ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଶାସନରେ ଏକ ବର୍ଷ ପୂରଣ କରିବ। ଏହି ବର୍ଷକ ମଧ୍ୟରେ ନୂଆ ସରକାର ଅନେକ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଚାଲିଛନ୍ତି ସରକାର। କଥା ଦେଇ କଥା ରଖିଲେ’ ନାରାର ପ୍ରଚାରପ୍ରସାର ଚାଲିଛି। ଲୋକଙ୍କ ମୁଖ୍ୟମନ୍ତ୍ରୀ’ ‘ଲୋକଙ୍କ ସରକାର’କୁ ତୃଣମୂଳସ୍ତରକୁ ନେଉଥିବା ବେଳେ ସରକାରର କାର୍ଯ୍ୟଦକ୍ଷତା ଓ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ। ଗତ ବର୍ଷକ ମଧ୍ୟରେ ନୂଆ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି। ଶାସକ ଦଳ ଦୃଢ଼ୋକ୍ତି କରିଛି ଯେ ଗତ ସରକାର ୨୪ ବର୍ଷରେ ଯେତେ କାମ କରି ନ ଥିଲେ, ଆମ ସରକାର ମାତ୍ର ୨୪ ସପ୍ତାହ ଭିତରେ ତାହା ପୂରଣ କରିଛି। ସରକାରର ସଫଳତା ଓ ଉପଲବ୍ଧି ଏବଂ ବିରୋଧୀଙ୍କ ଆରୋପ ଓ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କଥା ହୋଇଛନ୍ତି ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ।
ବିଜେପି ସରକାର ଆସିବ, ଆପଣ ମୁଖ୍ୟମନ୍ତ୍ରୀ ହେବେ। ଉଭୟ କଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏବେ ମୁଖ୍ୟମନ୍ତ୍ରିତ୍ବକୁ ବର୍ଷେ ବିତିଗଲା। ଏ ସମୟକୁ ଆପଣ କେମିତି ମନେ ରଖିବେ?
ବିଜେପି ସରକାରକୁ ଆସିବା ଅପ୍ରତ୍ୟାଶିତ ନ ଥିଲା। ମୁଁ ସେ ସମୟର ରାଜନୈତିକ ପରିବେଶ ଆଜି ଆଲୋଚନା କରିବାକୁ ଚାହୁଁ ନାହିଁ। ସେତେବେଳେ ପରିବର୍ତ୍ତନର ପଦଧ୍ବନି ପରିଷ୍କାର ଶୁଣା ଯାଉଥିଲା। ବିଜେପିରେ ଜଣେ ବୁଥ୍ସ୍ତରୀୟ କାର୍ଯ୍ୟକର୍ତ୍ତା ବି ଦେଶର ଗୃହମନ୍ତ୍ରୀ ହୋଇ ପାରନ୍ତି, ଅତି ସାଧାରଣ ପରିବାରରୁ ଆସିଥିବା ଏବଂ ଦଳର ସାଧାରଣ କାର୍ଯ୍ୟକର୍ତ୍ତା ଆଜି ଦେଶର ପ୍ରଧାନମନ୍ତ୍ରୀ। ଆମ ପାଇଁ ବ୍ୟକ୍ତି ବଡ଼ ନୁହେଁ, ବିଚାରଧାରା ଏବଂ ଦଳ ବ୍ୟକ୍ତିଠାରୁ ବହୁ ଊର୍ଦ୍ଧ୍ବରେ। ଏକ ବର୍ଷପୂର୍ବେ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଯେଉଁ ଯାତ୍ରା ଆରମ୍ଭ ହୋଇଥିଲା, ତାହା ଆଜି ବାସ୍ତବ ସ୍ୱରୂପ ନେଇଛି। ଆମେ ପ୍ରାୟତଃ ଲୋକଙ୍କ ଭରସାକୁ ବଜାୟ ରଖିବାରେ ସମର୍ଥ ହୋଇଛୁ। ଲୋକଙ୍କ ସେବା କରିବା ମୋର ଏକ ମାତ୍ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଆଦର୍ଶରେ ନିଜକୁ ଲୋକଙ୍କ ସେବକ ବୋଲି ମନେ କରେ। ଏ ସମୟ ମୋ ପାଇଁ ଜନସେବା ଓ ସମର୍ପଣର ଗୋଟିଏ ଗୁରୁତ୍ବପୂର୍ଣ୍ଣ ବର୍ଷ ।
ଲୋକଙ୍କ ମୁଖ୍ୟମନ୍ତ୍ରୀ! ମୋହନ ମାଝୀଙ୍କ ସହ ଏ ହାସ୍ ଟ୍ୟାଗ୍ କାହିଁକି?
ମୁଁ ସାମାଜିକ ଗଣମାଧ୍ୟମରେ ଅଧିକ ସକ୍ରିୟ ନୁହେଁ। ତେଣୁ କେଉଁ ହାସ୍ ଟ୍ୟାଗ୍ କେତେବେଳେ ଟ୍ରେଣ୍ଡିଂ ହେଉଛି, ସେ ବିଷୟରେ ଧାରଣା ନାହିଁ, କିମ୍ବା ସେଥିପାଇଁ ମୋ ପାଖେ ସମୟ ନାହିଁ। ମୋର ଗୋଟିଏ ଲକ୍ଷ୍ୟ ହେଉଛି ଲୋକଙ୍କ ନିକଟତର ହୋଇ ତାଙ୍କର ସେବା କରିବା। ସରକାର ଓ ଜନତା ମଧ୍ୟରେ ଥିବା କୃତ୍ରିମ ପ୍ରାଚୀରକୁ ମୁଁ ଦୂର କରିବାରେ ସମର୍ଥ ହୋଇଛି। ବୋଧହୁଏ, ଏଥିପାଇଁ ଲୋକ ତାଙ୍କ ଆଡୁ ଆମ ସରକାରକୁ ‘ଲୋକଙ୍କ ସରକାର’ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ର ଆଖ୍ୟା ଦେଇଛନ୍ତି। ଗଣମାଧ୍ୟମ ବି ବିଭିନ୍ନ ସମୟରେ, ଏପରିକି ସମାଲୋଚନା ଆଳରେ ମୋତେ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ଅଭିହିତ କରିଥାନ୍ତି। ଏଥିରେ ମୋର କିଛି ଭୂମିକା ନାହିଁ ।
ନବୀନ ପଟ୍ଟନାୟକ ହାରିବେନି- ଏମିତି ଗୋଟିଏ ବଦ୍ଧ ଧାରଣା ଅନେକଙ୍କ ମନରେ ଥିଲା। ଆପଣଙ୍କ ମନରେ ବି ଥାଇପାରେ। କିନ୍ତୁ ଯେବେ ଆପଣ ନବୀନଙ୍କୁ ଶପଥ ପାଠ ଉତ୍ସବ ମଞ୍ଚରେ ଭେଟିଲେ, ସେବେ କେମିତି ଅନୁଭବ କଲେ?
ଗଣତନ୍ତ୍ରରେ କେହି ଅପରାଜେୟ ନୁହନ୍ତି। ଅତୀତରେ ଇନ୍ଦିରା ଗାନ୍ଧୀ କ୍ଷମତାରେ ଥାଇ ଜଣେ ସାଧାରଣ କାର୍ଯ୍ୟକର୍ତ୍ତାଙ୍କ ଠାରୁ ହାରି ଯାଇଥିଲେ। ଅନେକ ରାଜନୈତିକ ସମୀକ୍ଷକ ହୁଏତ ଏହି ବିଶ୍ବାସ କରୁଥିଲେ, ଆଉ କେତେକ କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା ଏହି ନ୍ୟାରେଟିଭକୁ ବିଶ୍ବାସ କରୁଥିଲେ। କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭା ପରେ ରାଜ୍ୟରେ ପରିବର୍ତ୍ତନର ହାୱା ବାତ୍ୟାର ରୂପ ନେଇଥିଲା, ଯାହାର ଫଳାଫଳ ଜୁନ ୪, ୨୦୨୪ ରେ ପ୍ରତିଫଳିତ ହୋଇଥିଲା। ଶପଥ ପାଠ ଉତ୍ସବ ମଞ୍ଚ କଥା କହିଲେ; ବାସ୍ତବରେ ସେତେବେଳେ କେବଳ ଗୋଟିଏ ଚିନ୍ତା ମୋ ମନକୁ ଆସୁଥିଲା, କିପରି ଭାବେ ଏ ଗୁରୁଦାୟିତ୍ବକୁ ନିର୍ବାହ କରି ଓଡ଼ିଶାର ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବି ଏବଂ ପ୍ରଧାନମନ୍ତ୍ରୀ ଆସ୍ଥାକୁ ଅତୁଟ ରଖିବି।
ନବୀନଙ୍କ ‘ମୋ ସରକାର’ ଓ ମୋହନଙ୍କ ‘ଆମ ସରକାର’ ଭିତରେ ଦୂରତା କେତେ?
ଆକାଶ ପାତାଳ ତଫାତ୍। ‘ମୋ ସରକାର’ ଥିଲା ଏକ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ ଓ ପ୍ରଚାର ତନ୍ତ୍ରର ସରକାର ଏବଂ ମୋର ‘ଆମ ସରକାର’ ହେଉଛି ପ୍ରକୃତରେ ‘ଲୋକଙ୍କ ସରକାର’।
ମୁଁ ବି ମୁଖ୍ୟମନ୍ତ୍ରୀ ହୁଅନ୍ତି କି? ଜୀବନରେ କେବେ ଏମିତି ସ୍ବପ୍ନ ଆପଣଙ୍କ ମନକୁ ଆସିଥିଲା? ‘ନାୟକ’ ଚଳଚ୍ଚିତ୍ରର ଅନୀଲ କପୁରଙ୍କ ଭୂମିକାରେ ନିଜକୁ କେବେ ଦେଖିନାହାନ୍ତି?
ଚଳଚ୍ଚିତ୍ର ଓ ବାସ୍ତବତା ମଧ୍ୟରେ ଫରକ ଆପଣ ଜାଣନ୍ତି। ଭାରତୀୟ ଜନତା ପାର୍ଟିରେ ହିଁ ସବା ତଳସ୍ତରର ଜଣେ କାର୍ଯ୍ୟକର୍ତ୍ତା ଦେଶର ସର୍ବୋଚ୍ଚ ଆସନରେ ଆସୀନ ହେବା କିମ୍ବା ରାଜ୍ୟର ଶାସନମୁଖ୍ୟ ହେବା ପାଇଁ ସ୍ବପ୍ନ ଦେଖିପାରନ୍ତି।
ଜଣେ ମୁଖ୍ୟମନ୍ତ୍ରୀ ଥିଲେ, ଯିଏ ଲୋକଙ୍କ ପାଖକୁ ବେଶି ନଯାଇ ବି ଲୋକପ୍ରିୟ ଥିଲେ। ଅତି କମ୍ କଥା କହି ୨୪ବର୍ଷ ଶାସନରେ ରହିଲେ। ଏବେର ମୁଖ୍ୟମନ୍ତ୍ରୀ ଲୋକଙ୍କ ଗହଣରେ ବେଶି ସମୟ ବିତାଉଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଗରିମାକୁ ଜଗି ସେ ମପାଚୁପା କଥା କହୁନାହାନ୍ତି। ନିନ୍ଦୁକ ପ୍ରଶ୍ନ ଉଠାଉଲେଣି। ଆପଣଙ୍କ ମତ କ’ଣ ରହିବ?
ଲୋକଙ୍କ ସହିତ ସେମାନଙ୍କ ଭାଷାରେ କଥାହେବା ଯଦି ସମାଲୋଚକଙ୍କୁ କଷ୍ଟ ଦେଉଛି, ତେବେ ଆଗାମୀ ଦିନରେ ଏମିତି ଆହୁରି ଅଧିକ କଷ୍ଟ ସହିବା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ମୁଁ ସାଧାରଣ ଲୋକଙ୍କ ଭିତରୁ ହିଁ ଆସିଛି। ଓଡ଼ିଶାର ମାଟି, ପାଣି, ପବନରେ ହିଁ ବଢ଼ିଛି। ସାଧାରଣ ଲୋକଙ୍କ ସାଙ୍ଗରେ ପିଲାଦିନୁ ମିଶି ଆସିଛି। ସେମାନଙ୍କ ବାସ୍ତବ ସମସ୍ୟା ଜାଣିଛି, ଆଉ ତା’ର ସମାଧାନ ବି। ତେଣୁ, ମୁଁ ବହୁତ ସମୟରେ ସତକଥା କହେ। ସତକୁ ସାମ୍ନା କଲେ ହିଁ ତା’ର ସମାଧାନ ବାହାରେ। ଲୋକଙ୍କ ସେବା କରିବା, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଯେଉଁ ଲକ୍ଷ୍ୟ ନେଇଛୁ, ତାହା ଆମେ କରି ଚାଲିବୁ। ‘କୁଛ୍ ତୋ ଲୋଗ କହେଙ୍ଗେ, ଲୋଗୋଁ କା କାମ୍ ହୈ କେହେନା”।
ସରକାରକୁ ବର୍ଷେ। ୨୪ ବର୍ଷର ଶାସନ ବନାମ ବର୍ଷିକିଆ ସରକାର। ସରକାରର ପ୍ରଦର୍ଶନରେ ଆପଣ କେତେ ସନ୍ତୁଷ୍ଟ?
ଲୋକେ ତ କୁହାକହି ହେଉଛନ୍ତି ଯେ ଗତ ସରକାର ୨୪ ବର୍ଷରେ ଯେତେ କାମ କରି ନ ଥିଲେ, ଆମ ସରକାର ମାତ୍ର ୨୪ ସପ୍ତାହ ଭିତରେ ତାହା ପୂରଣ କରିଛି। ଆମ ସରକାରଙ୍କ ପ୍ରଦର୍ଶନ ଓ ପାରଦର୍ଶିତା ଆପଣ ଦେଖୁଛନ୍ତି, ଓଡ଼ିଶାର ଜନ ସାଧାରଣ ଦେଖୁଛନ୍ତି। କୃଷକ ଓ ମହିଳା ସଶକ୍ତୀକରଣ ହେଉ, ବା ଶିଳ୍ପାୟନ, ସବୁ କ୍ଷେତ୍ରରେ ଆମର ସଫଳତା ଦୃଷ୍ଟିଗୋଚର ହେଉଛି। ତେବେ, ସନ୍ତୁଷ୍ଟ ହେବା ଉଚିତ ନୁହେଁ। ରାଜ୍ୟର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ଆମକୁ ଆହୁରି ଅଧିକ ପରିଶ୍ରମ ଓ ଦକ୍ଷତାର ସହ କାମ କରିବା ଆବଶ୍ୟକ।
କଥା ଦେଇ କଥା ରଖିଲେ ମୋହନ। ନିର୍ବାଚନ ପ୍ରତିଶ୍ରୁତି ପୂରଣ ବେଳେ ଏହି ଘୋଷା ବାକ୍ୟ ବ୍ୟହହାର ହେଉଛି। ଲୋକଙ୍କ ମନ ଛୁଇବାକୁ ଏହା କଣ ଗୋଟିଏ କୌଶଳ?
ରାଜନୈତିକ ଜୀବନରେ ସବୁଠାରୁ ବଡ଼ କଥା ହେଉଛି ‘ନିଜ ପ୍ରତିଶ୍ରୁତି ପୂରଣ କରିବା’। ଭୋଟ ପାଇବା ପାଇଁ ଦଳ ଏବଂ ଦଳୀୟ ନେତାମାନେ ଅଧିକ କଥା କହିଥାଆନ୍ତି। ଗୋଟେ ଛୋଟ ଉଦାହରଣ ଦେବି। ଓଡ଼ିଶାର କୃଷକମାନଙ୍କୁ ୧୦୦ ଟଙ୍କା ବୋନସ୍ ଦେବା ପାଇଁ କିଏ କହିଥିଲା, ଏବଂ ତାହା ୮ବର୍ଷ ଧରି ପାଳନ ହୋଇ ନ ଥିଲା। ଆମେ ନିର୍ବାଚନ ପୂର୍ବରୁ କହିଥିଲୁ; ୧୦୦ ନୁହେଁ, ଅଧିକ ୮୦୦ ଟଙ୍କା ଦେବୁ। ଏହି ପ୍ରତିଶ୍ରୁତି କ୍ୟାବିନେଟ୍ର ପ୍ରଥମ ବୈଠକରେ ହିଁ ପୂରଣ ହୋଇଥିଲା। ତେଣୁ ଲୋକେ କହିବା ସ୍ବାଭାବିକ ଯେ ‘ମୋହନ ସରକାର, କଥା ଦେଇ କଥା ରଖିଲେ’। ଆମେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲୁ, ଯେପରିକି ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ନୂତନ ଶିକ୍ଷା ନୀତିର କାର୍ଯ୍ୟକାରିତା, ଓଡ଼ିଶାର ମହାପୁରୁଷ ଓ ମହୀୟସୀମାନଙ୍କୁ ସମ୍ମାନ ଦେବା ଇତ୍ୟାଦି ସଂପୂର୍ଣ୍ଣ ରୂପେ ପୂରଣ କରିଛୁ। ଯାହା ଯାହା କଥା ଆମେ ଦେଇଥିଲୁ, ସବୁ ପୂରଣ କରାଯାଉଛି ଏବଂ ଏହା ଜାରି ରହିବ।
ଶ୍ରୀମନ୍ଦିର ସମସ୍ୟାର ସମାଧାନ ହୋଇପାରୁନି। ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦେଇପାରିଲେନି। ଭିଡ଼ ନିୟନ୍ତ୍ରଣ ହେଲାନି। ବଡ଼ ଠାକୁର ପଡ଼ିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହେଲାନି। ଏସବୁ ନିଷ୍ପତ୍ତି ନେବା ବେଳେ ସରକାର କାହିଁକି ଦୁର୍ବଳ?
ଆପଣ ଜାଣନ୍ତି ଶ୍ରୀମନ୍ଦିରକୁ ସେ ସମୟରେ ଏକ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଭଳି ପରିଚାଳନା କରାଯାଉଥିଲା। ଆପଣ ବି ଏ ବିଷୟରେ ସବୁ ଜାଣିଛନ୍ତି। ତେଣୁ ଅନେକ ସଂସ୍କାର ଆବଶ୍ୟକ। ଆପଣ ଯେଉଁସବୁ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି, ଏସବୁ ବିଷୟ ସରକାରଙ୍କ ନଜରରେ ଅଛି। ଶ୍ରୀମନ୍ଦିରର ମୁଖ୍ୟ ସମସ୍ୟା ନିଶ୍ଚିତ ଭାବେ ଦୂର କରାଯିବ।
ଆପଣ ପ୍ରଥମ ଜନକଲ୍ୟାଣକାରୀ ଯୋଜନା ଭାବେ ‘ସୁଭଦ୍ରା’ କାର୍ଯ୍ୟକାରୀ କଲେ। କେତେ ମହିଳା ଉପକୃତ ହେବେ ବୋଲି ସରକାର ଆକଳନ କରୁଛନ୍ତି?
‘ଦେଶରେ କେବଳ ଚାରିଗୋଟି ଜାତି ଅଛନ୍ତି; ଗରିବ, ଅନ୍ନଦାତା, ଯୁବା ଓ ମହିଳା’- ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତ୍ରକୁ ନେଇ ଆମେ କାର୍ଯ୍ୟ କରୁଛୁ। ତେଣୁ ଆମ ସରକାର କେବଳ ମହିଳା ନୁହେଁ; ଏସବୁ ବର୍ଗର କଲ୍ୟାଣ ପାଇଁ କାମ କରୁଛି। ମହିଳାମାନେ ଜନସଂଖ୍ୟାର ପ୍ରାୟ ଅଧା। ରାଜ୍ୟର ଅଧିକାଂଶ ମହିଳା ଏବେ ବି ମୁଖ୍ୟସ୍ରୋତକୁ ଆସି ନାହାନ୍ତି। ତେଣୁ ସେମାନଙ୍କ ବିକାଶ ଆମର ପ୍ରାଥମିକତା। ଆପଣ ଜାଣନ୍ତି, ଏକ କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ଯୋଡ଼ି ହୋଇଛନ୍ତି। ୧୭ ଲକ୍ଷ ପାଖାପାଖି ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। ଏହା ଏକ ସାଧାରଣ ସହାୟତା ଯୋଜନା ନୁହେଁ। କ୍ଷୁଦ୍ର ବ୍ୟବସାୟ ଜରିଆରେ, ମା’ ମାନେ ଆର୍ଥିକ ଦୃଷ୍ଟିରୁ ସ୍ବତନ୍ତ୍ର ହୋଇ, ପରିବାରରେ ଓ ସମାଜରେ ନିଜର ଯେପରି ଏକ ପରିଚୟ ସୃଷ୍ଟି କରିବେ, ତାହା ହେଉଛି ଆମର ଲକ୍ଷ୍ୟ। ମହିଳାଙ୍କ ବିକାଶ ପାଇଁ କେବଳ ଚଳିତ ବଜେଟରେ ୮୯,୮୬୧ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଏହା ଆମର ରାଜ୍ୟର ମହିଳାଙ୍କ ପାଇଁ ପ୍ରତିବଦ୍ଧତା; ଆମ ପାଇଁ ମହିଳା ସଶକ୍ତୀକରଣ ଏକ ସ୍ଲୋଗାନ୍ କି ଭୋଟ ପାଇବା ମାଧ୍ୟମ ନୁହେଁ।
ଆପଣ ଯେବେ ମହିଳାଙ୍କ ପାଇଁ ଯୋଜନା କଲେ, ସେବେ ବିରୋଧୀ ଆପଣଙ୍କ ସରକାରଙ୍କୁ ମହିଳା ହିଂସା ପ୍ରସଙ୍ଗରେ ଘେରିଲେ। ତାର ଜବାବ କେମିତି ଦେବେ?
