ଉମରକୋଟ/ନବରଙ୍ଗପୁର: ଜୀବନ ବଞ୍ଚାଉଥିବା ଗଛକୁ କୌଣସି ଲୋକ କାଟୁଥିବା ଦେଖିଲେ ସହ୍ୟ କରିପାରେନି। ସେ ମୋ ନିଜ ଲୋକ ହୁଅନ୍ତୁ କିମ୍ବା ମୋ ଦଳର। ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ବିରୋଧ କରିବି। ଉମରକୋଟ ଏସ୍‌ଏସ୍ ଇଣ୍ଟରନ୍ୟାସନାଲ୍ ସଭାଗୃହରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଉମରକୋଟ ବିଧାୟକ ତଥା ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

Advertisment

ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ପରିବେଶର ସୁରକ୍ଷା ବର୍ତ୍ତମାନ ବଡ଼ ଆହ୍ବାନ ହୋଇଛି। ଜଙ୍ଗଲ ସୁରକ୍ଷା ଦିଗରେ କାମ କରୁଥିବା ଲୋକଙ୍କୁ ଆମେ ଗୁରୁତ୍ବ ଦେବା ଦରକାର। ନୂଆ ପୃଥିବୀ ଗଠନ ପାଇଁ ନୂଆପିଢ଼ିଙ୍କୁ ଉତ୍ତରଦାୟୀ କରିବାକୁ ପଡ଼ିବ। ଆଗାମୀ ଦିନରେ ସ୍କୁଲର ସବୁ ଛାତ୍ରଛାତ୍ରୀଙ୍କ ହାତରେ ଗଛ ଲଗାଇ ତାହାର ସୁରକ୍ଷା ଦାୟିତ୍ବ ଦିଆଯିବ। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ୭୫ଲକ୍ଷ ଓ ଉମରକୋଟ ରେଞ୍ଜରେ ୧୬ ହଜାର ଗଛ ଲଗାଯିବ ବୋଲି ମନ୍ତ୍ରୀ କହିଥିଲେ। ଜଙ୍ଗଲକୁ ନଷ୍ଟ କରି ହେଉଥିବା ମକା ଚାଷ ଜମିର ଉର୍ବରତାକୁ ନଷ୍ଟ କରୁଛି। ଅନୁର୍ବର ଜମିରେ ନୀଳଗିରି ଚାଷ କରି ଜଳସ୍ତର କମାଇବା ପ୍ରକ୍ରିୟାକୁ ବନ୍ଦ କରିବାକୁ ପଡ଼ିବ। କୋମଳମତି ଛାତ୍ରଛାତ୍ରୀଙ୍କୁ ପରିବେଶ, ସ୍ବଚ୍ଛତା ଏବଂ ବୃକ୍ଷରୋପଣ, ପଲିଥିନ୍ ବର୍ଜନ ସମ୍ପର୍କରେ ସଚେତନ କରିବାକୁ ପଡ଼ିବ। ସ୍କୁଲ୍‌ଗୁଡିକୁ ସବୁଜ ଶିକ୍ଷା କ୍ୟାମ୍ପସରେ ପରିଣତ କରି ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ଭବିଷ୍ୟତରେ ପୁନଶ୍ଚ ପୃଥିବୀ ଗଠନ ସ୍ବପ୍ନ ସାକାର ହେବ ବୋଲି ମନ୍ତ୍ରୀ କହିଥିଲେ। 

ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ରାଉତ ଯୋଗଦେଇ କହିଲେ, ଶିଳ୍ପର ବିକାଶ ସହ ପରିବେଶର ସନ୍ତୁଳନ ରଖି ବ୍ୟାପକ ବୃକ୍ଷରୋପଣ କରାଯାଉ। ମନ୍ଦିରକୁ ଯାଇ ପୂଜା କଲେ ଯେତେ ପୁଣ୍ୟ ମିଳିବ ତାଠାରୁ ଅଧିକ ବୃକ୍ଷରୋପଣରେ ମିଳିବ। ସମ୍ମାନିତ ଅତିଥି ଭାବେ ଉମରକୋଟ ବନାଞ୍ଚଳ ଅଧିକାରୀ ଦେବସ୍ମିତା ସାହୁ ପରିବେଶର ସୁରକ୍ଷା ପାଇଁ ସରଗୁଲିରେ ଇକୋ-ଟୁରିଜମ୍ ସ୍ପଟ୍‌ କରାଯାଉଥିବା ସୂଚନା ଦେଇଥିଲେ। ‘ସମ୍ବାଦ’ର ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ସୁରେଶ କୁମାର ନାଇଡୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରକୃତି ମିତ୍ର ନରେଶ ଚନ୍ଦ୍ର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ‘କନକ ନ୍ୟୁଜ୍‌’ର ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ନଳିନୀ ରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ। ପ୍ରକୃତି ଓ ପରିବେଶ ପ୍ରେମୀ ଶ୍ରୀନିବାସ ପଟ୍ଟନାୟକ, କୈଳାଶ ଚନ୍ଦ୍ର ବେହେରା, ଗଣେଶ ପ୍ରସାଦ ରଣା, ଶାନ୍ତିଲତା ମହାନ୍ତି, ତପନ କୁମାର ଦେବନାଥ, ସନ୍ତୋଷ ସରକାର, ନଗେନ୍ଦ୍ର କୁମାର ରାଉତ, ସେଖ ନାସିରଉଦ୍ଧିନ, ବିବେକାନନ୍ଦ ପଟ୍ଟନାୟକ, ଗୋପାଳକୃଷ୍ଣ ପଟ୍ଟନାୟକ, ସଂଯୁକ୍ତା ପଟ୍ଟନାୟକ, ଗୁରୁବାରୀ କଲାର, ଗୀତାଞ୍ଜଳି ସାହୁ, ଝୁନୁ ପାଣିଗ୍ରାହୀ, ସନ୍ତୋଷୀ ଦଳେଇ, ନମିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରମେଶ ପଟ୍ଟନାୟକ, ଜିତୁ ମାଳି, ନିଲୁ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।