ଡାକ୍ତର ହୋଇ ଓଡ଼ିଶାବାସୀଙ୍କ ସେବା କରିବି: ସୋମଦତ୍ତ

ଭୁବନେଶ୍ୱର : ଓଡ଼ିଶାର ୪୬ ହଜାର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଟପର୍‌ ହୋଇଛନ୍ତି ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଛାତ୍ର ପ୍ରିୟ ସୋମଦତ୍ତ ନାୟକ। ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୫୦ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଓଡ଼ିଶା ଲାଗି ଗୌରବ ଆଣିଛନ୍ତି। ଅନ୍ୟ କୌଣସି ଓଡ଼ିଆ ଛାତ୍ରଛାତ୍ରୀ ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇ ପାରିନାହାନ୍ତି। ସଞ୍ଜୀବ ନାୟକ ଓ ଅନୁପମା ନାୟକଙ୍କ ପୁଅ ପ୍ରିୟ ସୋମଦତ୍ତ ଆଗକୁ ଦିଲ୍ଲୀ ଏମ୍‌ସରେ ମେଡିକାଲ ଶିକ୍ଷା ଶେଷ କରି ଓଡ଼ିଶାବାସୀଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ‘ସମ୍ବାଦ’ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି।

ଫଳାଫଳ ଶୁଣିବା ପରେ ଆପଣଙ୍କ ଅନୁଭୂତି କିଭଳି ରହିଥିଲା?
ଏନ୍‌ଟିଏସ୍‌ଇ ଷ୍ଟେଜ୍‌-୨ ଓ କେଜିପିୱାଇରେ ଯୋଗ୍ୟତା ଅର୍ଜନ କରିବା ପରେ ନିଟ୍‌ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଥିଲି। ପରୀକ୍ଷା ଭଲ ହୋଇଥିବାରୁ ଶ୍ରେଷ୍ଠ ଶହେ ମଧ୍ୟରେ ସ୍ଥାନ ପାଇବି ବୋଲି ଭାବିଥିଲି। ମାତ୍ର ଶ୍ରେଷ୍ଠ ୫୦ ମଧ୍ୟରେ ଆସିବା ସହ ରାଜ୍ୟ ଟପର୍‌ ହୋଇଥିବାରୁ ବହୁତ ଖୁସି।

ପରୀକ୍ଷା ଲାଗି ପାଠପଢ଼ା କିଭଳି ରହିଥିଲା?
ବେଶି ରାତି ଯାଏ ପଢ଼ାପଢ଼ି କରେ ନାହିଁ, ବରଂ ଯେତିକି ସମୟ ପଢ଼େ ମନ ଦେଇ। ସ୍କୁଲ ପାଠପଢ଼ା ବ୍ୟତୀତ ଦୈନିକ ୮ରୁ ୯ଘଣ୍ଟା ଅଧ୍ୟୟନ କରୁଥିଲି। ବିଶେଷକରି ଏନ୍‌ସିଆରଟି ପାଠ୍ୟକ୍ରମକୁ ଗୁରୁତ୍ବ ଦେଉଥିଲି। କାରଣ ପରୀକ୍ଷାରେ ଏନ୍‌ସିଆରଟି ପାଠ୍ୟକ୍ରମରୁ ହିଁ ବହୁ ପ୍ରଶ୍ନ ଆସିଥାଏ।

କରୋନା ସମୟରେ ଅନ୍‌ଲାଇନ୍‌ ପାଠପଢ଼ା ଚାଲିଥିଲା। ତା’ସାଙ୍ଗକୁ ନିଟ୍‌ ଲାଗି ପ୍ରସ୍ତୁତି କିଭଳି କରୁଥିଲେ?
କରୋନା ସମୟରେ ସ୍କୁଲ ବନ୍ଦ ହେବା ମୋ ଲାଗି ଅପୂର୍ବ ସୁଯୋଗ ଆଣି ଦେଇଥିଲା। ସ୍କୁଲକୁ ଆସିବାକୁ ପଡ଼ି ନ ଥିଲା। ଅନ୍‌ଲାଇନ୍‌ରେ ସ୍କୁଲ ଶିକ୍ଷକମାନେ ପଢ଼ାଉଥିଲେ। ସେହି ସମୟରେ ହିଁ ନିଟ୍ ପରୀକ୍ଷା ପାଇଁ ଭଲ ଭାବେ ପ୍ରସ୍ତୁତି କରିଥିଲି। ବାପା, ମା’ଙ୍କ ଦିର୍ଗଦର୍ଶନ ସାଙ୍ଗକୁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଶିକ୍ଷକଙ୍କ ସହଯୋଗ, ପିତାମାତାଙ୍କ ପ୍ରେରଣା ଓ ଆକାଶ ଇନଷ୍ଟିଚ୍ୟୁଟ୍‌ରେ କୋଚିଂ ମତେ ଏହି ସଫଳତାରେ ବିଶେଷ ସାହାଯ୍ୟ କରିଥିଲା।

ଭବିଷ୍ୟତରେ କେଉଁଠି ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି?
ବାପା, ମା’ଙ୍କ ସ୍ବପ୍ନ, ମୁଁ ଜଣେ ଡାକ୍ତର ହୋଇ ଜନସେବା କରେ। ତାଙ୍କ ଇଚ୍ଛାକୁ ପୂରଣ କରି ଭବିଷ୍ୟତରେ ଜଣେ ଡାକ୍ତର ହେବାର ସ୍ୱପ୍ନକୁ ନିଟ୍‌ ଫଳ ସାକାର କରିଛି। ଦିଲ୍ଲୀ ଏମ୍‌ସରେ ଅଧ୍ୟୟନ କରିବା ସହ ମେଡିସିନ୍‌ ଓ ସ୍ନାୟୁବିଜ୍ଞାନ କ୍ଷେତ୍ରରେ ଯିବାକୁ ଚାହେ। ପାଠପଢ଼ା ପରେ ଓଡ଼ିଶାରେ ରହି ରାଜ୍ୟବାସୀଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି।

ସଫଳତାର ସୂତ୍ର କ’ଣ?
ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୃଢ଼ ଆତ୍ମବିଶ୍ୱାସ ରହିବା ଦରକାର। ଭଗବାନଙ୍କ ଉପରେ ଭରସା ଓ କଠିନ ପରିଶ୍ରମର ଆବଶ୍ୟକତା ରହିଛି। କମ୍‌ ସମୟ ହେଉ ପଛେ, ଭଲ ଭାବେ ପଢ଼ିଲେ ସଫଳତା ନିଶ୍ଚିତ ମିଳିବ। ଦ୍ବନ୍ଦ୍ବ ଦୂର କରିବାକୁ କୋଚିଂର ମଧ୍ୟ ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର