ଭୁବନେଶ୍ବର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ବାଲାଜୀ ବିଦ୍ୟାପୀଠରେ ହେବାକୁ ଥିବା ସଭାରେ ଯୋଗଦେବାକୁ ଭୁବନେଶ୍ବରରୁ ଯିବି। ‌ମୋର ଯାହା ସୂଚନା ଅଛି ବିଜେଡି କର୍ମୀ ମୋତେ ଅଟକାଇବେ କିମ୍ବା ଆକ୍ରମଣ କରିବେ। ତେଣୁ ମୁଁ ସଭାକୁ ଯିବା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ଅର୍ଡର ଅଫ୍ ପ୍ରିସିଡେନ୍ସ ଯାହା ଅଛି, ସେ ଅନୁସାରେ ମୁଖ୍ୟ ସଚିବ, ବିଧାନସଭା ସଚିବ ପଦକ୍ଷେପ ନେବା ଦରକାର। ଯଦି ବାଟରେ ମୋର କିଛି ଅସୁବିଧା ହୁଏ ତେବେ ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରୀ ହିସାବରେ ଦାୟୀ ରହିବେ। ସେଥିପାଇଁ ଡିଜିପି, ମୁଖ୍ୟ ଶାସନ ସଚିବ, ବିଧାନସଭା ସଚିବ, ଖୋର୍ଦ୍ଧା ଏବଂ ଗଞ୍ଜାମ ଏସ୍‌ପିଙ୍କୁ ଜଣାଇଛି। ବିଧାୟକଙ୍କ ଉପରେ ଆକ୍ରମଣ ମାନେ ଗଣତନ୍ତ୍ର ବ୍ୟବସ୍ଥା ଉପରେ ଆକ୍ରମଣ। ଆଜି ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏଭଳି କହିଛନ୍ତି। ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ବ୍ରହ୍ମପୁରରେ କରିବାକୁ ଥିବା ସଭାରେ ସ୍ଥାନୀୟ ବିଧାୟକ ଭାବେ ଯୋଗଦେବି। ଏହି କାର୍ଯ୍ୟକ୍ରମରୁ ମୋତେ ଦୂରେଇ ରଖିବାକୁ ଗଞ୍ଜାମରେ ବିଜେଡିର ୨ହଜାର ପିଲାଙ୍କୁ ନିୟୋଜିତ କରାଯାଇଛି।

Advertisment

ବିଧାୟକ କହିଛନ୍ତି, ଗତ ଅଗଷ୍ଟ ୧୬ତାରିଖରୁ ୨୩ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ଉନ୍ନୟନ କମିସନର, ଗୃହ ସଚିବ, ପୁଲିସ ଡିଜି, ଗଞ୍ଜାମ ଜିଲ୍ଲାପାଳଙ୍କୁ ସେ ଏକ ଚିଠି ଲେଖିଥିଲେ। ଏହାର ଉତ୍ତର ମିଳିନି। ନିୟମ ଅନୁସାରେ, ବିଧାୟକଙ୍କ ଚିଠିର ତୁରନ୍ତ ଉତ୍ତର ଦେବାକୁ ସରକାରୀ ଅଧିକାରୀ ବାଧ୍ୟ। ହେଲେ ଦେଢ଼ବର୍ଷ ହେଲା ଗଞ୍ଜାମ ଜିଲ୍ଲାପାଳଙ୍କୁ ଯାହା ଚିଠି ଲେଖିଲେ ବି ଉତ୍ତର ମିଳୁନାହିଁ। ଏପରିକି ୨୦୨୦ ପର୍ଯ୍ୟନ୍ତ ମୁଁ ବିଧାୟକ ପାଣ୍ଠିରେ ଯେଉଁ ଅନୁଦାନ ମାଗୁଥିଲି ତାହା ୧୫ଦିନରେ ମଞ୍ଜୁର ହୋଇଯାଉଥିଲା। ଗତ ତିନି ବର୍ଷ ହେଲା ଟଙ୍କାଟିଏ ଦେଉନାହାନ୍ତି। ଗଞ୍ଜାମର ବାକି ୧୨ବିଧାୟକଙ୍କ ପାଇଁ ଜିଲ୍ଲାପାଳଙ୍କର ଗୋଟିଏ ନିୟମ ଓ ମୋ ପାଇଁ ଗୋଟିଏ ନିୟମ କେମିତି? ବି‌ଜେଡି ମୋତେ ବହିଷ୍କାର କରିଛି। ହେଲେ ମୁଁ ତ ଏବେବି ବିଧାୟକ ଅଛି। ମୋ ନିର୍ବାଚନ ମଣ୍ଡଳୀର ଲୋକଙ୍କର କ’ଣ ଦୋଷ ଯେ ‌ସେମାନଙ୍କ ଉନ୍ନତି ପାଇଁ ଟଙ୍କା ଦିଆଯିବନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ପ୍ରଦୀପ କହିଛନ୍ତି, ରାଜ୍ୟରେ ଏବେ ରାଜନେତାମାନେ ଜଣେ ଅଧିକାରୀଙ୍କ ପାଖରେ ନିଜକୁ ସମର୍ପଣ କରିଦେଇଛନ୍ତି। ସେ ଅଧିକାରୀ ଯାହା କହୁଛନ୍ତି ସେଥିରେ ସମସ୍ତେ ଦସ୍ତଖତ ମାରୁଛନ୍ତି। ନିର୍ବାଚିତ ପ୍ରତିନିଧି ଥାଉ ଥାଉ ଜଣେ ଅଧିକାରୀ ଆସି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରୁଛନ୍ତି, ଶିଳାନ୍ୟାସ କରୁଛନ୍ତି, ଅର୍ଥ ମଞ୍ଜୁର କରୁଛନ୍ତି, ଆଉ କ୍ୟାବିନେଟ ମନ୍ତ୍ରୀ ଘରେ ଆଁ କରି ବସି କାବା ହୋଇ ଟିଭିରେ ଦେଖୁଛନ୍ତି। ରାତିରେ ମୁହଁରେ ତକିଆ ଦେଇ କାନ୍ଦୁଛନ୍ତି। ଆଉ ମୋତେ କହୁଛନ୍ତି ପ୍ରଦୀପ ତୁ ଭଲ କାମ କରୁଛୁ। ମୋର ୱାର୍ଡମେମ୍ବରରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କୁ ପ୍ରଶ୍ନ ଯେ ଆମେ କ’ଣ ଏହି ବ୍ୟବସ୍ଥାକୁ ଗ୍ରହଣ କରିବା? ନବୀନ ପଟ୍ଟନାୟକଙ୍କୁ ବିଶ୍ବାସ କରି ଭୋଟ୍ ଦେଲେ, ହେଲେ ଜଣେ ଅଧିକାରୀ ଆମକୁ କାହିଁକି ଶାସନ କରିବ? ଯଦି ଅମଲାତନ୍ତ୍ର ଶାସନ ଚାଲିବ ତେବେ ସମ୍ବିଧାନରେ ରାଜ୍ୟ ସରକାର ପରିବର୍ତ୍ତନ ଆଣନ୍ତୁ। ଏନେଇ ଆସନ୍ତା ବିଧାନସଭା ଅଧିବେସନରେ ଆଲୋଚନା ହେଉ ବୋଲି ସେ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲିକପ୍ଟରରେ ଯେତିକି ବୁଲୁଛନ୍ତି, ପ୍ରଧାନମନ୍ତ୍ରୀ ବି ସେତିକି ବୁଲୁନାହାନ୍ତି
ଯଦି ଅମଲାତନ୍ତ୍ର ଶାସନ ଚାଲିବ ତେବେ ସମ୍ବିଧାନରେ ପରିବର୍ତ୍ତନ ହେଉ
କ୍ୟାବିନେଟ୍ ମନ୍ତ୍ରୀ ମୁହଁରେ ତକିଆ ଦେଇ କାନ୍ଦୁଛନ୍ତି

ଶ୍ରୀ ପାଣିଗ୍ରାହୀ କହିଛନ୍ତି, ସେ ରାଷ୍ଟ୍ରପତି, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିବେ ଯେ ଲୋକସଭା ବାଚସ୍ପତିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହେଉ। ସେମାନେ ଆସି ଏଠାରେ ଶାସନ ବ୍ୟବସ୍ଥା ତର୍ଜମା କରନ୍ତୁ। ଓଡ଼ିଶାରେ କିପରି ଶାସନ ବ୍ୟବସ୍ଥା ଭୁଶୁଡ଼ି ଯାଇଛି। ଏଠାରେ ଗଣତନ୍ତ୍ରର ଶାସନ ଚାଲିଛି ନା ପ୍ରାଶାସନିକ ସରକାର ଚାଲିଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାହିଁକି ୨୦୧୧ ମସିହାରୁ ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ୨୦୦୩-୦୪ରେ ରାଜ୍ୟରେ ଏକ ବଦଳି ନୀତି ଆଣିଥିଲେ। ସେତେବେଳେ ନିୟମ ହୋଇଥିଲା ଯେ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ସର୍ବାଧିକ ୩ବର୍ଷ ରହିବ। ହେଲେ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ବିଭିନ୍ନ ବିଭାଗର ସଚିବ ୧୦ରୁ ୧୨ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗତ କିଛି ବର୍ଷ ହେଲା ଦୁର୍ନୀତିର ଗନ୍ତାଘର ପାଲଟିଛି। ୨୦୧୭ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୁଁ ଅତି ନିକଟରୁ ଦେଖିଛି। ସେଠି ଯାହା ଚାଲିଛି ମୁଁ ତା’ର ନଗ୍ନ ଉଦାହରଣ ବୋଲି ସେ କହିଛନ୍ତି। ଏହାସହ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ହେଲିକପ୍ଟର ଯାତ୍ରା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଜଣେ ଅଧିକାରୀ କାହିଁକି ଗୋଟେ ବ୍ଲକରୁ ଆଉ ଗୋଟେ ବ୍ଲକକୁ ହେଲିକପ୍ଟରରେ ଯି‌ବେ? ଯେଉଁଠିକୁ ଗାଡ଼ିରେ ଗଲେ ୧୦ମିନିଟ ଲାଗିବ ସେଠାକୁ ବି ହେଲିକପ୍ଟରରେ ଯିବେ? ୧୯୪୭ ମସିହା ପରଠାରୁ ଭାରତର କୌଣସି ପ୍ରଧାନମନ୍ତ୍ରୀ ବି ଏମିତି ହେଲିକପ୍ଟରରେ ଉଡ଼ୁନଥିବେ? କିପରି ଅର୍ଥ ସଚିବ ଓ ମୁଖ୍ୟ ସଚିବ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ଗସ୍ତ ଖର୍ଚ୍ଚ ଅନୁମୋଦନ କରୁଛନ୍ତି? କିଏ ତାଙ୍କ ରୁଟ୍‌ ଚାର୍ଟ ଚୂଡ଼ାନ୍ତ କରୁଛି? ମୁଖ୍ୟମନ୍ତ୍ରୀଙ୍କ ସଚିବ ଓଡ଼ିଶା ବୁଲିପାରନ୍ତି, ହେଲେ ସେ ଲୋକଙ୍କ ଟଙ୍କାକୁ ଏମିତି ଉଡ଼ାଇ ପାରିବେନି ବୋଲି ପ୍ରଦୀପ କହିଛନ୍ତି।