ଭୁବନେଶ୍ବର : ଡିସେମ୍ବର ୨୬ରେ ବିଜେଡି ପୁରୀରେ ୨୫ତମ ପ୍ରତିଷ୍ଠା ଦିବସ ବଡ଼ ଆଡମ୍ବରରେ ପାଳିଥିବାବେଳେ ଏଥିରେ ଦଳର ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଯୋଗଦେଇ ନଥିଲେ। ଆଜି ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ସ୍ବାଧୀନତା ସଂଗ୍ରାମୀ ଦିବସ ପାଳନ ଅବସରରେ ଏନେଇ ଶ୍ରୀ ମହତାବଙ୍କୁ ପଚାରିବାରୁ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଏନେଇ ଚର୍ଚ୍ଚା ନକରିବା ଭଲ। ୪ଟି ବିଷୟରେ କହିବାର ଅଛି, କିନ୍ତୁ ଆଜି ନୁହେଁ। କ’ଣ ଏହି ୪ଟି ବିଷୟ ପଚାରିବାରୁ ସେ ମନ୍ମଥ ଦାସଙ୍କ ଗପ ‘ଦେଖା ହେଲେ କହିବି ସେ କଥା’ କହି ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ।

Advertisment

ଭର୍ତ୍ତୃହରି କାହାକୁ ଦେଖାହେଲେ କ’ଣ କହିବେ ସେନେଇ କିଛି କହିନଥିଲେ। ହେଲେ ସ୍ମିତ ହାସ୍ୟ ଦେଇ କହିଥିଲେ ଆପଣ ପିନାକୀ ମିଶ୍ରଙ୍କୁ କିଛି ପଚାରିଛନ୍ତି। ପିନାକୀ ଅସୁସ୍ଥ ଥିବାରୁ ବୈଠକରେ ଯୋଗଦେଲେନି ବୋଲି ଦଳ ପକ୍ଷରୁ ଘୋଷଣା କରାଗଲା ବୋଲି ସାମ୍ବାଦିକମାନେ କହିବାରୁ ଭର୍ତ୍ତୃହରି କହିଥିଲେ ଆଚ୍ଛା ଆଚ୍ଛା... କୋଉଠି ଥିଲେ ପିନାକୀ ବାବୁ?

୨୦୨୪ରେ ଆପଣ ନିର୍ବାଚନ ଲଢ଼ିବେ କି ବୋଲି ପଚାରିବାରୁ ସେ କହିଥିଲେ ଯେ, ସେଇଟା ବି ଗୋଟେ ପ୍ରସଙ୍ଗ, ମୋର ୪ଟି ପ୍ରସଙ୍ଗ ଭିତରୁ। ଏହାସହ କହିଥିଲେ ଯେ, ବିଜେପି ଏବେ ବିଭିନ୍ନ ଲୋକସଭା ଆସନ ଉପରେ ଫୋକସ୍‌ କରୁଛି। କଟକ ଲୋକ‌ସଭା ଆସନ ବି ସେମାନଙ୍କ ଫୋକସ୍‌ରେ ଅଛି। ୨୦୧୪ରୁ ଫୋକସ୍‌ କଲେଣି। ୨୦୧୯ରେ ୪ଲକ୍ଷ ଭୋଟ୍ ମିଳିଥିଲା। କଟକରେ ବିଜେପି ଆମର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ।

ଭର୍ତ୍ତୃହରିଙ୍କ ବୟାନ ଉପରେ ମନ୍ତବ୍ୟ ରଖି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଦଳ ଭିତରେ କିଛି ଦ୍ୱନ୍ଦ୍ୱ ନାହିଁ। ସମସ୍ତେ ପ୍ରାୟତଃ ଦଳର ପ୍ରତିଷ୍ଠା ଦିବସରେ ଆସିଥିଲେ। କେହି ବ୍ୟକ୍ତିଗତ ଓ ଶାରୀରିକ ସମସ୍ୟା ଯୋଗୁ ଆସିନଥିଲେ। ଉଭୟ ଭର୍ତ୍ତୃହରି ଓ ପିନାକୀଙ୍କ ସହ ସେ ନିଜେ କଥା ହୋଇଥିଲେ।