ବଲାଙ୍ଗୀର : ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ନେଇ ଗୁରୁବାର ଏକ ସ୍ପଷ୍ଟୀକରଣ ଦେଇଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ସ୍ପଷ୍ଟୀକରଣରେ ସେ କହିଛନ୍ତି ‘୨୦୨୪ ନିର୍ବାଚନ ବେଳକୁ ମୋତେ ୮୪ ବର୍ଷ ହୋଇସାରିଥିବ। ଯଦି ନିର୍ବାଚନ ଜିତେ ୫ ବର୍ଷର ବିଧାୟକ କାଳ ପୂର୍ତ୍ତି ସମୟରେ ମୋତେ ୮୯ ବର୍ଷ ହୋଇ ସାରିଥିବ। ମୋର ବର୍ତ୍ତମାନର ସ୍ୱାସ୍ଥ୍ୟାବସ୍ଥା ଦେଖିଲେ ଜନପ୍ରତିନିଧି ହୋଇ  ଲୋକଙ୍କ ପାଖକୁ ପହଞ୍ଚି କାମ କରି ନପାରିଲେ ଜନ ପ୍ରତିନିଧି ହେବାର ମୂଲ୍ୟ କିଛି ନାହିଁ। ୨୦୧୯ ନିର୍ବାଚନରେ ମୁଁ ନିର୍ବାଚନ ନଲଢ଼ିବା ନେଇ ମନସ୍ଥ କରିଥିଲି। କିନ୍ତୁ ଲୋକଙ୍କ ଅନୁରୋଧ ମୋତେ ନିର୍ବାଚନ ଲଢ଼ିବାକୁ ବାଧ୍ୟ କରିଥିଲା। କିନ୍ତୁ ବର୍ତ୍ତମାନ ମୋର ବୟସ ସେସବୁ ଆଉ ଅନୁମତି ଦେଇ ନପାରେ।

Advertisment

୨୦୨୪ରେ ଯଦି ଲୋକେ ନିର୍ବାଚନ ଲଢ଼ିବା ପାଇଁ ପୁନଃ ବାଧ୍ୟ କରନ୍ତି, ତେବେ ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମୁଁ ଲୋକଙ୍କୁ ବୁଝାଇବି। ଯଦି ମୋ ଦଳ ମୋତେ ନିର୍ବାଚନ ଲଢ଼ିବା ପାଇଁ ବାଧ୍ୟ କରେ, ତେବେ ମୋ ପାଖରେ କେବଳ ଦୁଇଟି ରାସ୍ତା ରହିବ, ଦଳ ଅନୁସାରେ ମୁଁ ନିର୍ବାଚନ ଲଢ଼ିବି କିମ୍ବା ଦଳ କଥା ନମାନି ପାରିବାରୁ ଦଳ ଛାଡ଼ିବାକୁ ବାଧ୍ୟ ହେବି। କିନ୍ତୁ ଏହା ସ୍ପଷ୍ଟ ଯେ, ମୁଁ ନିର୍ବାଚନ ଲଢ଼େ ବା ନଲଢ଼େ ସକ୍ରିୟ ରାଜନିତୀରୁ କେବେ ସନ୍ନ୍ୟାସ ନେବି ନାହିଁ। ଆଜୀବନ ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ରହିବି। ଆହୁରି ସ୍ପଷ୍ଟ କରି କହିବି ଯେ, କଂଗ୍ରେସ ଦଳ ତଥା ଦଳର ନୀତି ଆଦର୍ଶ ସହିତ ମୁଁ ଆଜୀବନ ରହିବି, ଦଳ ଛାଡ଼ିବି ନାହିଁ’ ବୋଲି ଶ୍ରୀ ମିଶ୍ର ସ୍ପଷ୍ଟୀକରଣରେ କହିଛନ୍ତି।