ଭୁବନେଶ୍ବର : ଲୋକାୟୁକ୍ତଙ୍କ ହସ୍ତକ୍ଷେପ ପରେ ବହୁଚର୍ଚ୍ଚିତ ଓଡ଼ିଶା ସମବାୟ ବ୍ୟାଙ୍କ ଦୁର୍ନୀତି ଅଭିଯୋଗ ମାମଲାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୋଇ ନ ଥି‌ଲେ ହେଁ ସେ ନିଜ ପତ୍ନୀ ଓ ବାପାଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ମେଡିକାଲ ବିଲ୍ ଦେଇ ନେଇଥିବା ଟଙ୍କା ଫେରାଇ ଦେଇଛନ୍ତି। ଏ ବାବଦ ମୋଟ ୩.୨୭ ଲକ୍ଷ ଟଙ୍କାକୁ ସେ ୩ଟି ଚେକ୍‌ରେ ଫେରାଇଥିବା ଜଣାପଡ଼ିଛି। ତେବେ ରାଜ୍ୟ ସରକାର ଚାହିଲେ ଏହି ବିଲ୍‌କୁ ଭରଣା କରିପାରିବେ ବୋଲି ଲୋକାୟୁକ୍ତ କହିଛନ୍ତି।

Advertisment

ଓଡ଼ିଶା ସମବାୟ ବ୍ୟାଙ୍କର ମ୍ୟାନେଜମେଣ୍ଟ ଇନଚାର୍ଜ ଥିବା ସମୟରେ ଶ୍ରୀ ସେଠୀ ଭତ୍ତା ଓ ଅନ୍ୟାନ୍ୟ ବାବଦରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ମେଡିକାଲ ବିଲ୍‌ ବାବଦରେ ଦେଢ଼ ଲକ୍ଷ ଓ ପରବର୍ତ୍ତୀ ସମୟରେ ଅନ୍ୟ ମେଡିକାଲ ଖର୍ଚ୍ଚ ବାବଦରେ ୯.୪୬ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ‌ ହୋଇଥିଲା। ସମବାୟ ବ୍ୟାଙ୍କର ଜଣେ କର୍ମଚାରୀ ହୋଇ ନ ଥିବା ସତ୍ତ୍ବେ ବ୍ୟାଙ୍କରୁ କୌଣସି ପ୍ରକାରର ଭତ୍ତା ପାଇବା ପାଇଁ ସେ ‌ଯୋଗ୍ୟ ନ ଥିବା ଅଭିଯୋଗକାରୀ ଶ୍ରୀକାନ୍ତ ପାକଳ ଲୋକାୟୁକ୍ତରେ ଦର୍ଶାଇଥିଲେ। ଲୋକାୟୁକ୍ତ ଶ୍ରୀ ସେଠୀଙ୍କୁ ଏହାର ଉତ୍ତର ରଖିବା ପାଇଁ କହିଥିଲେ। ଉତ୍ତରରେ ଶ୍ରୀ ସେଠୀ ତାଙ୍କ ବାପା ଓ ସ୍ତ୍ରୀଙ୍କର ମେଡିକାଲ ବିଲ୍‌ ବାବଦରେ ୩.୨୭ ଲକ୍ଷ ଟଙ୍କା ନେଇଥିବା ସ୍ବୀକାର କରିଥିଲେ। ମାତ୍ର ଅନ୍ୟ ମେଡିକାଲ ଖର୍ଚ୍ଚ ବାବଦରେ ୯.୪୬ ଲକ୍ଷ ଟଙ୍କା ନେଇ ନ ଥିବା କହିଥିଲେ। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ମେଡିକାଲ ବିଲ୍‌ ବାବଦ ଟଙ୍କା ଭରଣା କରାଯାଇଥିବା କହିବା ସହିତ ଏ ସମ୍ପର୍କିତ କାଗଜପତ୍ର ଦାଖଲ କରିଥିଲ। ଉଭୟ ପକ୍ଷର ଉତ୍ତର ଦାଖଲ ପରେ ଲୋକାୟୁକ୍ତ ନିଜ ତଦନ୍ତ ନିର୍ଦେଶକଙ୍କୁ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ତଦନ୍ତ ନିର୍ଦେଶକ ଗତ ଏପ୍ରିଲ୯ ତାରିଖରେ ଏ ସମ୍ପର୍କିତ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲେ। ଜଣେ ସରକାରୀ କର୍ମଚାରୀ ଭାବେ ଶ୍ରୀ ସେଠୀ ସମବାୟ ବ୍ୟାଙ୍କରେ ସମ୍ପୂର୍ଣ୍ଣ ଭାବେ ନିୟୋଜିତ ଥିବା ଦୃଷ୍ଟିରୁ ୧୯୮୦ କର୍ମଚାରୀ ସେବା ରୁଲ୍‌ ଅନୁଯାୟୀ ବୋନସ୍‌ ପାଇବାକୁ ହକ୍‌ଦାର। ଏହାସହ ୯.୪୬ ଲକ୍ଷ ଟଙ୍କାର ଅଭିଯୋଗରେ ସତ୍ୟତା ନ ଥିବା ତଦନ୍ତ ନିର୍ଦେଶକ ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ। ତେଣୁ ଶ୍ରୀ ସେଠୀଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ‌କୌଣସି ସତ୍ୟତା ନ ଥିବା ଲୋକାୟୁକ୍ତ କହିଥିଲେ।

