାବେ ବୁଝାଇଦେବା ପରେ ସେମାନେ ତାକୁ ଗ୍ରହଣ କରିନେଇଥିଲେ।

ସ୍ବାମୀ ଓ ପୁତ୍ରମାନଙ୍କ ବିୟୋଗଜନିତ ବ୍ୟକ୍ତିଗତ ଦୁଃଖକୁ କେବେ ଭୁଲି ତ ହେବନାହିଁ। କିନ୍ତୁ ସେଇ ସେଇ କଥାକୁ ବାରମ୍ବାର ମନେ ପକେଇ ନିଜକୁ ଓ ଅନ୍ୟମାନଙ୍କୁ ଦୁଃଖିତ କରିବାକୁ ଚାହିବିନାହିଁ। ଜୀବନରେ ଆଗଭଳି ଆଗ୍ରେସିଭ୍ ନାହିଁ। ଏବେ କୁଲ୍‌ ହୋଇଯାଇଛି। ଆଧ୍ୟାତ୍ମିକତାର ପ୍ରଭାବ ରହିଛି। ପୁନର୍ଜନ୍ମରେ ଭଲ ମଣିଷ ହୋଇ ଜନ୍ମ ନେବାକୁ ହେଲେ ଅବଶିଷ୍ଟ ଜୀବନ ଶାନ୍ତିରେ ରହିବାକୁ ହେବ। ସାଂସାରିକ ସୁଖ ଶାନ୍ତି ଦିଏନାହିଁ। ଆଧ୍ୟାତ୍ମିକ ସୁଖର ପଥରେ ପଥିକ ହୋଇଛି। ରାତି ୩ଟାରୁ ବ୍ରହ୍ମ ମୁହୂର୍ତ୍ତରେ ଶେଯରୁ ଉଠି ଘଣ୍ଟାଏ ଯୋଗ କରେ। ପ୍ରଜାପିତା ବ୍ରହ୍ମାକୁମାରୀରେ ମିଶି ଏକ ନୂଆ ଜୀବନଶୈଳୀକୁ ଆପଣାଇନେଇଛି। ମାନସିକ ସ୍ତରରେ ସଂସାରର ସମସ୍ତ ଖରାପ ଦିଗକୁ ଏକରକମ ଛାଡ଼ିଦେଇଛି। ଲୋକଙ୍କୁ ଭଲପାଇବା ମଣିଷର କର୍ତ୍ତବ୍ୟ। ତେବେ ମଣିଷର ଆତ୍ମାକୁ ଭଲପାଏ, କୁସଂସ୍କାରକୁ ନୁହେଁ। ଆଗରୁ ମୋତେ ଆଧ୍ୟାତ୍ମିକତା ବାଟରେ ଯିବାକୁ ବହୁତ ଚେଷ୍ଟା କରାଯାଇଥିଲା। ହେଲେ ମୁଁ ଧରାଦେଇନଥିଲି। ତେବେ ଜୀବନରେ ବଡ଼ ଧକ୍କା ପାଇବା ପରେ ଚେତିଲି।

ଦୁର୍ନିତଗ୍ରସ୍ତ ଲୋକଙ୍କ ସହିତ ହୁଏତ କାମ କରିବାକୁ ହେବ। ହେଲେ ସେମାନଙ୍କ କାମକୁ ସମର୍ଥନ କରିପାରିବିନି। ରାଜନୀତିରେ ଆଧ୍ୟାତ୍ମିକତାକୁ ସାଧାରଣ ଲୋକେ ମୋତେ ୨୦୧୦ରୁ ବର୍ତ୍ତମାନ ଯାଏ ଗ୍ରହଣ କରିଆସିଛନ୍ତି। ଆଗାମୀ ଦିନରେ ବି କରିବେ। ରାଜ୍ୟପାଳ ପଦବିରୁ ଯିବା ପରେ ନେତାମାନେ ସାଂସଦ, ବିଧାୟକ ହେବାର ନଜିର ରହିଛି। ତେଣୁ ମୁଁ ପୁଣି ଦଳୀୟ ତଥା ସକ୍ରିୟ ରାଜନୀତିକୁ ଫେରିବାରେ ଅସୁବିଧା ନାହିଁ। କାଉନସିଲରରୁ ଗଭର୍ଣ୍ଣର ହେଲି; ମୁଁ କାହାକୁ କିଛି ମାଗିନାହିଁ।

ସମ୍ବନ୍ଧିତ ଖବର