ବଲାଙ୍ଗୀର/ଗାଈସିଲାଟ୍‌: ଗନ୍ଧମାର୍ଦ୍ଦନ ପାହାଡ଼ ପାଖାପାଖି ଅଞ୍ଚଳରେ ଆଦାନୀ କମ୍ପାନିର ଜମିକିଣା ନିଶା ଯାଇନି। ନଥିପତ୍ର ଅଣ୍ଡାଳିଲେ କମ୍ପାନି ନାମରେ ଜମି ବାହାରୁଛି। ବଲାଙ୍ଗୀର ଜିଲ୍ଲାରେ ବହୁ ପାହାଡ଼ ରହିଛି। ଯେଉଁଥିରେ ମାଙ୍ଗାନିଜ୍‌ ଓ ଗ୍ରାଫାଇଟ୍‌ ପ୍ରଚୁର ମାତ୍ରାରେ ରହିଛି। ଏସବୁ ପାହାଡ଼ ପାଖରେ ଆଦାନୀ ଜମି କିଣି ଚାଲିଛି। ସଦ୍ୟତମ ଦୃଷ୍ଟାନ୍ତ ଭାବେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତହସିଲ ଭାଲୁଯୁରୀ ଗାଁରେ ଆଦାନୀ ୬୧ ଏକର ଜାଗା କିଣିଥିବା ତଥ୍ୟ ହସ୍ତଗତ ହୋଇଛି। ଭଇଁଷା ଆର୍‌ଆଇ ସର୍କଲ ଅଧୀନରେ ୪୩ ଏକର ଜମି କମ୍ପାନି କିଣିଥିବା ଦସ୍ତାବିଜ୍‌ରୁ ଜଣାପଡ଼ିଛି। ଏହି ଅଞ୍ଚଳରେ ପାଖାପାଖି ଅନେକ ପାହାଡ଼ ରହିଛି। ଓସ୍ତାଲି ସଂରକ୍ଷିତ ଜଙ୍ଗଲ ମଧ୍ୟ ଅଛି। ପୂର୍ବରୁ ଏହି ଅଞ୍ଚଳରେ ସର୍ଭେ କରାଯାଇ ପ୍ରଚୁର ଗ୍ରାଫାଇଟ୍‌ ଓ ମାଙ୍ଗାନିଜ୍‌ ଥିବା ଜଣାପଡ଼ିଥିଲା। ‌ଖଣି ଲୋଭରେ ଆଦାନୀ ପାହାଡ଼ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଭାବେ ଜମି କିଣି ଚାଲିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

Advertisment

ବଲାଙ୍ଗୀରରେ ବି କିଣିଛି ୬୧ ଏକର
ମୁହଁ ଖୋଲୁନି ପ୍ରଶାସନ, ଖଣି କାରବାରକୁ ନେଇ ବଢ଼ିଲା ସନ୍ଦେହ

ଅନ୍ୟପକ୍ଷରେ, ବଲାଙ୍ଗୀର ଜିଲ୍ଲା ସୀମାନ୍ତ ବରଗଡ଼ ଜିଲ୍ଲାର ଗାଈସିଲାଟ୍‌ ବ୍ଲକ୍‌ରେ କମ୍ପାନି ଜମି କିଣିସାରିଛି। ଏଠାରେ ବି ଖଣି ପାଇଁ ସର୍ଭେ କରାଯାଇଥିବା ଖବର ତଥ୍ୟପ୍ରମାଣ ସହ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏଠାକାର ସ୍ଥିତି ପରଖିବା ପାଇଁ ‘ସମ୍ବାଦ’ ଟିମ୍‌ ପହଞ୍ଚିଥିଲା ଗାଈସିଲାଟ୍‌ ବ୍ଲକ୍‌ ଯୁବାଖୋଲ ପଞ୍ଚାୟତରେ। ଏଠାରେ ଦୁଇ ମାସ ତଳେ କମ୍ପାନି ୨୩ ଏକର ଜମି କିଣିଛି। ଫିରିଙ୍ଗିମାଲ ପଞ୍ଚାୟତ ଛିନ୍ଦ୍ରାପାଲି, କଠଉମାଲ ପଞ୍ଚାୟତର ସାଇ ଡୁଙ୍ଗୁରିପାଲି ଓ ଗୌରେନମୁଣ୍ଡା ପଞ୍ଚାୟତ ସାଲେପାଲି ଅଞ୍ଚଳରେ କିଛି ମାସ ହେଲା ଡ୍ରୋନ୍‌ ଯୋଗେ ଖଣି ସନ୍ଧାନ ସଂପର୍କରେ ସର୍ଭେ ହୋଇଛି। ଯେଉଁ ଜମି ଆଦାନୀ କିଣିଛି, ସେସବୁ ଜଙ୍ଗଲରେ ଭର୍ତ୍ତି। ପାଖରେ ଖଣିଜ ସମ୍ପଦରେ ଭରପୂର ପାହାଡ଼। ଆଖପାଖର ଲୋକଙ୍କ ସହ କଥାବାର୍ତ୍ତା ବେଳେ ପୂର୍ବରୁ ଏଠାରେ ଅନବରତ ସର୍ଭେ ହୋଇଥିବା ସେମାନେ ପ୍ରକାଶ କରିଥିଲେ। ଚକିତ କଲା ଭଳି କଥା ହେଲା, ଆଦାନୀ ଉଭୟ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଜମି କିଣି ଚାଲିଛି; ଅଥଚ ଏହି ପ୍ରକ୍ରିୟାକୁ ପ୍ରଶାସନ ଗୋପନ ରଖୁଛି। ଏଯାଏଁ କେଉଁ ଉଦ୍ଦେଶ୍ୟରେ ଏତେ ଜମି କିଣା ଚାଲିଛି, କେହି ବିଧିବଦ୍ଧଭାବେ କହିବାକୁ ନାରାଜ। ଯାହାଫଳ‌ରେ ଜମି କିଣା କାରବାରକୁ ନେଇ ସନ୍ଦେହ ବଢ଼ିବା ସହ ଏହାକୁ ଖଣି ଉତ୍ତୋଳନ ସହ ଯୋଡ଼ାଯାଉଛି।

ବରଗଡ଼: ଗନ୍ଧମାର୍ଦ୍ଦନକୁ ଆଦାନୀ ନେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ପ୍ରେସ୍‌ ବିବୃତିରେ  କହିଛନ୍ତି, ‘ଗନ୍ଧମାର୍ଦ୍ଦନ ପାଇଁ ଜୀବନ ଦେବି ପଛେ, ଇଞ୍ଚେ ଜମି କାହାକୁ ଦିଆଯିବ ନାହିଁ। ବିରୋଧୀ ଦଳ ମିଛ ପ୍ରଚାର କରୁଛନ୍ତି। ପ୍ରସଙ୍ଗ ନ ଥିବାରୁ ଗନ୍ଧମାର୍ଦ୍ଦନ କଥା ଉଠାଉଛନ୍ତି। ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନରୁ ମୋର ରାଜନୈତିକ ଜୀବନ ଆରମ୍ଭ। ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ଜୀବନ ଦେବାକୁ ପଡ଼ିଲେ ବି ମୁଁ ପ୍ରସ୍ତୁତ ଅଛି। ଯେତେ ବଡ଼ ଖଣି କମ୍ପାନି ଆସନ୍ତୁ ନା କାହିଁକି ଗୋଟିଏ ଇଞ୍ଚ ବି ଜମି ଛାଡ଼ିବାକୁ ମୁଁ ପ୍ରସ୍ତୁତ ନୁହେଁ ’। ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ମୁଁ ଆଗ, ମୋ ସାଂସଦ ପଦ ପଛ। ପୂର୍ବରୁ ମଧ୍ୟ ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ମାଡ଼ ଖାଇବାକୁ ପ୍ରସ୍ତୁତ ଥିଲି, ଆଉ ଏବେ ବି ଅଛି।

ହେଲେ ଗନ୍ଧମାର୍ଦ୍ଦନକୁ କାହା ହାତକୁ ଟେକି ଦେଇପାରିବନି। ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରି ଦେବା ପରେ ବିରୋଧୀମାନେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ମିଥ୍ୟା ପ୍ରଚାର କରୁଛନ୍ତି। କିନ୍ତୁ ସେମାନେ ସେଥିରେ ସଫଳ ହେବେ ନାହିଁ। ବରଗଡ଼-ନୂଆପଡ଼ା ୧୩୮ କିଲୋମିଟର ରେଳପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୨ ହଜାର ୯୪୬ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ରେଳ ପ୍ରକଳ୍ପ ଦ୍ୱାରା ଆମ ଅଞ୍ଚଳର କଳା, ସାହିତ୍ୟର ବିକାଶ ହେବ। ବାଣିଜ୍ୟ ବେପାର ବୃଦ୍ଧି ପାଇବ। ଏହି ପ୍ରକଳ୍ପକୁ ବିରୋଧୀ ସହି ପାରୁନାହାନ୍ତି। ଏଥିପାଇଁ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଉଛନ୍ତି। ଗନ୍ଧମାର୍ଦ୍ଦନ ପାହାଡ଼ରେ ଏକ ପ୍ରାକୃତିକ ପରିବେଶ ସହ ଦୁଇଟି ନଦୀ ଅଙ୍ଗ ଓ ସୁକ୍‌ତେଲର ଉତ୍ପତ୍ତି ହୋଇଛି। ସୁନାର ଝରଣା ସହ ୨ ହଜାରରୁ ଅଧିକ ଦୁର୍ଲଭ ଔଷଧୀୟ ବୃକ୍ଷ ଅଛି। ଏସବୁର କ୍ଷତି ପହଞ୍ଚାଇବାକୁ କେବେ ଦେବି ନାହିଁ ବୋଲି ଶ୍ରୀ ପୁରୋହିତ କହିଛନ୍ତି।