ଭୁବନେଶ୍ବର: ପୁଣି ‌ଲୋକାୟୁକ୍ତରେ ହାଜର ହେଲେ ସରକାରଙ୍କ ଦ୍ବାରା  କୋଭିଡ୍-୧୯ ପରିଚାଳନା ଲାଗି ସାମଗ୍ରୀ ଯୋଗାଣ ପାଇଁ ଗଠିତ  କ୍ରୟ କମିଟିର ପ୍ରାକ୍ତନ ମୁଖ୍ୟ ଆଇଏଏସ୍‌ ହେମନ୍ତ ଶର୍ମା। ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ‌ା ଯାମିନୀ ଷଡ଼ଙ୍ଗୀ ବି ହାଜର ହୋଇଛନ୍ତି। ଆଜି ଲୋକାୟୁକ୍ତରେ କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାସ୍କ, ପିପିଇ କିଟ୍ ଓ ସାନିଟାଇଜର କିଣାରେ ହୋଇଥିବା ବ୍ୟାପକ ଅନିୟମିତତା ନେଇ ଦାୟର ମାମଲାର ଚୂଡ଼‌ାନ୍ତ ଶୁଣାଣି ହେବାର ସମ୍ଭାବନା ରହିଛି। ଏଥିପୂର୍ବରୁ ଏହି ଦୁଇ ଅଧିକାରୀ ଏକାଧିକ ବାର ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିସାରିଥିବା ସୂଚନା ରହିଛି।

Advertisment

ପୂର୍ବରୁ ମାସ୍କ, ପିପିଇ ଓ ସାନିଟାଇଜର କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ରାଜ୍ୟ କଂଗ୍ରେସ ଏଥିପାଇଁ ମାମଲା ଦାୟର କରିଥିବା ବେଳେ ପରେ ଏ ନେଇ  ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମଧ୍ୟ ଏକ ମାମଲା ଦାୟର ହୋଇଥିଲା। ଦେଶର ଅନ୍ୟ ରାଜ୍ୟମାନେ ୱେବସାଇଟ୍‌ରେ ନିଜର ସାମଗ୍ରୀ କିଣା ନେଇ ସ୍ବଚ୍ଛତା ଅବଲମ୍ବନ କରୁଥିବା ବେଳେ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ତାହା କରାଯାଇ ନ ଥିବା ସଂସ୍ଥା ପକ୍ଷରୁ ଲୋକାୟୁକ୍ତଙ୍କୁ ଦର୍ଶାଯାଇଥିଲା।

ଉଲ୍ଲେଖଯୋଗ୍ୟ, ମାସ୍କ କିଣାରେ ଦୁର୍ନୀତି ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଗତ ଜୁନ୍‌ରେ ଥାନାରେ ଏତଲା ହୋଇଥି‌ଲା। ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା।