ଭୁବନେଶ୍ବର : କରୋନାରେ ଆକ୍ରାନ୍ତ ହୋଇଥିବା ଜଟଣୀ ବିଧାୟକ ସୁରେଶ ରାଉତରାୟ ସୁସ୍ଥ ହୋଇଛନ୍ତି। ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିବା ସୁର ନିଜେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଛନ୍ତି। ଶୁକ୍ରବାର ଦିନ କଂଗ୍ରେସ ଭବନରେ ସମ୍ବିଧାନ ବଞ୍ଚାଅ ଦିବସ କାର୍ଯ୍ୟକ୍ରମରେ ସେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି।
ସୁର କହିଛନ୍ତି ଯେ କରୋନାରେ ଆକ୍ରାନ୍ତ ହେବା ପରେ ବିଭିନ୍ନ ଦେଶରେ ଥିବା ତାଙ୍କର ଶୁଭେଚ୍ଛୁ ତାଙ୍କୁ ଫୋନ୍ କରି ସୁସ୍ଥ କାମନା କରିଥିଲେ। ୧୦ଦିନ ଭିତରେ କରୋନାରୁ ସୁସ୍ଥ ହୋଇପାରିଛି। କରୋନା ଭଳିଆ ରୋଗ ମଣିଷକୁ ଏକ ଘରିକିଆ କରି ଦେଉଛି। ଲୋକମାନେ କେହି ପାଖକୁ ଆସୁ ନାହାନ୍ତି। ଛାତ୍ର ଜୀବନରେ ଜେଲ୍ ଯାଇଛି। ହେଲେ ଜେଲ୍ ଯିବାଠାରୁ କରୋନାରେ ଆକ୍ରାନ୍ତ ହୋଇ ଘରୋଇ ରହିବା କଷ୍ଟକର। ଏବେ ସେ ମାସ୍କ ପିନ୍ଧିବେ ବୋଲି ସୁର କହିଛନ୍ତି।
କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ସୁର ମାସ୍କ ପିନ୍ଧୁ ନ ଥିଲେ। ମାସ୍କ ପିନ୍ଧିବାଙ୍କୁ ଭଲ ଲାଗୁ ନ ଥିବା କହିଥିଲେ। ମାତ୍ର ଚଳିତମାସରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ବାହାରେ ବୁଲିଥିଲେ। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।