ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୧୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅରିନ୍ଦମ ଡାକୁଆଙ୍କର ବଦଳି ହୋଇଛି। ତାଙ୍କୁ ପୌର ପ୍ରଶାସନ ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କିଏ ହେବେ, ତାହା ସ୍ପଷ୍ଟ ହୋଇ ନାହିଁ। ଶ୍ରୀ ଡାକୁଆ ଜୁଲାଇ ମାସରେ ଏହି ନିଯୁକ୍ତି ପାଇଥିଲେ। ମାତ୍ର ସାଢ଼େ ୫ ମାସ ପରେ ଏପରି ଏକ ଗୁରୁତ୍ବପୂର୍ଣ୍ଣ ପଦବିରୁ ତାଙ୍କୁ କାହିଁକି ବଦଳି କରାଗଲା, ତାହାକୁ ନେଇ କ୍ଷମତା କରିଡର୍ରେ ଚର୍ଚ୍ଚା ଜୋର୍ ଧରିଛି।
ଶ୍ରୀ ଡାକୁଆଙ୍କ ବଦଳି ସହ ଆଇଏଏସ୍ ଓ ଓଏଏସ୍ ସ୍ତରରେ ଆଜି ସରକାର ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଶ୍ରୀ ରାଜପୁତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବରେ ଥିଲେ। ସେଠାରୁ ତାଙ୍କର ବଦଳି ପରେ ଇପିକଲ୍ ଓ ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂହ ପୁନିଆଙ୍କୁ ସେହି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସରକାରୀ ଉଦ୍ୟୋଗ ବିଭାଗର ସଚିବ ଟି ୱାପଙ୍ଗ ଆଓଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କର ବୟନ ଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି।
ବର୍ତ୍ତମାନର ପୌର ପ୍ରଶାସନ ନିର୍ଦ୍ଦେଶକ ଦେବାଶିଷ ସିଂହଙ୍କୁ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଶାସନ ସଚିବ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ବଦଳି କରାଯାଇଛି। ଗୌତମ ଚୌଧୁରୀ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/OAS.jpg)