ଦୁଇ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପିଟିସନ୍ ଦେବି: ନରସିଂହ

ଭୁବନେଶ୍ବର : ବୁଧବାର ଶୂନ୍ୟକାଳ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଗୃହରେ ପ୍ରଶ୍ନ ପଚାରିବାର କିଛି ଅର୍ଥ ନାହିଁ। କାରଣ କିଛି ଉତ୍ତର ମିଳୁନି। ମୁଁ ରାଜସ୍ବ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପିଟିସନ୍ ଦାଖଲ କରିବି। ଦୁଇ ମନ୍ତ୍ରୀ ଗୃହରେ ମୋ ପ୍ରଶ୍ନର ଯେଉଁ ଉତ୍ତର ଦେଇଛନ୍ତି, ବାସ୍ତବରେ ତାହା ଭୁଲ୍‌। ୨୪.୧୧.୨୨ରେ ମୁଁ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ ଉପରେ ପ୍ରଶ୍ନ କରିଥିଲି। ଭୂମିହୀନ ଚାଷୀର ଅର୍ଥ ପଚାରିଥିଲେ ବି ମୋତେ ଉତ୍ତରରେ ଭୂମିହୀନ ବ୍ୟକ୍ତି ବିଷୟରେ କୁହାଯାଇଛି। ସେହିପରି ଚୂଡ଼ାପଲ୍ଲୀ ସିଏଚ୍‌ସି, ଦେଓଗାଁ ସିଏଚ୍‌ସିରେ କେତେ ପଦବି ମଞ୍ଜୁର ହୋଇଛି, କେତେ ଜଣ କାର୍ଯ୍ୟରତ ଅଛନ୍ତି ବୋଲି ପଚାରିଥିବା ପ୍ରଶ୍ନର ଉତ୍ତରରେ ଭୁଲ୍‌ ତଥ୍ୟ ଦିଆଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ଭୁଲ୍‌ ବୋଲି ମୁଁ କାଲି ଜାଣିବାକୁ ପାଇଛି। ବାସ୍ତବ ସ୍ଥିତି ଓ ମନ୍ତ୍ରୀଙ୍କ ଉତ୍ତର ମଧ୍ୟରେ ଭିନ୍ନତା ଥିବାରୁ ମୁଁ ଦୁଇ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପିଟିସନ୍ ଦାଖଲ କରିବି।

ଏହି ଅବସରରେ ଶ୍ରୀ ମିଶ୍ର ବୁକ୍ ସର୍କଲ୍-୪୭ କଥା ପାଳନ ହେଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ମୁଖ୍ୟ ସଚିବ ନିଜେ ଫୋନ୍‌ ଉଠାଉନାହାନ୍ତି କି ପରେ ଫୋନ୍‌ କରୁନାହାନ୍ତି। ଏପରିକି ଯାହା କହିଲେ ବି ତା’ଉପରେ କିଛି ପଦକ୍ଷେପ ନିଅନ୍ତିନି। ଏହା କି ପ୍ରକାର ବ୍ୟବହାର। ମୁଖ୍ୟମନ୍ତ୍ରୀଙ୍କୁ ୫୦୦କୋଟି ଅନୁଦାନ ଦେବାକୁ ଚିଠି ଲେଖିଥିଲି। ହେଲେ ଚିଠି ପାଇଲେ ବୋଲି ପ୍ରାପ୍ତି ସ୍ବୀକାର କି ଚିଠିର ଉତ୍ତର କିଛି ମିଳିଲାନି। ଏଥିରେ ବାଚସ୍ପତି ମହୋଦୟ ହସ୍ତକ୍ଷେପ କରିବାକୁ ମୁଁ ଅନୁରୋଧ କରୁଛି।

ସମ୍ବନ୍ଧିତ ଖବର