ଭୁବନେଶ୍ୱର: ଉଦ୍ୟାନ କୃଷି ବିଭାଗର ତତ୍କାଳୀନ ନିର୍ଦ୍ଦେଶକ ଆଇଏଏସ୍ ଅଫିସର୍ ବିଜୟ କେତନ ଉପାଧ୍ୟାୟଙ୍କ ଦୁର୍ନୀତିର ପେଡ଼ି ଭିଜିଲାନ୍ସ ଖୋଲିବାରେ ଲାଗିଛି। ଘରୋଇ ବ୍ୟାଙ୍କ୍ ଉପସଭାପତି ସନ୍ତୋଷ ପଟ୍ଟନାୟକ ଓ ବିଜୟ କେତନ ମିଶି ମୋଟା ଅଙ୍କର ଆର୍ଥିକ ଫାଇଦା ନେଇଥିବା ନେଇ ପ୍ରମାଣ ମିଳିବା ପରେ ଆଜି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ମ୍ୟାନେଜ୍ମେଣ୍ଟ ଇନ୍ଫର୍ମେସନ ସେଣ୍ଟର(ଏମ୍ଆଇଏସ୍) କାର୍ଯ୍ୟନିର୍ବାହୀ ପୀତବାସ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଯେଉଁ ଲକ୍ଷେ ଟଙ୍କା ଲାଞ୍ଚ ଅଭିଯୋଗରେ ଆଇଏଏସ୍ ବିଜୟ କେତନଙ୍କୁ ଗିରଫ କରାଯାଇଥିଲା ସେଥିରେ ମଧ୍ୟସ୍ଥି ଭାବରେ ପୀତବାସ କାମ କରିଥିବା ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଗିରଫ ହୋଇଥିବା ବିଜୟ କେତନ ପୀତବାସଙ୍କ ଜରିଆରେ ସମସ୍ତ ପ୍ରକାରର ଲାଞ୍ଚ କାରବାର କରୁଥିବା ପଚରାଉଚରା ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି। ତାକୁ ଆଜି ଭୁବନେଶ୍ବର ସ୍ବତନ୍ତ୍ର ଜଜ୍ (ଭିଜିଲାନ୍ସ) କୋର୍ଟରେ ଉପସ୍ଥାପନ କରାଯିବା ପରେ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି। ପରେ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ପୀତବାସ ପ୍ରଧାନ ଆଉଟ୍ ସୋର୍ସିଂ ସଂସ୍ଥା ଜରିଆରେ ୨୦୧୪ ମସିହାରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ କାର୍ଯ୍ୟରେ ଯୋଗ ଦେବା ପରେ ପୀତବାସ ତାଙ୍କର ଘନିଷ୍ଠ ହୋଇଥିଲେ। ବିଭାଗର ମୁଖିଆ ତଥା ଆଇଏଏସ୍ ବିଜୟଙ୍କ ଆଶୀର୍ବାଦରେ ତାଙ୍କ ଚାକିରିର ନବୀକରଣ ହେବା ପରିବର୍ତ୍ତେ ଗତବର୍ଷ ସେପ୍ଟମ୍ବର ମାସରେ ତାକୁ ‘ଏମ୍ଆଇଏସ୍ ଏକଜିକ୍ୟୁଟିଭ୍’ ଭାବରେ ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ମିଳିଥିଲା। ଏହି ଗୁରୁ ଦାୟିତ୍ବ ନେବା ପରେ ସେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ବିଭିନ୍ନ ଡିଲରଙ୍କର ବିଲ୍ ପ୍ରୋସେସିଂ କରୁଥିଲେ। ଏହି ପ୍ରୋସେସିଂ ସମୟରେ ସେ ଡିଲର, ଘରୋଇ ବ୍ୟାଙ୍କ୍ ଉପସଭାପତି ସନ୍ତୋଷ ପଟ୍ଟନାୟକ ଓ ଆଇଏଏସ୍ ବିଜୟ କେତନଙ୍କ ମଧ୍ୟରେ ସମନ୍ବୟ ରଖୁଥିଲେ। ଡିଲର ସିଧାସଳଖ ବିଜୟଙ୍କ ପାଖରେ ପହଞ୍ଚିପାରୁନଥିଲା କିମ୍ବା ସନ୍ତୋଷଙ୍କ ପାଖରେ ମଧ୍ୟ ପହଞ୍ଚି ପାରୁନଥିଲା। ଫୋନ୍ ଜରିଆରେ ଯୋଗାଯୋଗ ହୋଇ ଲାଞ୍ଚ ଅର୍ଥର ଡିଲ୍ ଫାଇନାଲ ହେଉନଥିଲା। କାରଣ ଏଥିରେ ପ୍ରମାଣ ରହିବା ଆଶଙ୍କା ରହିଥିଲା। ସେଥିପାଇଁ ପୀତବାସ ଉପଯୁକ୍ତ ମାଧ୍ୟମ ସାଜିଥିଲେ। ଦାବି ମୁତାବକ ଅର୍ଥ ଦେବାକୁ ଡିଲର ରାଜି ହେଉଥିଲେ ବିଲ୍ ପ୍ରୋସୋସିଂ ଯୁଦ୍ଧକାଳୀନ ଭିତ୍ତିରେ ହେଉଥିଲା। ଡିଲର ରାଜି ହେଉନଥିବା ଜଣାପଡ଼ିଲେ ପ୍ରୋସେସିଂ ଧିମା ହେଉଥିଲା। ଉପରମୁଣ୍ଡରୁ ଆସୁଥିବା ନିର୍ଦ୍ଦେଶ ମୁତାବକ ବିଲ୍ ପ୍ରୋସେସିଂର ବେଗ ବଦଳୁଥିଲା। କୌଣସି ପ୍ରକାର ପ୍ରମାଣ ରଖାଯାଉନଥିଲା।
ଏସ୍ଆରଏମ୍ ପ୍ଲାଷ୍ଟୋକେମ୍ ପ୍ରାଇଭେଟ୍ ଲିମିଟେଡ୍ର ବିଲ୍ ପାସ୍ କରିବା ପାଇଁ ବିଜୟ କେତନ ଏକ ଲକ୍ଷ ଟଙ୍କା ଦାବି କରିଥିଲେ। ଏହି ସୂଚନା ପୀତବାସ ଏସ୍ଆରଏମ୍ ପ୍ଲାଷ୍ଟୋକେମ୍ ପ୍ରାଇଭେଟ୍ ଲିମିଟେଡ୍ର ମୁଖିଆଙ୍କ ପାଖରେ ପହଞ୍ଚାଇଥିଲେ। ପୀତବାସ ଡିଲର, ବିଜୟ କେତନ ଓ ବ୍ୟାଙ୍କ୍ ଉପସଭାପତି ସନ୍ତୋଷଙ୍କ ସହ ତ୍ରିକୋଣୀୟ ସମନ୍ବୟ ରକ୍ଷା କରିଥିଲେ ବୋଲି ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/IAS-bijay.jpeg)