ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସରସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ସଂକ୍ରାନ୍ତ ଫାଇଲରେ ମୁଖ୍ୟମନ୍ତ୍ରୀ ମୋହର ମାରିବା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ୧୯୮୮ ବ୍ୟାଚ୍‍ ଆଇଏଏସ୍‍ ପରାଗ ଗୁପ୍ତାଙ୍କୁ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଗୁପ୍ତା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। ସେହିଭଳି ୧୯୯୩ ବ୍ୟାଚ୍‍ ଆଇଏଏସ୍‍ ସୁରେନ୍ଦ୍ର କୁମାରଙ୍କୁ ଓଡ଼ିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏବେ ଶ୍ରୀ କୁମାର ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ୧୯୯୪ ବ୍ୟାଚ୍‍ ଆଇଏଏସ୍‍ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନଙ୍କୁ ଅତିରିକ୍ତ ଭାବେ ସିଡିଏ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ସେ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ବରେ ମଧ୍ୟ ଅଛନ୍ତି। ୨୦୧୦ ବ୍ୟାଚ୍‌ ଆଇଏଏସ୍‍ ମାନସୀ ନିମ୍ଭାଲଙ୍କୁ ଓଏସ୍‍ଏଏମ୍‍ ବୋର୍ଡର ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆାଇଥିବା ବେଳେ ସେ ଟିଡିକଲ ଏମ୍‍ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ୟେଦୁଲା ବିଜୟଙ୍କୁ ଓରେଡାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଏବେ ଯୋଜନା ଓ ସଂଯୋଜନ ବିଭାଗର ଉପ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି।

ସମ୍ବନ୍ଧିତ ଖବର