ବାବୁଙ୍କୁ ନୂଆବର୍ଷ ଭେଟିଦେଲେ ସରକାର : ରେକର୍ଡ ସଂଖ୍ୟକ ଆଇଏଏସ୍, ଆଇପିଏସଙ୍କୁ ପଦୋନ୍ନତି

ହେମନ୍ତ, ବିଷ୍ଣୁ, ଚିତ୍ରା, ଲୋହାନିଙ୍କୁ ପ୍ରମୁଖ ସଚିବ ପାହ୍ୟା
ବରିଷ୍ଠ ଆଇଏଏସ୍ ପ୍ରଦୀପ ଓ ମୋନା ନିରାଶ
ସୋମେନ୍ଦ୍ର ପ୍ରିୟଦର୍ଶୀ, ଅନୁପ ସାହୁଙ୍କୁ ବି ପଦୋନ୍ନତି
ଭୁବନେଶ୍ବର ଡିସିପି ବଦଳିବା ସମ୍ଭାବନା
ନିଯୁକ୍ତି ପାଇବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର : ରାଜ୍ୟ ସରକାର ଆଜି କେତେକ ଅଫିସରଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି। କାହାକୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ତ ଆଉ କିଏ ଅତିରିକ୍ତ ପୁଲିସ ମହାନିର୍ଦେଶକ ପଦବିକୁ ଉନ୍ନୀତ ହୋଇଛନ୍ତି। କିଏ ଆଇଜି, ଆଉ କିଏ ଡିଆଇଜି ଅବା କମିସନର ତଥା ଶାସନ ସଚିବ ପାହ୍ୟାକୁ ଯିବେ। ପାଖାପାଖି ୪୩ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଛି। ଏ ସଂକ୍ରାନ୍ତରେ ସରକାର ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ତେବେ ରାଜ୍ୟ ପ୍ରଶାସନର ଦୁଇ ବରିଷ୍ଠ ଆଇଏଏସ୍ ଅଫିସର ୧୯୮୯ ବ୍ୟାଚ୍‌ର ପ୍ରଦୀପ କୁମାର ଜେନା ଓ ଡାକ୍ତର ମୋନା ଶର୍ମାଙ୍କୁ କିନ୍ତୁ ନିରାଶ ହେବାକୁ ପଡିଛି। ସେମାନେ ମୁଖ୍ୟଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇବା କଥା। ଅତୀତରେ ସରକାର ମନଇଚ୍ଛା ଏହି ପାହ୍ୟାକୁ ପଦୋନ୍ନତି ଦେଇଥିଲେ। ଏପରିକି ଗୋଟିଏ ସମୟରେ ୧୪ ଜଣ ଅଫିସର ଏହି ପାହ୍ୟାରେ ଥିଲେ। କିନ୍ତୁ ଏଥର ଏମାନଙ୍କ ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। ଏହି ପଦୋନ୍ନତି ସହିତ ନୂଆବର୍ଷ ପରେ ଯେ କୌଣସି ସମୟରେ ଆଇଏଏସ୍ ଓ ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହେବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ। ବିଶେଷକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଭୁବନେଶ୍ବର କମିସନରେଟ୍ ପୁଲିସ ଡିସିପି କିଏ ହେବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ େହାଇଯାଇଛି।

ମିଳିଥିବା ସୂଚନା ଅନୁସାେର, ସରକାର ଆଜି ବିଭିନ୍ନ ପାହ୍ୟାରେ େମାଟ ୨୭ ଜଣ ଆଇଏଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି। ୨୦୨୦ ଜାନୁଆରି ପହିଲାରୁ ଏସବୁ ନିର୍ଦେଶ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ। ଏହି କ୍ରମରେ ୧୯୯୫ ବ୍ୟାଚର ଆଇଏଏସ୍ ଅଫିସର ତଥା ଶିଳ୍ପ ସଚିିବ େହମନ୍ତ ଶର୍ମା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ର ଅରମୁଗମ୍ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କୁ ସରକାର ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି।

ସେହିପରି ସୁପରଟାଇମ୍ ସ୍କେଲ ବା ଶାସନ ସଚିବ ପାହ୍ୟାକୁ ୫ ଜଣ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ସେମାନେ ହେଲେ ୨୦୦୦ ବ୍ୟାଚ୍‌ର ଟି. ଆପାଙ୍ଗ ଆଓ ଓ ୨୦୦୪ ବ୍ୟାଚର ରୁପା ମିଶ୍ର, ନିରଞ୍ଜନ ସାହୁ, ପ୍ରଶାନ୍ତ କୁମାର ସେନାପତି ଓ ସୁନ୍ଦରଲାଲ ସିଲ୍।

୨୦୦୭ ବ୍ୟାଚ୍‌ର ୧୨ଜଣ ଆଇଏଏସଙ୍କୁ ସିଲେକ୍ସନ ଗ୍ରେଡ୍ ବା ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ରବୀନ୍ଦ୍ର ପ୍ରତାପ ସିଂଙ୍କୁ ପ୍ରୋଫର୍ମା ପଦୋନ୍ନତି ମିଳିଛି। ଏହି ବର୍ଗକୁ ପଦୋନ୍ନତି ପାଇଥିବା ଅନ୍ୟ ଅଧିକାରୀମାନେ ହେଲେ ଅରବିନ୍ଦ ଅଗ୍ରୱାଲ, ବଲବନ୍ତ ସିଂହ, ସଚ୍ଚିନ ରାମଚନ୍ଦ୍ର ଯାଦବ, ଜ୍ଞାନରଞ୍ଜନ ଦାସ, ବିଜୟ କୁମାର ନାୟକ, ରସିଦ୍ ଖାନ, ପ୍ରଦୀପ୍ତ କୁମାର ମହାପାତ୍ର, ରଞ୍ଜନ କୁମାର ଦାସ, ସଂଗ୍ରାମଜିତ୍ ନାୟକ, ସୁଶାନ୍ତ ମହାପାତ୍ର, ବିଶ୍ୱନାଥ ଆଚାର୍ଯ୍ୟ ଓ ଶରତ ଚନ୍ଦ୍ର ନାୟକ ପ୍ରମୁଖ। ସେହିପରି ୨୦୧୧ ବ୍ୟାଚର ୫ଜଣ ଆଇଏଏସ ଅଫିସର ଅରିନ୍ଦମ ଡାକୁଆ, ସମର୍ଥ ବର୍ମା, ଜି ରଘୁ, ଆଶିଷ ଠାକରେ ଓ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଜୁନିୟର ଆଡମିନିଷ୍ଟ୍ରେସନ୍ ଗ୍ରେଡ୍‌ ବା ଯୁଗ୍ମ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି।

ସେହିପରି ବହୁ ବର୍ଷ ପରେ ଠିକ୍ ସମୟରେ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଛି। ୧୬ ଜଣ ଆଇପିଏସ୍ ଅଫିସର ଏହାଦ୍ବାରା ଉପକୃତ ହୋଇଛନ୍ତି। ୧୯୯୫ ବ୍ୟାଚର ଆଇପିଏସ୍ ରାଧା କୃଷ୍ଣ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସନ୍ତୋଷ ବାଲାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହି ବ୍ୟାଚ୍‌ର ଅନ୍ୟତମ ବରିଷ୍ଠ ଆଇପିଏସ୍ ରିତୁ ଆରୋରା କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ପ୍ରୋଫର୍ମା ପଦୋନ୍ନତି ପାଇଛନ୍ତି।

ଅନ୍ୟପକ୍ଷରେ ୨୦୦୨ ବ୍ୟାଚ୍ ଆଇପିଏସ୍ ନରସିଂହ ଭୋଳ ଓ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ସେହି ବ୍ୟାଚ୍‌ର ଏସ୍ ପ୍ରବୀଣ କୁମାରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ଆଇଜି ପାହ୍ୟାର ପ୍ରୋଫର୍ମା ପଦୋନ୍ନତି ଦିଆଯାଇଛି। ୨୦୦୬ ବ୍ୟାଚ୍ ଆଇପିଏସ୍ ଅନିରୁଦ୍ଧ କୁମାର ସିଂ ଓ ଅନୁପ କୁମାର ସାହୁଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହି ବ୍ୟାଚର ଆଇପିଏସ୍ ଅମିତା ଦାଶ, ଅନୁପ କ୍ରିଷ୍ଣା ଓ ସୁଧା ସିଂଙ୍କୁ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ଡିଆଇଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି । ସେହିପରି ୨୦୦୭ ବ୍ୟାଚର ଆଇପିଏସ୍ ଏସପି ସାର୍ଥକ ଷଡ଼ଙ୍ଗୀ, ଅବିନାଶ କୁମାର, ନୀତି ଶେଖର ଓ ପଣ୍ଡିତ ରାଜେଶ ଉତ୍ତମରାଓ ସିଲେକ୍ସନ୍ ଗ୍ରେଡକୁ ପଦୋନ୍ନତି ପାଇଛନ୍ତି।

ଉେଲ୍ଲଖଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ମନକୁ ପାଇବା ଭଳି ଅଫିସର ନଥିଲେ ବୋଲି ସଚିବସ୍ତରୀୟ ଅଦଳବଦଳକୁ ଅଧାପନ୍ତରିଆ ଭାବେ କରାଯାଇଥିଲା। ଏବେ ୨୦୦୪ ପାହ୍ୟାକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ସରକାର ସଚିବ ଭାବେ ନିଯୁକ୍ତି ଦେଇପାରନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇପାରେ। କାରଣ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ହେଲେ ଏଭଳି ଏକ ପଦବି ପାଇଁ କୌଣସି ଅଧିକାରୀ ଆଗ୍ରହୀ ନାହାନ୍ତି। ପ୍ରଥମତଃ ତାଙ୍କୁ ପୁରୀରେ ରହିବାକୁ ପଡିବ। ଦ୍ବିତୀୟତଃ ଏହା ଏକ ପତିଆରା ବଢାଇବା ବା େରାଜଗାରିଆ ପଦବି ନୁେହଁ। ଏଣୁ ଏହି ପଦବିକୁ ନେଇ ଅଫିସର ମହଲରେ ବିଶେଷ ଆଗ୍ରହ ନାହିଁ। ଏଣୁ ସରକାର ଚାପରେ ଅଛନ୍ତି।

ସେହିଭଳି ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଂଜନ ସିଂହ ପରିବର୍ତନ ସମ୍ଭାବନା ବଢିଯାଇଛି। ତାଙ୍କ ସହିତ ନଗର ଉନ୍ନୟନ ସଚିବ ଜି ମାଥିଭାତନନ୍, ଖଣି ସଚିବ ରାଜ କୁମାର ଶର୍ମାଙ୍କ ବଦଳି ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ। ଏମାନେ ଏହି ବିଭାଗରେ ଦୀର୍ଘ ବର୍ଷ ଧରି ରହିଲେଣି। ଏହାକୁ ନେଇ ପ୍ରଶାସନିକ ମହଲରେ ଚାପା ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି।

ସେହିଭଳି ଡିଆଇଜି ପାହ୍ୟାକୁ ପଦୋନ୍ନତି କାରଣରୁ ଭୁବନେଶ୍ବରରେ ସରକାର ତୁରନ୍ତ ଡିସିପି ନିଯୁକ୍ତି ଦେବାକୁ ପଡିପାରେ। କିଛି ଦିନ ପାଇଁ ଏହି ପଦବିରେ ଶ୍ରୀ ସାହୁଙ୍କୁ ରଖାଯାଇପାରେ, କିନ୍ତୁ ଏହାଦ୍ବାରା ନିଯୁକ୍ତି ଶୃଙ୍ଖଳା ବ୍ୟାହତ ହୋଇପାରେ। ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ମୁଖିଆ ବଦଳି ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ସରକାର ଜେଲ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ନିର୍ଦେଶକ ପଦବି ପାଇଁ ମଧ୍ୟ ବର୍ତମାନ ସମୟରେ ଜଣେ ଭଲ ଅଧିକାରୀ ଖୋଜୁଛନ୍ତି। ଏସବୁକୁ ହିସାବନିକାସ କରି ଜାନୁଆରି ମାସରେ ଆଇଏଏସ୍ ସ୍ତରରେ ଅଦଳବଦଳ ସମ୍ଭାବନା ରହିଥିବା ଚର୍ଚ୍ଚା ପ୍ରଶାସନିକ କରିଡରରେ ଜୋର ଧରିଲାଣି।

ସମ୍ବନ୍ଧିତ ଖବର