ଭୁବନେଶ୍ବର: ଆଇଏଏସ ବିଜୟ କେତନ ଉପାଧ୍ୟାୟ ଓ ବ୍ୟାଙ୍କ ଉପସଭାପତି ସନ୍ତୋଷ ପଟ୍ଟନାୟକଙ୍କ ବ୍ୟାଙ୍କ କାରବାର ଉପରେ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ତଦନ୍ତବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି, ଦୁହିଁଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଜମା ଦୋଇଛି। ଯାହାକି ସନ୍ଦେହପୂର୍ଣ୍ଣ ବୋଲି ଭିଜିଲାନ୍ସ କହିଛି। କେଉଁ ପରିସ୍ଥିତିରେ ଏତେଗୁଡିଏ ଟଙ୍କା ଜମା ହେଲା, କିଏ ଜମା କଲା, କାହିଁକି ଜମା କଲା ତାର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ। ତଦନ୍ତବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି କି, ୨୦୧୨ରୁ ୨୦୧୯ ବର୍ଷ ମଧ୍ୟରେ ଆଇଏଏସ ଶ୍ରୀ ଉପାଧ୍ୟାୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ଟି ଘରୋଇ ବ୍ୟାଙ୍କରେ ୭୦ ଲକ୍ଷ ଟଙ୍କା ଜମା ହୋଇଛି। ଏହି ସବୁ ଟଙ୍କା ବ୍ୟାଙ୍କର କ୍ୟାସ କାଉଣ୍ଟର ଓ ମେସିନ ମାଧ୍ୟମରେ ଜମା ହୋଇଛି। ଏହି ୭୦ ଲକ୍ଷ ଟଙ୍କାର କାରବାର ମଧ୍ୟରୁ ୨୨ ଲକ୍ଷ ଟଙ୍କାର କାରବାର କେବଳ ଆଇଏଏସ ଶ୍ରୀ ଉପାଧ୍ୟାୟ ଉଦ୍ୟାନ କୃଷି ବିଭାଗର ନିର୍ଦେଶକ ଥିଲା ସମୟରେ ହୋଇଥିଲା। ଯେଉଁ ସବୁ ଆକାଉଣ୍ଟରୁ ଆଇଏଏସ ଶ୍ରୀ ଉପାଧ୍ୟାୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା କାରବାର ହୋଇଛି ସେ ସବୁ ଆକାଉଣ୍ଟ ଓ ଆକାଉଣ୍ଟଧାରୀଙ୍କୁ ନେଇ ସନ୍ଦେହ କରିଛି ଭିଜିଲାନ୍ସ। ସେହିପରି ବ୍ୟାଙ୍କ ଉପସଭାପତି ସନ୍ତୋଷ ପଟ୍ଟନାୟକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଶେଷ ୫ ମାସ ମଧ୍ୟରେ ୭ ଲକ୍ଷ ଟଙ୍କା ଜମା ହୋଇଛି।

Advertisment

ଅନ୍ୟପକ୍ଷରେ ଆଇଏଏସ ଶ୍ରୀ ଉପାଧ୍ୟାୟ ଓ ବ୍ୟାଙ୍କ ଉପସଭାପତି ଶ୍ରୀ ପଟ୍ଟନାୟକଙ୍କ ବ୍ୟାଙ୍କ ଆକାଉଣ୍ଟ, କ୍ରେଡିଟକାର୍ଡ ଟ୍ରାନଜାକ୍‌ସନ ଜାଣିବା ଲାଗି ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସେହିପରି ସେମାନଙ୍କର ବିଭିନ୍ନ ମ୍ୟୁଚୁଆଲ ଫଣ୍ଡ୍, ସେୟାର ମାର୍କେଟରେ ପୁଞ୍ଜି ନିବେଶ ସମ୍ପର୍କରେ ଜାଣିବା ପାଇଁ ଭିଜିଲାନ୍ସ ପକ୍ଷରୁ ଏନ୍‌ଏସ୍‌ଡିଏଲ୍‌, ସିଡିଏସ୍‌ଏଲ୍‌ ଓ ସିଏଏମ୍‌ଏସ୍‌କୁ ଚିଠି ଲେଖିଛି ଭିଜିଲାନ୍ସ। ଭିଜିଲାନ୍ସର ଏହି ତଦନ୍ତରେ ଫରେନ୍‌ସିକ୍ ଟିମ୍, ଭିଜିଲାନ୍ସ ସେଲ, ସେଲଫୋନ୍ ଫୋରେନସିକ୍ ଏକ୍ସପର୍ଟ, ବ୍ୟାଙ୍କ ଅଫିସର, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଓ ଆଇଟି ବିଶେଷଜ୍ଞମାନେ ସହଯୋଗ କରୁଛନ୍ତି ।