ଡିଜି ପାହ୍ୟାରେ ସନ୍ତୋଷ, ଜେଲ ନିର୍ଦେଶକ ନିଯୁକ୍ତ
ସୌମେନ୍ଦ୍ରଙ୍କୁ ଆଇନଶୃଙ୍ଖଳା ଓ କ୍ରାଇମବ୍ରାଞ୍ଚ ଦାୟିତ୍ବ
ଅନୁପ ସାହୁ ଏସିପି ନିଯୁକ୍ତ, ଭୁବନେଶ୍ବର ଡିସିପି ଭାବେ ବି ରହିବେ
ଭୁବନେଶ୍ବର : ପ୍ରତିଶ୍ରୁତି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବର୍ଷର ଶେଷ ଦିନରେ ବରିଷ୍ଠ ପଦାଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଏ ସଂକ୍ରାନ୍ତରେ ସରକାରୀ ନିର୍ଦେଶନାମା ପ୍ରକାଶ ପାଇଛି। ୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ କୁମାର ଜେନା ଓ ଡାକ୍ତର ମୋନା ଶର୍ମାଙ୍କୁ ମୁଖ୍ୟଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଶ୍ରୀ ଜେନା କିନ୍ତୁ ପୂର୍ବଭଳି ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ବରେ ରହିବେ ଓ ସ୍ବତନ୍ତ୍ର ରିଲିଫ୍ କମିସନର ଏବଂ ଓସ୍ଡମା ଏମ୍ଡି ଭାବେ କାର୍ଯ୍ୟ କରିବେ। ସେହିପରି ଡାକ୍ତର ଶର୍ମା ମଧ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ବରେ ପୂର୍ବଭଳି ରହିବେ। ଓଡ଼ିଶା ବନ ଉନ୍ନୟନ ନିଗମ ଦାୟିତ୍ବରେ ବି। ଏହାବ୍ୟତୀତ ୧୯୮୮ ବ୍ୟାଚ୍ ଆଇଏଏସ୍ ପରାଗ ଗୁପ୍ତାଙ୍କୁ ପ୍ରୋଫର୍ମା ପଦୋନ୍ନତି ମିଳିଛି।
ଅନ୍ୟପକ୍ଷରେ ଏଡିଜି ପାହ୍ୟାରେ ଥିବା ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ସରକାର ଡିିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ତାଙ୍କୁ କ୍ରାଇମବ୍ରାଞ୍ଚରୁ ବଦଳି କରାଯାଇ ଜେଲ ନିର୍ଦେଶକ ଭାବେ ନିଯୁକ୍ତି ମିଳିଛି। ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଏଡିଜି ଆର୍ ପି କୋଚେଙ୍କୁ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ଦାୟିତ୍ବ ଦିଆଯାଇଥିବା ବେଳେ ନିକଟରେ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଶ୍ରୀ ପ୍ରିୟଦର୍ଶୀ ଆଇନଶୃଙ୍ଖଳା ସହିତ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଦାୟିତ୍ବରେ ବି ରହିବେ। ଏସଏପି ଦାୟିତ୍ବରେ ଥିବା ଯତୀନ୍ଦ୍ର କୋଏଲଙ୍କୁ ଆଇଜି ପ୍ରୋଭିଜନିଂ ଭାବେ ନିଯୁକ୍ତି ମିଳିଛି। ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ସେହି କମିସନରେଟ୍ ପୁଲିସରେ ଅତିରିକ୍ତ ପୁଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ପରବର୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ସେ ଭୁବନେଶ୍ବର ଡିସିପି ଭାବେ ମଧ୍ୟ କାର୍ଯ୍ୟ କରିବେ।
ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଅନ୍ୟ କେଉଁ ବିଭାଗରେ କେତେଜଣଙ୍କୁ ପଦୋନ୍ନତି ମିଳିଲା ଏ ତଥ୍ୟ ମିଳିପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/mona-sharma.jpg)