ଦଳ ମୋତେ ଯେଉଁ ଦାୟିତ୍ବ ଦେବ ତାହା କରିବି: ରମାରଞ୍ଜନ ବଳିୟାରସିଂହ

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଆଜି ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ଝିଅ ତଥା ବିଜେପି ନେତା ରମାରଂଜନ ବଳିୟାରସିଂହଙ୍କ ବୋହୂ ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କରିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ବିଜେପି ପାଇଁ ଆଗଧାଡ଼ିର ପ୍ରଚାରକ ସାଜିଥିବା ଶ୍ରୀ ବଳିୟାରସିଂହ ପଦ୍ମପୁରରେ ବୋହୂ ବିରୁଦ୍ଧରେ ପ୍ରଚାର କରିବେ ନା ସପକ୍ଷରେ ପ୍ରଚାର କରିବେ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୋମବାର ଦିନ ସିଇଓଙ୍କ ପକ୍ଷରୁ ପଦ୍ମପୁର ଉପନିର୍ବାଚନ ନେଇ ସର୍ବଦଳୀୟ ବୈଠକ ଚାଲିଥିବାବେଳେ ଏଥିରେ ବିଜେପି ପକ୍ଷରୁ ଶ୍ରୀ ବଳିୟାରସିଂହ ଯୋଗଦେଇଥିଲେ। ଠିକ୍ ଏହି ସମୟରେ ବିଜେଡି ପକ୍ଷରୁ ପଦ୍ମପୁର ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା। ଏହାପରେ ଶ୍ରୀ ବଳିୟାରସିଂହଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ବର୍ଷା ମୋର ବୋହୂ, ମୋର ଝିଅ ଭଳି। ତାଙ୍କ ପ୍ରତି ମୋର ଓ ମୋ ପରିବାରର ସ୍ନେହ, ସଦିଚ୍ଛା ଓ ଆଶୀର୍ବାଦ ଅଛି। ମୁଁ ବିଜେପିର ଜଣେ ସାଧାରଣ ଓ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା। ତେଣୁ ମୋତେ ଦଳ ଯେଉଁ ଦାୟିତ୍ବ ଦେବ ତାହା ମୁଁ କରିବି। ବର୍ଷା ଯେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ସେ ଦଳ ତାଙ୍କ ଦାୟିତ୍ବ ନେବ। ପଦ୍ମପୁରବାସୀ ନିଷ୍ପତ୍ତି ନେବେ ‌କିଏ ବିଜୟୀ ହେବେ। ବର୍ଷା ତା’ର ବାପାଙ୍କ ଉତ୍ତରାଧିକାରୀ ହିସାବରେ ଟିକେଟ୍ ପାଇଛନ୍ତି। ଏବେ ମୁଁ ମୋ କାମ କରିବି, ସେ ତାଙ୍କ କାମ କରିବେ। ଆମେ ଆଶା କରୁଥିଲୁ ସ୍ବର୍ଗତ ବରିହାଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିବ। ବର୍ଷାଙ୍କ ପ୍ରାର୍ଥିତ୍ବ ନେଇ ଆମ ପରିବାରରେ କିଛି ଆଲୋଚନା ହୋଇନି। ସେ ବିଜେଡି ପ୍ରାର୍ଥୀ ହେବା ନେଇ ମୁଁ ଗଣମାଧ୍ୟମରୁ ଜାଣିଲି।

ସମ୍ବନ୍ଧିତ ଖବର