ଜେଲ୍‌ ଗଲେ ଆଇଏଏସ୍‌ ବିଜୟ କେତନ

ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ, ବିଜୟଙ୍କ ପାଇଁ ୨୨ ଲକ୍ଷର ଚାକିରି ପାଇଥିଲେ ସନ୍ତୋଷ!

ଭୁବନେଶ୍ୱର : ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବରିଷ୍ଠ ଆଇଏଏସ୍‌ ଅଫିସର୍‌ ବିଜୟ କେତନ ଉପାଧ୍ୟାୟଙ୍କ ୫ ଦିନିଆ ରିମାଣ୍ଡ ଆଜି ଶେଷ ହେବା ପରେ ତାଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ବିଜୟଙ୍କ ସହ ତାଙ୍କ ସହଯୋଗୀ ଘରୋଇ ବ୍ୟାଙ୍କ ମ୍ୟାନେଜର ସନ୍ତୋଷ ପଟ୍ଟନାୟକ ମଧ୍ୟ ଜେଲ ଯାଇଛନ୍ତି। ଅପରପକ୍ଷେ ବିଜୟଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି। ପରବର୍ତ୍ତୀ ଶୁଣାଣି ଆସନ୍ତା ୮ ତାରିଖରେ ରହିଛି ବୋଲି ସ୍ବତନ୍ତ୍ର ପିପି ହେମନ୍ତ ସ୍ବାଇଁ ସୂଚନା ଦେଇଛନ୍ତି। ତେବେ ୫ ଦିନର ଏହି ତନାଘନାରେ ଭିଜିଲାନ୍ସ ଅନେକ ତଥ୍ୟ ହାସଲ କରିଛି। ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ଫସାଇଥିଲେ ବୋଲି ସେ ଯେଉଁ ଅଭିଯୋଗ କରିଥିଲେ, ତାହା ମିଥ୍ୟା ବୋଲି ଭିଜିଲାନ୍ସ ପ୍ରମାଣ ପାଇଛି। ବିଜୟଙ୍କ ବିରୋଧ‌‌ରେ ଅନିୟମିତତାର ଏକ ଲମ୍ବା ଚଉଡ଼ା ତାଲିକା ଜାରି କରିଛି ଭିଜିଲାନ୍ସ।

ସୂଚନା ମୁତାବକ, ବିଜୟ କେତନଙ୍କ ସହ ବନ୍ଧା ହୋଇଥିବା ଏକ ଘରୋଇ ବ୍ୟାଙ୍କ୍‌ର ରିଲେସନ୍‌ ମ୍ୟା‌ନେଜର୍‌ ସନ୍ତୋଷ ପଟ୍ଟନାୟକଙ୍କର ସମ୍ପର୍କ ଦୀର୍ଘ ବର୍ଷର। ୨୦୧୬ ମେ’ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବିଜୟ କେତନ କଟକରେ ମତ୍ସ୍ୟ ନିର୍ଦ୍ଦେଶକ ଭାବେ କାମ କରିବାବେଳେ ସନ୍ତୋଷ ଅନ୍ୟ ଏକ ଘରୋଥ ବ୍ୟାଙ୍କ୍‌ର ଚାନ୍ଦିନୀଚୌକ ଶାଖାରେ ବରିଷ୍ଠ ପରିଚାଳକ ତଥା ଶାଖା ମୁଖ୍ୟ ରହିଥିଲେ। ସନ୍ତୋଷଙ୍କ ଅନୁରୋଧକ୍ରମେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଆର୍ଥିକ କାରବାର କରିବା ପାଇଁ ସେହି ବ୍ୟାଙ୍କ୍‌ରେ ହିତାଧିକାରୀ ଆକାଉଣ୍ଟ ଖୋଲିବା ପାଇଁ ବିଜୟ ନିର୍ଦ୍ଦେଶ ଦେଇଥିଲେ। ଏହି ବ୍ୟାଙ୍କ୍‌ରେ ବିଭାଗର ଏକ ଆକାଉଣ୍ଟ ଖୋଲି ସେ ୬ଟି ଭିନ୍ନ ଭିନ୍ନ ବ୍ୟାଙ୍କ୍‌ରେ ଥିବା ଆକାଉଣ୍ଟ ବନ୍ଦ କରିଦେଇଥିଲେ। ଏହି ବ୍ୟାଙ୍କ୍‌ର ନୂଆ ଆକାଉଣ୍ଟକୁ ଅନ୍ୟ ବ୍ୟାଙ୍କ୍‌ର ୮କୋଟି ସରକାରୀ ଅର୍ଥ ସ୍ଥାନାନ୍ତର କରିଥିଲେ।