ବିରୋଧୀ ଦଳଙ୍କ ବିରୋଧ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ମହିଳା ହିଂସା ଉପରେ ଆମର ନୀତି ହେଉଛି ଶୂନ୍ୟ ସହନଶୀଳତା। ଏକଥା ମୁଁ ପୁଲିସ ପ୍ରଶାସନକୁ ବିଭାଗୀୟ ବୈଠକରେ, ଏପରିକି ସାଧାରଣ ସଭାରେ ମଧ୍ୟ ଚେତାଇ ଦେଇଛି। ଜିରୋ ଏଫ୍.ଆଇ.ଆର୍ ଉପରେ ବାରମ୍ବାର ଗୁରୁତ୍ବ ଦେଇଆସିଛି। ଅନେକ ସମସ୍ୟା ପୂର୍ବରୁ ରହିଛି । ମହିଳା ହିଂସା ଉପରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛି।
ଯେଉଁମାନେ ମହିଳା ହିଂସା କଥା କହୁଛନ୍ତି, ସେମାନଙ୍କୁ ପଚାରନ୍ତୁ ଗତ ଦୁଇ ଦଶନ୍ଧିରେ ଦଣ୍ଡବିଧାନ ହାର କେତେ ଥିଲା? ୯.୪%, ସାରା ଭାରତ ବର୍ଷରେ ବୋଧହୁଏ ସର୍ବନିମ୍ନ। ଏହା ଲଜ୍ଜାଜନକ ନୁହେଁ କି?
ନୂଆ ଆପରାଧିକ ଆଇନ କାର୍ଯ୍ୟକାରୀ ହେବା ଠାରୁ ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବୃଦ୍ଧି ପାଉଛି। ଦଣ୍ଡହାର ବୃଦ୍ଧି କରିବା ପାଇଁ ଚାରିଗୋଟି ମହିଳା ହିଂସା ବିରୋଧୀ କୋର୍ଟ ବି ସ୍ଥାପିତ ହେଉଛି।
ଓଡ଼ିଶାରେ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଆଉ କିଛି ସ୍ବପ୍ନ ଅଛି?
ମହିଳାମାନେ ଆର୍ଥିକ, ସାମାଜିକ ଓ ଅର୍ଥନୈତିକ ସ୍ତରରେ ସଶକ୍ତ ହେଲେ, ସେମାନେ ସବୁ କ୍ଷେତ୍ରରେ ସମ୍ମାନ ପାଇବେ। ତେଣୁ ସେମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ପାଇଁ ଆମର ଉଦ୍ୟମ ଜାରି ରହିବ। ଆମେ ସୁଭଦ୍ରା ମା’ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହୁଁଛୁ।
ଆପଣ ରାଜ୍ୟକୁ ନିବେଶ ଆଣିବା ଲାଗି ଭୁବନେଶ୍ବରରେ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ଆୟୋଜନ କଲେ। ଶିଳ୍ପପତିଙ୍କୁ ଡାକିଲେ। ଓଡ଼ିଶାରେ ଶିଳ୍ପ ସ୍ଥାପନ କେତେ ଫଳବତୀ ହେବ?
ଆପଣଙ୍କ ପ୍ରଶ୍ନ ହିଁ ଭୁଲ। ପଚାରନ୍ତୁ ଉତ୍କର୍ଷ ଓଡ଼ିଶା ଫଳବତୀ ହେବାର କାରଣ କ’ଣ? ଉତ୍କର୍ଷ ଓଡ଼ିଶାର ମାତ୍ର ୧୨୫ ଦିନରେ ପ୍ରାୟ ୧ ଲକ୍ଷ ୭୮ ହଜାର କୋଟି ଟଙ୍କାର ୫୬ ଗୋଟି ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ୍ ହୋଇ ସାରିଲାଣି। ଏହି ସବୁ ପ୍ରକଳ୍ପ ୧ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିବ। ଆସନ୍ତା ଦିନରେ ରାଜ୍ୟରେ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି, ପ୍ରତି ଜିଲ୍ଲାରେ ହେବ ଶିଳ୍ପାୟନ।
ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ କିମ୍ବା ପଡ଼ୋଶୀ ତେଲେଙ୍ଗାନା କି ଆନ୍ଧ୍ରପ୍ରଦେଶ ତୁଳନାରେ ଆମ ଏଠାକାର ବ୍ୟବସାୟ ଅନୁକୂଳ ବାତାବରଣ କ’ଣ ଉତ୍କୃଷ୍ଟ ବୋଲି ଦାବି କରିବେ?
ଆପଣ ଯେଉଁ ରାଜ୍ୟମାନଙ୍କର ନାଁ ନେଉଛନ୍ତି, ସେମାନେ ବହୁ ପୂର୍ବରୁ ଶିଳ୍ପରେ ବହୁତ ଆଗରେ ଥିଲେ। କିନ୍ତୁ, ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ପାଇଁ ସବୁକିଛି ଉପାଦାନ ମହଜୁଦ ଥିବା ବେଳେ, ରାଜନୈତିକ ଇଚ୍ଛାଶକ୍ତି ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁଁ ରାଜ୍ୟକୁ ଉଦ୍ୟୋଗୀମାନେ ଅଣଦେଖା କରୁଥିଲେ। ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି। ଉତ୍କର୍ଷ ଓଡ଼ିଶାର ସଫଳତା ଏବଂ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପର ଗ୍ରାଉଣ୍ଡିଙ୍ଗ୍ ଏହାର ଉଦାହରଣ।
ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ଆପଣଙ୍କ ସରକାର ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ରାଜ୍ୟରେ ଲାଗୁ କରିଛନ୍ତି। ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁମୁଖରେ ପଡ଼ୁଥିବା ଭଳି ଖବର ଆସିବା କିନ୍ତୁ ଥମିନାହିଁ। ଏସବୁ ଆପଣଙ୍କ ମନକୁ ଛୁଉଁନି?
ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବା ପରେ ଓଡ଼ିଶାରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆସିଛି । ଆଜି ଓଡ଼ିଶାର ଲୋକେ ଦେଶର ୨୯ ହଜାର ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୪,୦୦୦ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ଆଗକୁ ଆହୁରି ୫,୦୦୦ ଡାକ୍ତର ନିଯୁକ୍ତ ହେବେ। ଫୁଲବାଣୀ ଓ ଅନୁଗୁଳରେ ନୂଆ ମେଡିକାଲ କଲେଜ ଖୋଲିବା ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଭଦ୍ରକ, ନବରଙ୍ଗପୁର, ଜଗତସିଂହପୁର ଓ ଢେଙ୍କାନାଳରେ ନୂତନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି।
ରାଜ୍ୟରେ ଡବଲ୍ ଇଂଜିନ୍ ସରକାର ଚାଲିଛି। ଏପରି କୌଣସି ଉଲ୍ଲେଖନୀୟ ଉପଲବ୍ଧି ହାସଲ ହୋଇଛି କି ଯାହା ପୂର୍ବ ସରକାରରେ ନଥିଲା?
ସଂପୂର୍ଣ୍ଣ ଠିକ୍ । ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳ ଶାସନରେ ରହିଲେ, ପ୍ରଶାସନିକ ପ୍ରକ୍ରିୟାରେ ଅଧିକ ସମନ୍ବୟ ଆସିଥାଏ। ନୀତି ଓ ଯୋଜନାରେ ମଧ୍ୟ ସମନ୍ବୟ ରହିଥାଏ। ଯେଉଁ କେନ୍ଦ୍ରୀୟ ଯୋଜନାଗୁଡ଼ିକ ଅଟକି ରହିଥିଲା, ଲୋକେ ତା’ର ସୁଫଳ ପାଇବାରୁ ବଞ୍ଚିତ ହେଉଥିଲେ, ଏବେ ସେଗୁଡ଼ିକ କାର୍ଯ୍ୟକାରୀ ହୋଇଛି। ଆମ ସରକାର ଆସିବା ପରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ରେଳ ଓ ସଡ଼କ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ଆହ୍ବାନ ଦେଇଥିଲେ । ଆଜି ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ ସଫଳତା ହାସଲ କରିପାରୁଛି। ଉଭୟଙ୍କ ନୀତିରେ ସାମଞ୍ଜସ୍ୟ ଯୋଗୁ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁଛି।
ନୂଆ ଯୋଜନା ପ୍ରଣୟନ ଯେତିକି ଗୁରୁତ୍ବପୂର୍ଣ୍ଣ, ତା’ଠାରୁ ଢେର ଅଧିକ ଗୁରୁତ୍ବପୂର୍ଣ୍ଣ ଯୋଜନାର ରୂପାୟନ। ଆପଣଙ୍କ ପ୍ରଶାସନିକ କଳ କେତେ ସଫଳ?
ସରକାର ଶାସନକୁ ଆସିବା ପରେ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳାଙ୍କୁ ଯୋଡ଼ିବା, ୧୭ ଲକ୍ଷ ଚାଷୀଙ୍କୁ ଧାନରେ କ୍ବିଣ୍ଟାଲ୍ ପିଚ୍ଛା ୮୦୦ ଟଙ୍କା ଇନପୁଟ୍ ସହାୟତା ପ୍ରଦାନ, ଉତ୍କର୍ଷ ଓଡ଼ିଶାର ସଫଳତା ଓ ୪ ମାସ ମଧ୍ୟରେ ଦେଢ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ, ଏହା କ’ଣ ଆମ ଯୋଜନାର ସଫଳ ରୂପାୟନର ପ୍ରତିଫଳନ ନୁହେଁ ?
ସରକାରୀ ବାବୁ ଏଯାଏ ଲୋକସେବା ଭବନ ଛାଡ଼ି ଗାଁରେ ରାତି ବିତାଇପାରୁନାହାନ୍ତି। ଆପଣ କେମିତି ଦାବି କରିବେ ଯେ ତୃଣମୂଳସ୍ତରରେ ପ୍ରଶାସନ ପହଞ୍ଚୁଛି?
ଆମର ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀ ମନ୍ତ୍ରୀ କରାଯାଇଛି। ଅଧିକାରୀମାନଙ୍କୁ ନିୟମିତ ଭାବେ ଜିଲ୍ଲା ଗସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ଯଦି ତୃଣମୂଳ ସ୍ତରରେ ପହଞ୍ଚୁ ନଥାନ୍ତା, ତେବେ ଏତେ କମ୍ ସମୟରେ ଏକ କୋଟି ମହିଳା ସୁଭଦ୍ରା ଯୋଜନାରେ ଯୋଡ଼ି ହୋଇପାରି ନଥାନ୍ତେ । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ମୁଁ ନିଜେ ନିୟମିତ ଲୋକଙ୍କୁ ଭେଟୁଛି। ଜିଲ୍ଲାପାଳ,ଏସ୍ପି ମଧ୍ୟ ଲୋକଙ୍କ ସମସ୍ୟା ଶୁଣୁଛନ୍ତି। ଅନ୍ଲାଇନ୍ରେ ୫ ଲକ୍ଷ ଅଭିଯୋଗର ସମାଧାନ କରାଯାଇଛି।
ଅପପୁଷ୍ଟି, ଅନାହାର ମୃତ୍ୟୁ ଓ ଶିଶୁବିକ୍ରି ଭଳି ଅପବାଦର ଟିକା ଓଡ଼ିଶା ମୁଣ୍ଡରେ ଦଶନ୍ଧି ତଳୁ ଲାଗିଛି। ଆପଣଙ୍କ ସମୟରେ ଏହା ଲିଭିବ ନା ସେମିତି ଆଶା କରିବା ଅମୂଳକ ଧରିନେବା?
ଅପପୁଷ୍ଟି ଓଡ଼ିଶାର ଏକ ଦୀର୍ଘସ୍ଥାୟୀ ସମସ୍ୟା। ଏହା ରାତାରାତି ସମାଧାନ ହୋଇ ପାରିବ ନାହିଁ। ଏଥିପାଇଁ ସାମଗ୍ରିକ ପଦକ୍ଷେପ ଆବଶ୍ୟକ। ସରକାର ଏହି ସମସ୍ୟା ପ୍ରତି ସଚେତନ ଅଛନ୍ତି। ରାଜ୍ୟରେ ଅନାହାର ମୃତ୍ୟୁ କିମ୍ବା ଖାଦ୍ୟ ପାଇଁ ଶିଶୁବିକ୍ରି ପରି ସମସ୍ୟା ନାହିଁ। ରାଜ୍ୟର ଆର୍ଥିକ ବିକାଶ ଓ ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ଆମେ ପଦକ୍ଷେପ ନେବା ଆରମ୍ଭ କରିଛୁ । ସବୁ ବର୍ଗର ଲୋକଙ୍କ ସଶକ୍ତୀକରଣ ପାଇଁ ସଫଳ ଉଦ୍ୟମ ଆରମ୍ଭ ହୋଇଛି। ଏସବୁ ସମସ୍ୟା ନିଶ୍ଚିତ ଭାବରେ ଦୂର ହୋଇଯିବ।
‘ଓଡ଼ିଆ ଅସ୍ମିତା’କୁ ପ୍ରସଙ୍ଗ କରି ଆପଣ ସରକାରକୁ ଆସିଛନ୍ତି। ଓଡ଼ିଆ ଭାଷାର ଭବିଷ୍ୟତ ନେଇ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା, ତାର ପରିସମାପ୍ତି ହେବ ତ?
ଆମ ସରକାର ଆସିବା ପରେ ଓଡ଼ିଆ ଭାଷାର ବ୍ୟବହାର ବଢ଼ିଛି। ସରକାରୀ ଓ ବେସରକାରୀ ସ୍ତରରେ ମଧ୍ୟ ଓଡ଼ିଆ ଭାଷାର ଅଧିକ ବ୍ୟବହାର ହେଉଛି । ପ୍ରଥମ ଥର ପାଇଁ ଓଡ଼ିଆ ପକ୍ଷ ପାଳନ ହୋଇଛି। ଓଡ଼ିଆ ଅସ୍ମିତା ଭବନ, ବିଶ୍ବସ୍ତରୀୟ ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ ଓ ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା କରାଯିବ। ଓଡ଼ିଆ ଭାଷାର ଭବିଷ୍ୟତ ଖୁବ ଉଜ୍ଜଳ।
୨୦୩୬ରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଶହେବର୍ଷ ପାଳନ କରିବ। ମୁଖ୍ୟମନ୍ତ୍ରୀ ଭାବେ ଆପଣ କିଭଳି ଓଡ଼ିଶା ଦେଖିବାକୁ ଚାହାନ୍ତି?
୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଆମର ଲକ୍ଷ୍ୟ। ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ - ସବୁ ସ୍ତରରେ ଯେପରି ଓଡ଼ିଶା ସମୃଦ୍ଧ ହେବ, ତାହା ଆମର ଲକ୍ଷ୍ୟ। ଓଡ଼ିଶାର ନାଗରିକଙ୍କ ଚିନ୍ତାଧାରା ମଧ୍ୟ ସମୃଦ୍ଧ ହେବ। ଓଡ଼ିଶାବାସୀ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରି ବିଶ୍ବ ସ୍ତରରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି କରିବେ। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ୫୦୦ ନିୟୁତ ଡଲାର ଅର୍ଥନୀତି ଏବଂ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ଭିତରେ ଦେଖିବାକୁ ଚାହୁଁଛି ଏବଂ ଏଥିପାଇଁ ୨୦୩୬ ପାଇଁ ୩୬ ଯୋଜନା ଏହି ଲକ୍ଷ୍ୟ ହାସଲ କରିବାରେ ସାର୍ଥକ ହେବ।
ବିଦ୍ୟାଳୟ ପାଠପଢ଼ାରୁ ରାଜନୀତି। ଏବେ ମୁଖ୍ୟମନ୍ତ୍ରୀ। ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଦୁଃଖସୁଖ ଆପଣଙ୍କ ଠାରୁ ଅଧିକ କିଏ ଜାଣିବ? ସ୍କୁଲକୁ ଶୈକ୍ଷିକ ବାତାବରଣ କଣ ଫେରିପାରିବନି?
ନିଶ୍ଚୟ ଫେରିବ। ଆମ ସରକାର ପ୍ରଥମରୁ ହିଁ ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ନୂତନ ଶିକ୍ଷା ନୀତି ଲାଗୁ କରିବା, ଶିଶୁ ବାଟିକା ଆରମ୍ଭ କରିବା, ବିଦ୍ୟାରମ୍ଭ କରୁଥିବା ପିଲାଙ୍କ ପାଇଁ ଖଡ଼ିଛୁଆଁ ଏ ସବୁ କାର୍ଯ୍ୟକ୍ରମ ହେଉଛି ବିଦ୍ୟାଳୟରେ ଶିକ୍ଷା ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିବା। ଏହା ସହିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଓ ଆହୁରି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି।
ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି। କେବେ ଶିକ୍ଷକ ଲୋୟର ପିଏମଜି ଆସିବେନି, ଆମ ଛାତ୍ରଛାତ୍ରୀଙ୍କୁ ପାଠ ଆସୁଛି ବୋଲି ଅସର୍ ରିପୋର୍ଟରେ ପ୍ରକାଶ ପାଇବ?
ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେବାକୁ ଯାଉ ନାହିଁ, ଚଳିତ ଶିକ୍ଷା ବର୍ଷରୁ ଲାଗୁ ହୋଇ ସାରିଛି। ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପାଇଁ ଯେଉଁ ସବୁ ପଦକ୍ଷେପ ନିଆ ଯାଇଛି, ତାହା ତ ସବୁ କହିଲି। ପିଲାମାନଙ୍କ ମୌଳିକ ଜ୍ଞାନରେ ନିଶ୍ଚୟ ଉନ୍ନତି ଆସିବ। ଶିକ୍ଷକମାନେ ବିଭିନ୍ନ କାରଣରୁ ଆନ୍ଦୋଳନ କରନ୍ତି। ଶିକ୍ଷକମାନଙ୍କ ସମସ୍ୟା ସମାଧାନ ପାଇଁ ଆମର ଉଦ୍ୟମ ଜାରି ରହିବ।
ସରକାରୀ ବିଶ୍ବବିଦ୍ୟାଳୟ ଘରୋଇ ବିଶ୍ବବିଦ୍ୟାଳୟକୁ କେମିତି ଟପିବେ? ସେ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର କ’ଣ ହେବ?
କୁଳପତି ନିଯୁକ୍ତି ପାଇଁ ବିଜ୍ଞାପନ ବାହାରି ସାରିଲାଣି। ଖୁବ୍ ଶୀଘ୍ର ବିଶ୍ବବିଦ୍ୟାଳୟ କୁଳପତି ସହିତ ଅଧ୍ୟାପକ ପଦବି ପୂରଣ ହେବ। ସବୁ ସମସ୍ୟା ଧୀରେ ଧୀରେ ଦୂର ହେବ। ନୂତନ ଶିକ୍ଷା ନୀତି ଲାଗୁ ହେବା ପରେ ବିଶ୍ବବିଦ୍ୟାଳୟଗୁଡ଼ିକ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଅଧିକ ସଫଳ ହେବେ ବୋଲି ଆଶା।
ସୀମା, ନଦୀ ବିବାଦକୁ ନେଇ ପଡ଼ୋଶୀଙ୍କ ସହ ଆମ କଳି ଢେର୍ ଦିନ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ ବସି ଆପଣ ସମାଧାନ ପାଇଁ କହିଲେଣି?
