ଅଟକିଥିଲା, ନୂଆବର୍ଷରେ ମିଳିବ ପଦୋନ୍ନତି!

ମୁଖ୍ୟମନ୍ତ୍ରୀଙ୍କ ନାଲିଆଖି ପରେ ସମସ୍ତେ ଚଳଚଞ୍ଚଳ, ଅପେକ୍ଷାରତ କର୍ମଚାରୀ ଖୁସ୍, ହରଡ଼ଘଣାରେ ବଡ଼ବାବୁ, ଛୁଟିରେ ବି କାମ ଚାଲିଛି, ବାବୁଙ୍କୁ ବିରାମ ନାହିଁ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଓ ‘୫ଟି’ରେ ଯେଉଁ ଶୃଙ୍ଖଳାର ଛାଟ ବାଜୁଛି, ତାହା ଅନେକ କର୍ମଚାରୀଙ୍କୁ ଅସନ୍ତୁଷ୍ଟ କରିଦେଇଥିଲା। ହେଲେ ପଦୋନ୍ନତି ବ୍ୟବସ୍ଥାକୁ ୫ଟି ସହ ଯୋଡ଼ି ଦିଆଯିବା ପରେ ଏବେ ଏକାଥରରେ ଶହ ଶହ କର୍ମଚାରୀଙ୍କ ଭାଗ୍ୟରେ ପଦୋନ୍ନତି ସୁଯୋଗ ଜୁଟିଛି। ନୂଆବର୍ଷ ପୂର୍ବରୁ ସେମାନଙ୍କୁ ପଦୋନ୍ନତି ଦେବା ଲାଗି ଏବେ ବିଭାଗମାନେ ତନାଘନା ଆରମ୍ଭ କରିଛନ୍ତି। ଆଜି ଛୁଟିଦିନରେ ବି ସଚିବାଳୟରେ କିଛି ବିଭାଗରେ ପଦୋନ୍ନତି ସଂକ୍ରାନ୍ତ ଫାଇଲ ଖୋଜି କର୍ମଚାରୀମାନେ ଏହା ଉପରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ନିଜ ପଦୋନ୍ନତି କ୍ଷେତ୍ରରେ ଅତି ସତର୍କତା ଅବଲମ୍ବନ କରନ୍ତି ବଡ଼ ବାବୁ। ହାତଗଣତି କେତେଜଣଙ୍କୁ ଛାଡିଦେଲେ ଆଇଏଏସ୍, ଆଇପିଏସ୍ ଅଫିସରଙ୍କ କ୍ଷେତ୍ରରେ ପଦୋନ୍ନତି ସେମିତି ଅଟକି ରହେ ନାହିଁ, ଯେମିତି ତଳିଆ କର୍ମଚାରୀଙ୍କ ଭାଗ୍ୟରେ ଜୁଟିଥାଏ। ଅଳ୍ପ କିଛି ତଳିଆ କର୍ମଚାରୀଙ୍କ ଭାଗ୍ୟରେ ନିର୍ଧାରିତ ସମୟରେ ପଦୋନ୍ନତି ସୁଯୋଗ ଥାଏ, ସିଂହଭାଗଙ୍କ କ୍ଷେତ୍ରରେ ସାତ ସପନ। କେତେ ଜଣଙ୍କ ଭାଗ୍ୟରେ ତ ଅବସର ଆଗ ବା ଚାକିରିର ଶେଷ ଦିନ ପଦୋନ୍ନତି ସୁଯୋଗ ଆସେ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଥରରେ ୪୩ ଆଇଏଏସ୍, ଆଇପିଏସଙ୍କୁ ପଦୋନ୍ନତି ଦେଇଛନ୍ତି। ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ପଦୋନ୍ନତି ପାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କ୍ୟାରିଅରରେ ପ୍ରଥମ ଥର ପାଇଁ ଠିକ୍ ସମୟରେ ହିଁ ପଦୋନ୍ନତି ମିଳିଲା। ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେବା କ୍ଷେତ୍ରରେ ପ୍ରଦୀପ କୁମାର ଜେନା, ମୋନା ଶର୍ମାଙ୍କ କ୍ଷେତ୍ରରେ ତାହା ଏଯାଏ ଅନୁପାଳନ ହୋଇନାହିଁ। ଦେଖିବା କଥା ସରକାର ଏ କ୍ଷେତ୍ରରେ କି ପଦକ୍ଷେପ ନେଉଛନ୍ତି। ତେବେ ସେ ଯାହାହେଉ ଡିସେମ୍ବର ଶେଷ ସୁଦ୍ଧା ପଦୋନ୍ନତି ସାରିବା ପାଇଁ କୁହାଯାଇଛି। ଏହାକୁ ନେଇ ବାବୁମାନେ ଏବେ ଅକଳରେ ପଡିଛନ୍ତି।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପଦୋନ୍ନତି ପ୍ରକ୍ରିୟାଟି ତିନିଟି କାରଣରୁ ମୁଖ୍ୟତଃ ବାଧାପ୍ରାପ୍ତ ହୋଇଥାଏ। ପ୍ରଥମତଃ ପାଞ୍ଚ ବର୍ଷର ସିସିଆର୍ ଓ ଦ୍ବିତୀୟତଃ ଆବଶ୍ୟକ ଥିଲେ ଭିଜିଲାନ୍ସର ସବୁଜ ସଙ୍କେତ ଓ ତୃତୀୟତଃ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ପ୍ରଥମ ସମସ୍ୟାଟି ଅଧିକ। କିଛି କର୍ମଚାରୀ ଠିକ୍ ସମୟରେ ସିସିଆର୍ ଦିଅନ୍ତି ନାହିଁ, ଯଦି ଉପରିସ୍ଥ ଅଧିକାରୀଙ୍କ ସହିତ ତାଙ୍କର ସମୀକରଣ ଠିକ୍ ନ ଥାଏ। ଏହାର ବିପରୀତ ସ୍ଥିତି ମଧ୍ୟ ଅନେକ ସମୟରେ ଉପୁଜେ। ଏ କ୍ଷେତ୍ରରେ ବରିଷ୍ଠ ପଦାଧିକାରୀମାନେ ନିଜ ଆଡୁ ଚିଠି କରି ସିସିଆର୍ ମଗାଇବା କଥା, ଯାହା କ୍ବଚିତ୍ ହୋଇଥାଏ। ଠିକ୍ ସମୟରେ ସିସିଆର ପାଇଁ ଟଙ୍କା ଦିଆନିଆର ଅଭିଯୋଗ ମଧ୍ୟ ବେଶ ପୁରୁଣା।

ଏହାବ୍ୟତୀତ ଯେଉଁମାନଙ୍କ କ୍ଷେତ୍ରରେ ଭିଜିଲାନ୍ସ ଅନୁମତି ଆବଶ୍ୟକ, ତାହା ଆସିବାରେ ବିଳମ୍ବ ଏକ କାରଣ। ଏବେ କିନ୍ତୁ ତିନିବର୍ଷ ହେଲା ଏଚ୍ଆର୍ଏମ୍ଏସ୍ ବ୍ୟବସ୍ଥା ପ୍ରଚଳନ ପରେ ଏଥିରେ ସୁଧାର ଆସିଛି। କର୍ମଚାରୀଙ୍କୁ ଠିକ୍ ସମୟରେ ପଦୋନ୍ନତି ମିଳିଲେ, କାମରେ ମଧ୍ୟ ଏହାର ଯଥେଷ୍ଟ ସକାରାତ୍ମକ ପ୍ରଭାବ ପଡିଥାଏ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।

ଏହାବ୍ୟତୀତ, ପଦୋନ୍ନତି କ୍ଷେତ୍ରରେ ବିଭାଗୀୟ ତ୍ରୁଟି ମଧ୍ୟ ଅନେକ ସମୟରେ ଦ୍ବନ୍ଦ୍ବ ସୃଷ୍ଟି କରିଥାଏ। ମାମଲା କୋର୍ଟ ପର୍ଯ୍ୟନ୍ତ ଯାଏ। ଏ କ୍ଷେତ୍ରରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ େନବାର ଆବଶ୍ୟକତା ରହିଛି ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ଯଦି ସରକାର ପଦୋନ୍ନତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାନ୍ତି, ତେବେ ଖାଲି ଥିବା ପଦବି ପୂରଣ ହୋଇପାରିବ।

ପ୍ରଶାସନିକ ଅଧିକାରୀମାନଙ୍କର କହିବା କଥା ହେଲା, ସର୍ବଭାରତୀୟ ସେବା ଅଧିକାରୀଙ୍କ ପଦୋନ୍ନତିକୁ ସମୟ ଭିତ୍ତିକ କରାଯାଇଛି। କେଉଁ ଅଧିକାରୀ କେଉଁ ପଦବିରେ କେତେ ବର୍ଷ ରହିଲେ, ପରବର୍ତୀ ସ୍ଥାନକୁ ଉନ୍ନୀତ ହେବେ, ତାହା ସ୍ଥିର। ଏଣୁ ଠିକ୍ ସମୟରେ ପ୍ରସ୍ତୁତି ଆରମ୍ଭ େହାଇଥାଏ। ହେଲେ ରାଜ୍ୟ ସରକାରଙ୍କ ସେବା ନିୟମାବଳୀରେ ଏମିତି ବ୍ୟବସ୍ଥା ନାହିଁ। ଖାଲିଥିବା ସ୍ଥାନକୁ ମଧ୍ୟ ଏ େକ୍ଷତ୍ରରେ ବିଚାର କରାଯାଇଥାଏ। ସରକାର ଏ ନିୟମକୁ ଆଗ ପରିବର୍ତନ କରିବା ଦରକାର ଓ ସମୟ ଭିତ୍ତିକ ପଦୋନ୍ନତି ସଂପର୍କରେ ଠୋସ୍ ପଦକ୍ଷେପ ନେବା ଉଚିତ୍।

ସେହିଭଳି ପଦୋନ୍ନତି କମିଟିରେ ମୁଖ୍ୟତଃ ବିଭାଗୀୟ ମୁଖ୍ୟ ଅଧ୍ୟକ୍ଷତା କରନ୍ତି। ଏତେ କମ ସମୟ ଭିତରେ ସେମାନେ ସମୟ ଦେବା କାଠିକର ପାଠ ହୋଇପଡିଛି। ଭିଜିଲାନ୍ସ ଅନୁମତି ମଧ୍ୟ ଆସିପାରିନାହିଁ। ଅନ୍ତତଃ ଦୁଇମାସ ତଳୁ ନିର୍ଦେଶ ଥିଲେ, ଏଭଳି ରାତିଅଧିଆ କାମ କରିବାକୁ ପଡନ୍ତା ନାହିଁ ବୋଲି କିଛି କର୍ମଚାରୀ କହିଛନ୍ତି।

ସମ୍ବନ୍ଧିତ ଖବର