ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଇଏଏସ୍‌ ବିନୋଦ କୁମାର ଦୋଷୀ

ଭୁବନେଶ୍ୱର: ବହୁ ଚର୍ଚିତ ଓଆର୍‌ଏଚ୍‌ଡିସି (ଓଡ଼ିଶା ରୁରାଲ୍‌ ହାଉସିଂ ଆଣ୍ଡ ଡେଭଲପମେଣ୍ଟ୍‌ କର୍ପୋରେସନ୍‌) ଦୁର୍ନୀତି ମାମଲାରେ ଆଜି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ରାୟ ପ୍ରକାଶ ପ୍ରକାଶ କରିଛନ୍ତି। ସମସ୍ତ ୬ ଜଣ ଅଭିଯୁକ୍ତ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନେ ହେଲେ ବରିଷ୍ଠ ଆଇଏଏସ୍‌ ତଥା ତତ୍କାଳୀନ ଓଆରଏଚ୍‌ଡିସିର ପରିଚାଳନା ନିର୍ଦେଶକ ବିନୋଦ କୁମାର, ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ନିର୍ଦେଶକ ସଂଜୟ ମହାନ୍ତି, ଆକାଉଣ୍ଟାଣ୍ଟ୍‌ ପ୍ରଦୀପ ରାଉତ, ଆକାଉଣ୍ଟାଣ୍ଟ୍‌ ଚିତ୍ତରଂଜନ ମଲ୍ଲିକ ଓ ଗ୍ରାମ୍ୟ ବିକାଶ ମଞ୍ଚ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଆଶିଷ କୁମାର ନାୟକ ପ୍ରମୁଖ। ଆଜିର ଶୁଣାଣିବେଳେ କେବଳ ଆକାଉଣ୍ଟାଣ୍ଟ୍‌ ଚିତ୍ତରଂଜନ କୋର୍ଟରେ ଉପସ୍ଥିତ ଥିଲେ। ତେଣୁ ତାଙ୍କୁ କୋର୍ଟ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୭୫ ହଜାର ଟଙ୍କା ଜରିମାନା କରିଛନ୍ତି। ଅନ୍ୟମାନେ କୋର୍ଟରେ ଉପସ୍ଥିତ ନ ଥିବା କାରଣରୁ ସେମାନଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ (ଜାମିନବିହୀନ ଗିରଫ ପରଓ୍ଵାନା) ଜାରି କରାଯାଇଛି। ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ କମିସନରେଟ୍‌ ପୁଲିସ ଓ ଭିଜିଲାନ୍ସ କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଗିରଫ ପରେ ସେମାନଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ ବୋଲି କୋର୍ଟ ସୂତ୍ରରୁ ଜଣାପଡ଼ିଛି।

କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୧୯୯୯ ମହାବାତ୍ୟା ପରେ କେନ୍ଦ୍ର ସରକାର ଓଡ଼ିଶାରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଏହି ଯୋଜନାର ହୁଡ୍‌କୋ ଥିଲା ନୋଡାଲ ଏଜେନ୍‌ସି। ହୁଡ୍‌କୋ ଓଆର୍‌ଏଚ୍‌ଡିସି ସହିତ ରାଜିନାମା କରିଥିଲା। କିନ୍ତୁ ଓଆରଏଚଡିସି ରାଜିନାମାର ଖିଲାପ କରି ଗ୍ରାମ୍ୟ ବିକାଶ ମଞ୍ଚ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନକୁ ବାତ୍ୟା ଆଶୟସ୍ଥଳୀ ନିର୍ମାଣ କରିବାକୁ ଅନୁମତି ପ୍ରଦାନ କରିଥିଲେ। ଏ ବାବଦରେ ଉକ୍ତ ସଂଗଠନ ବାଲିପାଟଣା ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ୨୧ ଲକ୍ଷ ଟଙ୍କା ଋଣ ନେଇଥିଲେ। କିନ୍ତୁ ଉକ୍ତ ସଂସ୍ଥା କୌଣସି ବି ଗୋଟିଏ ସ୍ଥାନରେ ବି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରି ନ ଥିଲା। ଏହି ଟଙ୍କାର ସୁଧ ବଢ଼ି ବଢ଼ି ୫୫ ଲକ୍ଷରେ ପହଞ୍ଚିଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ୨୦୦୭ରେ ମାମଲା ରୁଜୁ କରାଯାଇଥିଲା। ଭିଜିଲାନ୍ସ ତଦନ୍ତ କରି ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ୧୮ ଜଣଙ୍କ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ମାନ୍ୟବର ବିଚାରପତି ରାଜେନ୍ଦ୍ର କୁମାର ତୋଷ ଏହି ରାୟ ପ୍ରଦାନ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ତଥା ସ୍ୱତନ୍ତ୍ର ପିପି ହେମନ୍ତ କୁମାର ସ୍ୱାଇଁ। ଏଠାରେ ଉଲ୍ଲେଖଥାଉକି, ୨୦୧୧ ମସିହା ଅଗଷ୍ଟ ମାସରେ ୧୯୮୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ଓ ସରକାର ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ପରେ ସରକାର ତାଙ୍କ ଉପରୁ ନିଲମ୍ବନ ଉଠାଇ ନେଇଥିଲେ। ଆଇଏଏସ ବିନୋଦ କୁମାର ଏବେ ଉଚ୍ଚଶିକ୍ଷା ବିଭାଗର ଓଏସ୍‌ଡି ଭାବେ କାର୍ଯ୍ୟରତ ଅଛନ୍ତି।