ଏ ସମସ୍ୟା ବହୁତ ପୁରୁଣା। ଏହାର ସମାଧାନ ପାଇଁ ଆମ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।
ଓଡ଼ିଶାରୁ ଖଣିଜ ସଂପଦ ପଡ଼ିଶା ନେଉଛନ୍ତି। ନିଜେ ସ୍ବୀକାର କଲେଣି ଯେ ଖଣି ଚୋରି ରୋକାଯାଇପାରିବନି। ଲଘୁ ଖଣିଜ ସଂପଦ ଚୋରା କାରବାରରେ କେବେ ପୂର୍ଣ୍ଣଛେଦ ପଡ଼ିବ?
ଆପଣ ଯେତେ ପ୍ରକାର ବ୍ୟବସ୍ଥା କଲେ ବି କିଛି ଲୋକ ଅଛନ୍ତି ସୁରକ୍ଷା ବଳୟ ଭିତରେ ପଶି ଅପରାଧ କରିବେ। କିନ୍ତୁ, ଅପରାଧ ପରେ ତାର ପରିଣତି ଭଯାବହ ହେବା ଦରକାର, ଯାହା ଚୋରଙ୍କ ମନରେ ଭୟ ସୃଷ୍ଟି କରିବ। ତେଣୁ, ଖଣି ଚୋରି କ୍ଷେତ୍ରରେ ବି ଠିକ୍ ସେଇଆ କରାଯାଉଛି। ଖଣିଜ ସଂପଦ ଚୋରି ରୋକିବା ପାଇଁ ଆମେ ଦୃଢ଼ ପଦକ୍ଷେପ ନେଉଛୁ। ଏବେ ନିକଟରେ ସୁନ୍ଦରଗଡ଼ ଖଣି ଦୁର୍ନୀତି ପ୍ରସଙ୍ଗରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି। ଲଘୁ ଖଣିଜ ଚୋରା କାରବାର ରୋକିବା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଖୁବ୍ ଶୀଘ୍ର ଏଥିରେ ଉନ୍ନତି ପରିଲକ୍ଷିତ ହେବ।
ସରକାରକୁ ବର୍ଷେ ହେଲାଣି। ଅନେକ କମିସନ, ନିଗମ ଏବଂ ସରକାରୀ ଓକିଲ ନିଯୁକ୍ତି ହୋଇପାରୁନି। ଏସବୁ ସରକାରଙ୍କ ବିଫଳତା ତାଲିକାରେ ରହିବନି କି?
ଉପଯୁକ୍ତ ବିଚାର ଆଲୋଚନା ପରେ ନିଯୁକ୍ତି ଦିଆଯିବ।
କ୍ୟାବିନେଟ ସହଯୋଗୀଙ୍କ ସଂଖ୍ୟା ବଢ଼ାଇବେନି?
ଠିକ୍ ସମୟରେ ସବୁ ହେବ। ଯେତେବେଳେ ହେବ, ଆପଣ ଜାଣିବେ।
ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବରେ ଓଡ଼ିଶା ଅସ୍ତବ୍ୟସ୍ତ। ସରକାର ସ୍ବତନ୍ତ୍ର ନୀତି ଆଣିବେ ନା କେବଳ ବୃକ୍ଷରୋପଣରେ ଅଟକିଯିବେ?
ଜଳବାୟୁ ପରିବର୍ତ୍ତନ ଏକ ବିଶ୍ବସ୍ତରୀୟ ସମସ୍ୟା। କାରଣ ମଧ୍ୟ ବିଶ୍ବସ୍ତରୀୟ। ଆମ ସ୍ତରରେ ଯାହା ସମ୍ଭବ ନିଶ୍ଚୟ କରିବୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅଫିସ୍ରେ ଏକ ସ୍ବତନ୍ତ୍ର ପରାମର୍ଶଦାତା ସେଲ୍ ଖୋଲିବା ପାଇଁ ବିଚାର ବିମର୍ଶ ଚାଲିଛି।
ନବୀନ ସରକାର ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀ କରାଯିବ ବୋଲି ଘୋଷଣା କରିଥିଲେ। ହକିରେ ଅଟକିଗଲେ। ନୂଆ ସରକାର ଖେଳ ପାଇଁ କି କି ଯୋଜନା କରୁଛନ୍ତି?
କ୍ରୀଡାର ଉନ୍ନତି ଆମର ପ୍ରାଥମିକତା। ବ୍ଲକ୍ ସ୍ତରରେ ଷ୍ଟାଡିୟମ୍ ସ୍ଥାପନ କରିବା, ବିଭିନ୍ନ କ୍ରୀଡ଼ାରେ ବିଶ୍ବସ୍ତରୀୟ କ୍ରୀଡାବିତ୍ ସୃଷ୍ଟି ପାଇଁ ଏକାଡେମୀ ସ୍ଥାପନ ପାଇଁ ପଦକ୍ଷେପ ନିଆ ଯାଉଛି। ସ୍ଥାନୀୟ ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଆନ୍ତର୍ଜାତିକ ସ୍ତରର କ୍ରୀଡାବିତ୍ ପ୍ରସ୍ତୁତ କରାଯିବ। ବ୍ୟାଡମିଣ୍ଟନ, ଫୁଟବଲ୍ , କବାଡି, ଖୋ ଖୋ, ସବୁ ଖେଳକୁ ଗୁରୁତ୍ବ ଦିଆଯିବ। ହକିରେ ସୀମିତ ରହିବୁ ନାହିଁ।
ଚାଷୀର ଆୟ ଦ୍ବିଗୁଣିତ ହେବ। ଏକଥା ଆପଣ ବି ଭାଷଣରେ କହିଲେଣି। ସରକାର କେବେ ସୁଦ୍ଧା ଏହି ଲକ୍ଷ୍ୟ ଛୁଇଁବେ?
ଭଲ ପ୍ରଶ୍ନ। ଆପଣ ଜାଣିଛନ୍ତି, ଗତ ସରକାର ଅମଳରେ ଓଡ଼ିଶାରେ ଚାଷୀ ପରିବାରର ମାସିକ ଆୟ କେତେ ଥିଲା। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ୨୦୨୨ ମସିହା ପାଇଁ ଏହା ଥିଲା ୫,୧୧୨ ଟଙ୍କା ଅର୍ଥାତ ବାର୍ଷିକ ୬୨,୦୦୦ ଟଙ୍କା। କିନ୍ତୁ କେବଳ ସମୃଦ୍ଧ କୃଷକ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି, ସିଏମ୍ କିଷାନ ଏବଂ ସୁଭଦ୍ରା ଯୋଜନାକୁ ମିଶେଇଲେ (କାରଣ ସବୁ ଚାଷୀ ପରିବାରରେ ଅତି କମରେ ଜଣେ ସୁଭଦ୍ରା ହିତାଧିକାରୀ ନିଶ୍ଚୟ ଥିବେ) ସେମାନଙ୍କ ଆୟରେ ବାର୍ଷିକ ଅତି କମରେ ୩୦ ହଜାର ଟଙ୍କା ବୃଦ୍ଧି ହୋଇଛି। ଏହା ତ କେବଳ ଆରମ୍ଭ ମାତ୍ର। ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଚାଷୀ ଅନୁକୂଳ କାର୍ଯ୍ୟକ୍ରମ ଦ୍ବାରା ଦୁଇଗୁଣା ନୁହେଁ, ଚାଷୀଙ୍କ ଆୟ ବହୁଗୁଣିତ ହେବ।
କେବେ ସୁଦ୍ଧା ଆମ ନିଜ ରାଜ୍ୟର ପନିପରିବା, ଅଣ୍ଡା, କ୍ଷୀର, ଫଳ ଆମ ଲୋକ ଖାଇବେ?
ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ କାମଧେନୁ ଯୋଜନା କରାଯାଇଛି। ସେହିପରି ମାଛ, ଅଣ୍ଡା, ପରିବା, ଆଦିର ଉତ୍ପାଦନ ବୃଦ୍ଧି ପାଇଁ ମଧ୍ୟ ସ୍ବତନ୍ତ୍ର ଯୋଜନା କରାଯାଇଛି। ନୂଆ ପ୍ରଯୁକ୍ତିର ବ୍ୟବହାର, ଉନ୍ନତ ବିହନ, ଋଣ ସୁବିଧା, ସୁଧ ରିହାତି, ମାର୍କେଟ ଲିଙ୍କେଜ୍ ଆଦି ବିଭିନ୍ନ ବ୍ୟବସ୍ଥା କରାଯାଇ ଏ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।
ଆଇନଶୃଙ୍ଖଳା ଗୋଟେ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ପୁଲିସ ଲୋକଙ୍କ ବିଶ୍ବାସଭାଜନ ହୋଇପାରୁନି। ବ୍ଲକରୁ ପିସି ବନ୍ଦ ହୋଇନି। ଭ୍ରଷ୍ଟାଚାରୀକୁ ଦଣ୍ଡ ମିଳିବା କ୍ଷେତ୍ରରେ କାଳକ୍ଷେପଣ ନୀତି ଅବଲମ୍ବନ ହେଉଛି। ଏସବୁ ଅଭିଯୋଗରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ?
ଏ ସବୁ ଦୀର୍ଘକାଳୀନ ସମସ୍ୟା। ବହୁତ ଆଗରୁ ଏ ସବୁ ଚାଲିଛି। ସରକାର ପରିବର୍ତ୍ତନ ହୋଇଛି। ଅଧିକାରୀମାନଙ୍କୁ ବୃତ୍ତିଗତ ଦକ୍ଷତା ସହ ଲୋକଙ୍କ ସେବା କରିବାକୁ ଉଭୟ ସରକାରୀ ଓ ପବ୍ଲିକ ଫୋରମ୍ରେ ମୁଁ ବାରମ୍ବାର ନିର୍ଦ୍ଦେଶ ଦେଇଆସିଛି। ଦୁର୍ନୀତି ବିରୋଧରେ ମଧ୍ୟ ଆମ ସରକାର ଦୃଢ ପଦକ୍ଷେପ ଗ୍ରହଣ କରୁଛି। ଦୁର୍ନୀତି ଅଭିଯୋଗରେ ୨୦୫ ଜଣ ଅଧିକାରୀ ଗିରଫ ହୋଇଥିବା ବେଳେ, ତନ୍ମଧ୍ୟରୁ ୪୪ ଜଣ ହେଉଛନ୍ତି ପ୍ରଥମ ଶ୍ରେଣୀ ପାହ୍ୟା ଅଧିକାରୀ। ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବୃଦ୍ଧି ପାଇଛି।
ଆପଣଙ୍କ ସରକାର ଯଦି ପ୍ରଶଂସାର ପାତ୍ର; ତେବେ କେଉଁ ପାଞ୍ଚଟି କଥାକୁ ଆପଣ ଉଦାହରଣ ଭାବେ ରଖିବେ?
ଦକ୍ଷ ଅଭିଯୋଗ ଶୁଣାଣି ଓ ସମାଧାନ ବ୍ୟବସ୍ଥା, ଓଡ଼ିଆ ଅସ୍ମିତା ଉପରେ ଗୁରୁତ୍ବ, ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ ସହାୟତା, ସୁଭଦ୍ରା ଯୋଜନାରେ ଏକ କୋଟି ମହିଳାଙ୍କ ସଶକ୍ତୀକରଣ, ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ, ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗଙ୍କ ପାଇଁ ଉଚ୍ଚ ଶିକ୍ଷାରେ ସଂରକ୍ଷଣ । ଉତ୍କର୍ଷ ଓଡିଶା ଜରିଆରେ ରେକର୍ଡ ୧୭ ଲକ୍ଷ କୋଟି ପରିମାଣରେ ପୁଞ୍ଜି ଆକର୍ଷଣ ଏବଂ ଏହାର ଚାରି ମାସ ମଧ୍ୟରେ ଦେଢ଼ ଲକ୍ଷ କୋଟି ଟଙ୍କାର ଶିଳ୍ପ ପାଇଁ ଶିଳାନ୍ୟାସ। ପାଞ୍ଚରୁ ବହୁ ଅଧିକ।
ସରକାରର ଦ୍ବିତୀୟ ବର୍ଷ ପାଇଁ ଆପଣଙ୍କର ଖାସ୍ ଯୋଜନା କ’ଣ? ଓଡ଼ିଶାବାସୀଙ୍କୁ ଆପଣ କ’ଣ କହିବାକୁ ଚାହିଁବେ?
ରାଜ୍ୟ ଓ ଲୋକଙ୍କ ଆବଶ୍ୟକତା ଓ ଲକ୍ଷ୍ୟକୁ ନେଇ ଯୋଜନା କରାଯାଏ। ବର୍ଷ ପୂର୍ତ୍ତି ଏହାର ଏକ ଆବଶ୍ୟକ କାରଣ ନୁହେଁ। ଭବିଷ୍ୟତ ପାଇଁ ଯେଉଁ ସବୁ ଲକ୍ଷ୍ୟ ରଖାଯାଇଛି, ସେସବୁ ପୂରଣ ପାଇଁ ଉଦ୍ୟମ କରାଯିବ। ପ୍ରଥମ ବର୍ଷରେ ପରିକଳ୍ପିତ ବିଭିନ୍ନ ଯୋଜନା, ବିଶେଷ ଭାବେ ଭିତ୍ତିଭୂମି ପ୍ରକଳ୍ପ ସବୁକୁ ନିଶ୍ଚିତ ସମୟସୀମା ଭିତରେ ସାରିବାକୁ ଲକ୍ଷ୍ୟ ରଖିଛି। ସମାଜର ଶେଷ ପାହାଚରେ ଥିବା ଲୋକଟିଏ ପାଖରେ ଯେପରି ସରକାର ପହଞ୍ଚି ପାରିବ ସେ ଦିଗରେ ବ୍ୟକ୍ତିଗତ ଭାବେ ମୁଁ କାର୍ଯ୍ୟରତ। ସେ ଯାଏଁ ଲଢ଼ିିବି।