ଅନ୍ୟପକ୍ଷରେ ତଦନ୍ତ ନିର୍ଦେଶକଙ୍କ ରିପୋର୍ଟ ଶ୍ରୀ ସେଠୀଙ୍କ ସପକ୍ଷରେ ରହିଥି‌ଲେ ହେଁ ଗତମାସ ୨୫ ତାରିଖରେ ସେ ୩.୨୭ ଲକ୍ଷ ଟଙ୍କା ରାଜ୍ୟ ସମବାୟ ବ୍ୟାଙ୍କକୁ ଫେରାଇ ଦେଇଛନ୍ତି। ଏ ଦୃଷ୍ଟିରୁ ମାମଲାକୁ ଲୋକାୟୁକ୍ତ ବନ୍ଦ କରିଦେଇଛନ୍ତି। ଅଭିଯୋଗକାରୀ ଶ୍ରୀକାନ୍ତ ପାକଳ କହିଛନ୍ତି ତଦନ୍ତ ନିର୍ଦେଶକ ସମ୍ପୂର୍ଣ୍ଣ ଭାବେ ବିଷ୍ଣୁପଦ ସେଠୀଙ୍କୁ ଖସାଇଦେବା ଲାଗି ଏଭଳି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଶ୍ରୀ ସେଠୀ ସମବାୟ ବ୍ୟାଙ୍କର ଜଣେ କର୍ମଚାରୀ ନୁହନ୍ତି ଓ ଭତ୍ତା ପାଇବା ପାଇଁ ହେଲେ ଏଥିପାଇଁ ଏକ ବାର୍ଷିକ ବଜେଟ ପ୍ରସ୍ତୁତ କରିବାକୁ ପଡ଼େ। ଯଦି ଲାଭ ହୁଏ ତାହାଲେ ତାହାର ୧୦ ପ୍ରତିଶତ କର୍ମଚାରୀଙ୍କ ଭିତରେ ବଣ୍ଟାଯାଇଥାଏ। ତାହା ପୁଣି ବୋର୍ଡର ନିର୍ଦେଶକଙ୍କ ଅନୁମତିରେ କାର୍ଯ୍ୟକାରୀ ହୋଇଥାଏ। ତେଣୁ ଲୋକାୟୁକ୍ତଙ୍କ ଏହି ଅର୍ଡରକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବା ସହିତ ରାଜ୍ୟପାଳଙ୍କ ପାଖରେ ଅଭିଯୋଗ କରାଯିବ ବୋଲି ଶ୍ରୀ ପାକଳ କହିଛନ୍ତି।