କରୋନା ସାବଧାନତା: ସଙ୍ଗରୋଧ ହେଲେ ରାଜ୍ୟ ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର

ଭୁବନେଶ୍ବର : କରୋନାକୁ ନେଇ ସମସ୍ତେ ସଚେତନ ହୋଇଛନ୍ତି। ବିଦେଶରୁ ଫେରିବା ପରେ ପରେ ସରକାରଙ୍କର ୱେବ୍‌ସାଇଟ୍‌ରେ ନିଜକୁ ପଞ୍ଜୀକୃତ କରୁଛନ୍ତି ଓ ୧୪ ଦିନ ସଂଗରୋଧରେ ବି ରହୁଛନ୍ତି। ନିକଟ ଅତୀତରେ ନିଜ ଭଉଣୀ ବିଦେଶରୁ ଫେରିବା ପରେ ସଂଗରୋଧ ହେବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଜଣାଇଥିଲେ। ସେହିପରି ସଞ୍ଜୟ ଦାସବର୍ମା, ଆଇଏଏସ୍‌ ଭିନୀଲ କ୍ରିଷ୍ଣା ପ୍ରମୁଖ ବି ସଂଗରୋଧ ନେଇ ଟ୍ବିଟ୍‌ ଜରିଆରେ ଅବଗତ କରାଇଛନ୍ତି। ଆଜି ବରିଷ୍ଠ ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡା ତାଙ୍କ କନ୍ୟା ସନ୍ତାନକୁ ୧୪ ଦିନିଆ ସଂଗରୋଧରେ ରଖିଥିବା ଜଣାଇଛନ୍ତି। ସେ ନିଜେ ମଧ୍ୟ ସରକାରୀ ଗେଷ୍ଟ ହାଉସରେ ସଂଗରୋଧରେ ରହିଛନ୍ତି। ଅନ୍ୟ କେତେକ ଅଫିସରଙ୍କର ସନ୍ତାନ ବାହାରେ ଅଛନ୍ତି। ଓଡ଼ିଶା ଆସି ପାରୁନାହାନ୍ତି। କିନ୍ତୁ ସେମାନେ ସେଠାରେ ମଧ୍ୟ ନିଜକୁ ସଂଗରୋଧ ରଖିଛନ୍ତି ବୋଲି ସୂଚନା ମିଳିଛି।

ସଞ୍ଜୀବ ପଣ୍ଡାଙ୍କ ସୂଚନା ମୁତବକ, ତାଙ୍କ ଝିଅ ୟୁଏସ୍‌ର ଏକ ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥିଲା। ଗୁରୁବାର ସେ ଭୁବନେଶ୍ବର ଫେରିଛି। ଅନ୍‌ଲାଇନରେ କ୍ଲାସ୍‌ ଓ ପରୀକ୍ଷା ମଧ୍ୟ ହେବ। ଗୁରୁବାର ଦିନ ପହଞ୍ଚିବା ପରେ ସେ ଅନ୍‌ଲାଇନ୍‌ ପୋର୍ଟାଲରେ ନିଜକୁ ପଞ୍ଜୀକରଣ କରିଛି। ସେ ନିଜେ ମଧ୍ୟ ସଂଗରୋଧ ଉଦ୍ଦ‌େଶ୍ୟରେ ସରକାରଙ୍କ ଗେଷ୍ଟ ହାଉସ୍‌କୁ ଯାଇଛନ୍ତି। ଯାହା ଫଳରେ ତାଙ୍କର କାମ କରିବାରେ ସମସ୍ୟା ହେବ ନାହିଁ କିମ୍ବା ଭୂତାଣୁ ବ୍ୟାପିବା ନେଇ ଆଶଙ୍କା ରହିବ ନାହିଁ। ସେହିଭଳି ତାଙ୍କ ପତ୍ନୀ ସନ୍ତୋଷ ବାଲା ମଧ୍ୟ ୧୪ ଦିନ ଛୁଟିରେ ରହିଛନ୍ତି।

ସେହିଭଳି କରୋନା ପାଇଁ ନିକଟ ଅତୀତରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନେଇଥିବା ଆଇଏଏସ୍‌ ଅଫିସର ବିଶାଲ ଦେବ ମଧ୍ୟ ସଂଗରୋଧ ବ୍ୟବସ୍ଥା ହୋଇଥିବା ସରକାରୀ ଗେଷ୍ଟ ହାଉସ୍‌କୁ ଯାଇଥିବା ସୂଚନା ମିଳିଛି। ତାଙ୍କ ଝିଅ ମଧ୍ୟ ୟୁଏସ୍‌ରୁ ଫେରିଛନ୍ତି। ଦୁଇଦିନ ତଳୁ ସେ ତାଙ୍କ ଝିଅର ଅନ୍‌ଲାଇନ୍‌ପଞ୍ଜୀକରଣ କରିଥିବା ଜଣାପଡ଼ିଛି।

ଏମାନଙ୍କ ବ୍ୟତୀତ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପୁଅ ଦୁବାଇରେ ଚାକିରି କରିଛନ୍ତି। ସେ ସେଠାରେ ନିରାପଦ ଅଛନ୍ତି ଏବଂ ସଂଗରୋଧରେ ରହିଥିବା ଜଣାପଡ଼ିଛି। ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କ ପୁଅ ମଧ୍ୟ ଲଣ୍ଡନରେ କାମ କରୁଛନ୍ତି। କରୋନା ପାଇଁ ସେ ଭୁବନେଶ୍ବର ଫେରି ନାହାନ୍ତି। ତାଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ଜନଗହଳି ପୂର୍ଣ୍ଣ ଜାଗାକୁ ନ ଆସିବା ସହ ନିଜକୁ ନିରାପଦ ରଖିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବାକୁ କୁହାଯାଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଥଣ୍ଡା କାଶରେ ପୀଡ଼ିତ ବା ଅସୁସ୍ଥ ଅନୁଭବ କରୁଥିବା ସରକାରୀ ଅଧିକାରୀ ଛୁଟି ନେଇ ଘରେ ସଂଗରୋଧରେ ରହିପାରିବେ ବୋଲି ସରକାର ଗୁରୁବାର ଘୋଷଣା କରିଛନ୍ତି। ତା’ଛଡ଼ା ମାର୍ଚ୍ଚ ୪ ତାରିଖ ପରେ ଯେଉଁମାନଙ୍କର ସନ୍ତାନ ବିଦେଶରୁ ଫେରିଛନ୍ତି ସେମାନେ ନିଶ୍ଚୟ ୧୪ ଦିନ ସଂଗରୋଧରେ ରହିବେ। ଏଭଳି ଘୋଷଣା ପରେ ଅଧିକାରୀମାନେ ତତ୍ପର ହୋଇ ପଡ଼ିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ସମ୍ବନ୍ଧିତ ଖବର