ହାଁସଦାଙ୍କୁ ଜାମିନ

ନୂଆଦିଲ୍ଲୀ: ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଆଜି ବିଜେଡିର ନିଲମ୍ବିତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୧୪ ନଭେମ୍ବର ୪ରୁ ସିବିଆଇ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ସାଂସଦ ହାଁସଦାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ ତଳ କୋର୍ଟ ଓ ହାଇକୋର୍ଟ ସାଂସଦଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ହାଁସଦାଙ୍କ ଜାମିନ ଆବେଦନ ଦୁଇଥର ଅଗ୍ରାହ୍ୟ କରିଦେଇଥିଲେ।

ଆଜି ସୁପ୍ରିମକୋର୍ଟର ବିଚାରପତି ଏକେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆଜି ତାଙ୍କୁ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି। ଶୁଣାଣି ସମୟରେ ହାଁସଦାଙ୍କ ଓକିଲ ଦୃଢ଼ ଯୁକ୍ତି ବାଢ଼ି କହିଥିଲେ ଯେ ନବ ଦିଗନ୍ତ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ସମୁଦାୟ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଦୋଷ ସ୍ୱୀକାର କରିଥିବାବେଳେ ସେମାନଙ୍କ ୩ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ଅନ୍ୟ ୩ ଜଣଙ୍କୁ ଜାମିନ ମିଳି ସାରିଥିବାବେଳେ ରାମଚନ୍ଦ୍ର ହାଁସଦା ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜାମିନ୍‌ ନପାଇ ଜେଲ୍‌ରେ ଅଛନ୍ତି। ତେଣୁ ତାଙ୍କ ଜାମିନ ଆବେଦନର ବିଚାର କରାଯାଉ। ଅପରପକ୍ଷେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନକୁ ସିବିଆଇ ଦ୍ୱାରା ଜୋରଦାର ବିରୋଧ କରାଯାଇଥିଲା। ତେବେ କୋର୍ଟ ସିବିଆଇ ଓକିଲଙ୍କୁ ପ୍ରଶ୍ନ କରିଥିଲେ ଯଦି ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ଜାମିନ ମିଳିସାରିଛି ତେବେ ହାଁସଦାଙ୍କୁ କାହିଁକି ଜାମିନ ପ୍ରଦାନ କରାଯାଇ ପାରିବନାହିଁ। ହେଲେ ସିବିଆଇ ଓକିଲଙ୍କ ଉତ୍ତର ଖଣ୍ଡପୀଠଙ୍କ ଉପରେ କୌଣସି ପ୍ରଭାବ ନପକାଇବାରୁ ଖଣ୍ଡପୀଠ ରାମଚନ୍ଦ୍ର ହାଁସଦାଙ୍କୁ ଜାମିନ ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସିବିଆଇ ନଭେମ୍ବର ୪, ୨୦୧୪ରେ ଗିରଫ କରିଥିଲା। ଗିରଫ କରିବା ସମୟରେ ସିବିଆଇ ହାଁସଦାଙ୍କ ନିକଟରୁ ୨୮ ଲକ୍ଷ ଟଙ୍କା ଜବତ କରିଥିଲା। ରାମଚନ୍ଦ୍ର ବିଜେଡି ଟିକେଟ୍‌ରେ ମୟୁରଭଂଜ ଆସନରୁ ଲୋକସଭା ସାଂସଦ ରୂପେ ଜିତିଥିଲେ। ତେବେ ସିବିଆଇ ଦ୍ୱାରା ଗିରଫ ହେବାପରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା।

ସମ୍ବନ୍ଧିତ ଖବର