ରାଜଧାନୀରେ ସୁଶାନ୍ତଙ୍କ ମାନଭଂଜନ! ‘ମନ୍ତ୍ରୀ ରେସ୍‌ରେ ନଥିଲି, ପଶ୍ଚିମ ଓଡ଼ିଶା କଥା ବୁଝିବି’

ବରଗଡ଼ : ମନ୍ତ୍ରିମଣ୍ଡଳରେ ସ୍ଥାନ ନପାଇ ସୁଶାନ୍ତ ସିଂ ଏବଂ ତାଙ୍କ ସମର୍ଥକ ମନଊଣା କରିଥିବା ନେଇ ଦୁଇ ଦିନ ହେଲା ଜୋର୍‌ଦାର୍‌ ଚର୍ଚ୍ଚା ଚାଲିଥିଲା। ୨୩ ତାରିଖ ଶ୍ରୀ ସିଂ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାକୁ କିଛି ଗଣମାଧ୍ୟମରେ ସୁଶାନ୍ତଙ୍କ ମାନଭଂଜନ ଚାଲିଥିବା ଦର୍ଶାଯାଇଛି। ବୁଧବାର ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଶ୍ରୀ ସିଂ ଭେଟି ଆଲୋଚନା କରିବା ଏହି ଚର୍ଚ୍ଚାକୁ ଆହୁରି ତେଜି ଦେଇଥିଲା। କିନ୍ତୁ ଶ୍ରୀ ସିଂ ମୁହଁ ଖୋଲି ଏହି ଚର୍ଚ୍ଚାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ସେ କଦାପି ମନ୍ତ୍ରୀ ପଦ ରେସ୍‌ରେ ନଥିଲେ ବୋଲି ସ୍ପଷ୍ଟ କରିଛନ୍ତି। ଆହୁରି କହିଛନ୍ତି, ସେ ମନ୍ତ୍ରୀ ପଦ ପାଇଁ ଇଚ୍ଛୁକ ନଥିବା ପୂର୍ବରୁ ଜଣାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ସୁନ୍ଦରଗଡ଼କୁ ବାଦ୍‌ ଦେଇ ପଶ୍ଚିମ ଓଡ଼ିଶାର ଅନ୍ୟ ୯ଟି ଜିଲ୍ଲାର ସଂଗଠନ ଏବଂ ଭଲମନ୍ଦ କଥା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରି ସଂଗଠନ କଥା ବୁଝିବା ତାଙ୍କ ଏକମାତ୍ର ଲକ୍ଷ୍ୟ ହେବ ବୋଲି ଶ୍ରୀ ସିଂ କହିଛନ୍ତି।

ଅନ୍ୟପକ୍ଷରେ ଆଗାମୀ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ୩୧ଟି ବିଧାନସଭା ଆସନ ଏବଂ ସମସ୍ତ ୫ଟି ଲୋକସଭା ଆସନ ବିଜେଡି ଜିତିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ପାଟଣାଗଡ଼ ବିଧାନସଭା ଆସନ ଜିତିବା ବିଜେଡିର ଏକ ବଡ଼ ଉପଲବ୍ଧି ରହିଥିଲା। ସେଠାରେ ବିଜେପିକୁ ହରାଇବା ସେତେଟା ସହଜ ନଥିଲା। ଯଦି ପାଟଣାଗଡ଼ରେ ବିଜେଡି ବାଜିମାତ୍‌ କଲା, ତେବେ ପଶ୍ଚିମ ଓଡ଼ିଶା ସାରା ଦଳ ଉନ୍ନତ ପ୍ରଦର୍ଶନ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଗୋଟିଏ ହିସାବରେ, ସେ ମନ୍ତ୍ରୀ ନ ହେବା ନେଇ ଆଦୌ ଅସନ୍ତୁଷ୍ଟ ନଥିବା ସ୍ପଷ୍ଟ କରିଛନ୍ତି। ତେବେ ନାଖୁସ୍‌ ଥିବା ତାଙ୍କ ସମର୍ଥକଙ୍କୁ ସେ ବ୍ୟକ୍ତିଗତ ଭାବେ ବୁଝାଇ ଦେଇଛନ୍ତି ଏବଂ ସମର୍ଥକମାନେ ଭାବାବେଗରେ ଆସି କିଛି ଟିପ୍ପଣୀ କରିଥାଇପାରନ୍ତି ବୋଲି ଶ୍ରୀ ସିଂ ପ୍ରତିକ୍ରିୟା ରଖିଛନ୍ତି।

ସୂଚନାଯୋଗ୍ୟ, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଶ୍ରୀ ସିଂ ଏବଂ ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଶ୍ରୀ ସିଂ ଭୁବନେଶ୍ବର ଯିବା ପୂର୍ବରୁ ସମର୍ଥକମାନେ ତାଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ସେଠାରେ ଶ୍ରୀ ସିଂ ପ୍ରତିକ୍ରିୟାଶୀଳ ନ ହେବା ପାଇଁ ସମର୍ଥକମାନଙ୍କୁ ବୁଝାଇଥିବା ଜଣାପଡ଼ିଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବା ପୂର୍ବରୁ ଶ୍ରୀ ସିଂ ମନ୍ତ୍ରୀ ପଦ ପାଇଁ ଦାବିଦାର ଥିବା ଚର୍ଚ୍ଚା ଜୋର୍‌ ଧରିଥିଲା।

ସମ୍ବନ୍ଧିତ ଖବର