୨୦୧୮ରେ ସନ୍ତୋଷ ଏଠାରୁ ଚାକିରି ଛାଡ଼ି ଆଉ ଏକ ଘରୋଇ ବ୍ୟାଙ୍କ୍‌କୁ ଆସିଥିବାବେଳେ ୨୦୧୯‌ ଜୁନ ମାସରେ ପୁନର୍ବାର ସେ ବର୍ତ୍ତମାନ ଚାକିରି କରିଥିବା ଘରୋଇ ବ୍ୟାଙ୍କ୍‌ରେ ଯୋଗ ଦେଇଥିଲେ। ଆଉ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ସନ୍ତୋଷଙ୍କ ପରାମର୍ଶକ୍ରମେ ସେହି ଜୁନ ମାସରେ ହିଁ ଉଦ୍ୟାନ କୃଷି ବିଭାଗର ଏକ ଆକାଉଣ୍ଟ ଏହି ବ୍ୟାଙ୍କ୍‌ରେ ଖୋଲିଥିଲେ। ଫନିରେ କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଆସିଥିବା‌ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିର ସ୍ବତନ୍ତ୍ର ପ୍ୟାକେଜ୍‌ ୫୦କୋଟି ଟଙ୍କା ଏହି ଖାତାରେ ଜମା ହୋଇଥିଲା। ବିଜୟଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଏହି କାରବାର ପାଇଁ ପୂର୍ବରୁ ସନ୍ତୋଷ ବାର୍ଷିକ ୭ ଲକ୍ଷ ଟଙ୍କା ଦରମା ପାଉଥିବା ସନ୍ତୋଷଙ୍କୁ ଏଠାରେ ବାର୍ଷିକ ୨୨ଲକ୍ଷ ଟଙ୍କାରେ ଚାକିରି ମିଳିଥିଲା ବୋଲି କୁହାଯାଉଛି।

କେବଳ ଏତିକି ନୁହେଁ, ସରକାରଙ୍କ ଅନ୍ୟ ୪ଟି ବିଭାଗର ଖାତା ମଧ୍ୟ ଏହି ବ୍ୟାଙ୍କ୍‌‌ରେ ବିଜୟଙ୍କ ପ୍ରରୋଚନାରେ ଖୋଲା ଯାଇଥିଲା ଏବଂ ଅନ୍ୟ ଦୁଇଟି ବ୍ୟାଙ୍କ୍‌ରେ ଥିବା ସରକାରୀ ଖାତା ସେ ବନ୍ଦ କରାଇଥିଲେ। ଏଭଳି ଆକାଉଣ୍ଟ ବନ୍ଦ-ଖୋଲା କାରବାର ଭିତରେ ବିଭିନ୍ନ ସରକାରୀ ସ୍କିମ୍‌ର ୭୯କୋଟି ୨୦ ଲକ୍ଷ ଟଙ୍କା ଘରୋଇ ବ୍ୟାଙ୍କ୍‌ରେ ଜମା ହୋଇଥିଲା। ଏହି କାରବାର ପାଇଁ ବିଜୟ ସନ୍ତୋଷଙ୍କ ସହ ସଲାସୁତୁରା ହୋଇ ମୋଟା ଅଙ୍କର ଅର୍ଥ ନେଉଥିଲେ। ସନ୍ତୋଷ ଏହି ଅର୍ଥ ବିଭିନ୍ନ ଯୋଜନାର ହିତାଧିକାରୀ, ସପ୍ଲାୟର, ଡିଲରଙ୍କଠାରୁ ସଂଗ୍ରହ କରୁଥିଲା। ଏହି କାରବାର ନିୟମିତ ଚାଲୁଥିଲା। ସନ୍ତୋଷ ବିଭିନ୍ନ ସେୟାର, ଇନ୍‌ସ୍ୟୁରାନ୍ସ, ମ୍ୟୁଚୁଆଲ୍‌ ଫଣ୍ଡ କାରବାର ମଧ୍ୟ କରୁଥିଲେ।

ବିଜୟଙ୍କଠାରୁ ଜବତ ହୋଇଥିବା ପେନ୍‌ ଡ୍ରାଇଭ୍‌, ଲ୍ୟାପ୍‌ଟପ୍‌, ଆଇ-ପ୍ୟାଡ୍‌, ମୋବାଇଲ ଫୋନ୍‌କୁ ନେଇ ଖୋଳତାଡ଼ ଚାଲିଛି। ଏଥିରେ ମଧ୍ୟ ଅନେକ ତଥ୍ୟ ରହିଛି, ଯେଉଁଥିରେ ଅନିୟମିତତାର ପ୍ରମାଣ ରହିଛି। ଏହି ଅନିୟମିତତାର ଛାନ୍‌ଭିନ୍‌ କରିବା ପାଇଁ ଭିଜିଲାନ୍ସ ସେଲ୍‌ ଅଫିସର୍‌, ସାଇବର ଓ ସେଲ୍‌ ଫୋନ୍‌ ଫରେନ୍‌ସିକ୍‌ ଏକ୍ସପର୍ଟ, ବ୍ୟାଙ୍କ୍‌ ଅଫିସର, ଚାଟାର୍ଡ ଆକାଉଣ୍ଟାଣ୍ଟ, ଫାଇନାନ୍‌ସିଆଲ ଓ ଆଇଟି ପରାମର୍ଶଦାତାଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର