ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏଏସ୍ ଅଧିକାରୀସ୍ତରରେ ଅଦଳବଦଳ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ, ଲଘୁ ଖଣିଜ ନିର୍ଦ୍ଦେଶକ ସମର୍ଥ ବର୍ମା, ଓଡ଼ିଶା ଉଠାଜଳସେଚନ ନିଗମ ପରିଚାଳନା ନିର୍ଦ୍ଦେଶକ ସ୍ବାଧାଦେବ ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯାଉଥିବାରୁ ସମସ୍ତଙ୍କୁ ଅକ୍ଟୋବର ୧୩ରେ ରିଲିଭ୍ କରାଯିବ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଆଇଏଏସ୍ ଅଧିକାରୀସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସ୍ ଏନ୍ଙ୍କୁ ମିସନ୍ ଶକ୍ତି ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ବିଡିଏ ଉପାଧ୍ୟକ୍ଷ ଥିବା ଏନ୍ ତିରୁମାଲା ନାଏକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଭାବେ ବଦଳି ହୋଇଛି। ବିଏମ୍ସି କମିସନର ଚଞ୍ଚଲ ରାଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହାସହ ସେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।
ପର୍ଯ୍ୟଟନ ନିର୍ଦ୍ଦେଶକ ମାନସୀ ନିମ୍ଭାଲଙ୍କୁ ଓଡ଼ିଶା ଉଠା ଜଳ ସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଏହାସହିତ ସେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର ମୀନାଙ୍କୁ ଅନୁସୂଚିତ ଜନଜାତି ଏବଂ ଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଅନୁସୂଚିତ ଜନଜାତି ଏବଂ ଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଥିବା ପ୍ରେମଜିତ ନାୟକଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ, ହକି ପ୍ରମୋସନ୍ କାଉନସିଲ୍ର ସିଇଓ ଦୀପଙ୍କର ମହାପାତ୍ରଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଶ୍ରୀ ମହାପାତ୍ର ମଧ୍ୟ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ, ଗୃହ ବିଭାଗର ଅତିରିକ୍ତ ସଚିବ ନିବେଦିତା ପୃଷ୍ଟିଙ୍କୁ ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଶ୍ରୀମତୀ ପୃଷ୍ଟି ହସ୍ତକଳା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।
ସେହିପରି ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ମଧୁସ୍ମିତା ସାମଲଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିବାବେଳେ ସେ ଏସ୍ଆଇଆର୍ଡିର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। କ୍ରୁଟ୍ର ମ୍ୟାନେଜର (ପ୍ରଶାସନିକ) ସଞ୍ଜୟ କୁମାର ବିଶ୍ବାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଏହାବାଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ କାହ୍ନୁଚରଣ ଧୀର୍ଙ୍କର ଲଘୁ ଖଣିଜ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି।