ବାପାଙ୍କ ଅଧୁରା ସ୍ବପ୍ନ ପୂରା କରିବି: ବର୍ଷାରାଣୀ

ପଦ୍ମପୁର : ‘ବାପାଙ୍କ ଅଧୁରା ସ୍ବପ୍ନ ପୂରା କରିବି’। ବିଜେଡି ପକ୍ଷରୁ ପ୍ରାର୍ଥୀ ଭ‌ାବେ ମନୋନୀତ ହେବାପରେ ନିଜର ପ୍ରତିକ୍ରିୟାରେ ଏହା କହିଛନ୍ତି ବର୍ଷାରାଣୀ ସିଂ ବରିହା। ବର୍ଷାରାଣୀ ହେଉଛନ୍ତି ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଓ ତିଳୋତ୍ତମା ସିଂ ବରିହାଙ୍କ ବଡ଼ଝିଅ।

୧୯୯୩ ଅଗଷ୍ଟ ୧୯ ତାରିଖରେ ବର୍ଷାରାଣୀଙ୍କ ଜନ୍ମ। ପଦ୍ମପୁର ସରସ୍ୱତୀ ଶିଶୁ ମନ୍ଦିରରୁ ସେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ସ୍କୁଲ୍‌ ଶିକ୍ଷାପରେ ଭୁବନେଶ୍ବର ବିଜେବି କଲେଜରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଇତିହାସ ପାଠ୍ୟକ୍ରମରେ ସ୍ନାତକୋତ୍ତର ଓ ବେଙ୍ଗାଲୁରୁରେ ଆଇନରେ ଡିଗ୍ରି ହାସଲ କରିଥିଲେ। କିଛିମାସ ପୂର୍ବରୁ ସେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ରମାରଞ୍ଜନ ବଳିୟାର ସିଂଙ୍କ ପୁଅ ସ୍ମୃତିସୌରଭ ବଳିୟାର ସିଂଙ୍କୁ ବିବାହ କରିଛନ୍ତି। ସୋମବାର ଦିନ ବିଜେଡିର ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା ହେବାପ‌ରେ ତାଙ୍କ ବାସଭବନକୁ ଦଳୀୟ କର୍ମୀ ଓ ଶୁଭେଚ୍ଛୁଙ୍କ ସୁଅ ଛୁଟିଛି।

ବର୍ଷାରାଣୀ ନିଜର ପ୍ରତିକ୍ରିୟାରେ କହିଛନ୍ତି, ‘ ମୁଁ ଏକ ରାଜନୈତିକ ପରିବାରରେ ଜନ୍ମଲାଭ କରିଛି। ପିଲାବେଳୁ ବାପାଙ୍କ ସବୁ ରାଜନୈତିକ ଜୀବନ ଦେଖିଛି। ଅଞ୍ଚଳର ବିକାଶ ପାଇଁ ବାପା ଅନେକ କାର୍ଯ୍ୟ କରିଛନ୍ତି। ତାଙ୍କ ଅଧୁରା କାର୍ଯ୍ୟ ପୂରଣ ପାଇଁ ମୁଁ ପରିଶ୍ରମ କରିବି’। ଏଥିସହିତ, ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଛନ୍ତି।

ସମ୍ବନ୍ଧିତ ଖବର