ଭବାନୀପାଟଣା: ଭାରତୀୟ ବ୍ୟାଡମିଣ୍ଟନ ଦଳର ଥମାସ କପ ବିଜୟକୁ ନେଇ ଟୁଇଟ୍ କରିବାପରେ ଟ୍ରୋଲ୍ ହୋଇଛନ୍ତି କଳାହାଣ୍ଡିର ଆଇଏଏସ୍ ଅଧିକାରୀ ସୋମେଶ ଉପାଧ୍ୟାୟ। ଗତ ବର୍ଷ ଜୁଲାଇ ମାସରୁ କଳାହାଣ୍ଡିର ପିଡି ଡିଆରଡିଏ ଭାବେ କାର୍ଯ୍ୟରତ ସୋମେଶ ଉପାଧ୍ୟାୟ ନିଜର ଟୁଇଟରରେ ଲେଖିଛନ୍ତି ଯେ ଭାରତୀୟ ବ୍ୟାଡମିଣ୍ଟନ ଦଳ କିପରି ଭଲ ପ୍ରଦର୍ଶନ କଲା ତାକୁ ନେଇ ଇଣ୍ଡୋନେସିଆବାସୀ ବିସ୍ମିତ ହୋଇଥିବେ। ଏଥିସହ ଏହି ଟୁଇଟରେ ସେ ଏକ ମଶାମରା ବିଦ୍ୟୁତ ରାକେଟର ଫଟୋଟି ପୋଷ୍ଟ କରିଛନ୍ତି । ଏହି କାରଣରୁ ଆଇଏଏସ୍ ଅଧିକାରୀ ସୋମେଶ ଉପାଧ୍ୟାୟ ସୋସିଆଲ୍ ମିଡିଆରେ ଟ୍ରୋଲ ହେଉଛନ୍ତି। ତାଙ୍କୁ ବହୁ ୟୁଜର୍ ସମାଲୋଚନା କରିବାକୁ ପଛାଇନାହାନ୍ତି।
Indonesian are surprised how Indians got better at badminton than them. pic.twitter.com/rW01DMXyjN
— Somesh Upadhyay, IAS (@Somesh_IAS) May 15, 2022
ୟୁଜର୍ ସମାଲୋଚନା କରି ଟୁଇଟରରେ ଲେଖିଛନ୍ତି, ଆପଣଙ୍କ ଭଳି ଅଧିକାରୀମାନେ କ୍ରୀଡ଼ା ବିଭାଗରେ ଥିବା ଯୋଗୁ ଭାରତୀୟ ବ୍ୟାଡମିଣ୍ଟନ ଦଳର ଥମାସ କପ ବିଜୟ ଲାଗି ଏତେ ବର୍ଷ ଲାଗିଲା। ଆଉ ଜଣେ ଲେଖିଛନ୍ତି, ଆପଣ ଆଇଏଏସ୍ ନା? ଅପରପକ୍ଷରେ ଆଉ ଜଣେ ଟୁଇଟରରେ ଲେଖିଛନ୍ତି, ସବୁବେଳେ ଥଟ୍ଟାମଜା ଭଲ ନୁହେଁ।
ସୂଚନାଯୋଗ୍ୟ, ବିଶ୍ବ ବ୍ୟାଡମିଣ୍ଟନର ଅନ୍ୟତମ ମର୍ଯ୍ୟାଦାଜନକ ପ୍ରତିଯୋଗିତା ଥମାସ୍ କପ୍ ପୁରୁଷ ବର୍ଗ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ପ୍ରଥମ ଥର ପାଇଁ ଫାଇନାଲ୍କୁ ଉଠିଥିବା ଭାରତୀୟ ଦଳ ବିଜେତା ଟ୍ରଫି ସହ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛି। ଫାଇନାଲରେ ଗତ ଥରର ଚାମ୍ପିଅନ୍ ତଥା ୧୪ ଥର ଟ୍ରଫି ବିଜେତା ଇଣ୍ଡୋନେସିଆକୁ ଭାରତୀୟ ଦଳ ସିଧାସଳଖ ୩-୦ରେ ପରାସ୍ତ କରି ନୂଆ ଶିଖର ଛୁଇଁଛି। ଏହି ବିରଳ ସଫଳତା ଲାଗି ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଓ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇଛନ୍ତି। ଏହାସହିତ ଭାରତୀୟ ଦଳ ଲାଗି ସ୍ବତନ୍ତ୍ର ରୂପେ ଏକ କୋଟି ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି।
ଦୀର୍ଘ ୪୩ ବର୍ଷ ପରେ ସେମିଫାଇନାଲ୍ ଖେଳିଥିବା ଭାରତୀୟ ଦଳ ଫାଇନାଲ୍କୁ ଉଠି ନୂଆ ଫର୍ଦ ଯୋଡ଼ିଥିଲା। ରବିବାର ଦିନ ଅନୁଷ୍ଠିତ ଫାଇନାଲରେ ଲକ୍ଷ୍ୟ ସେନ୍, କିଦାମ୍ବି ଶ୍ରୀକାନ୍ତଙ୍କ ସହ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଚମକପ୍ରଦ ବିଜୟ ହିଁ ଭାରତକୁ ଏହି ଅପ୍ରତ୍ୟାଶିତ ବିଜୟ ଦେଇଛି। ଭାରତୀୟ କ୍ରୀଡ଼ାପ୍ରେମୀମାନେ ଏହି ବିଜୟକୁ ୧୯୮୩ କ୍ରିକେଟ୍ ବିଶ୍ବକପ୍ ବିଜୟ, ୨୦୦୮ ବେଜିଂ ଅଲିମ୍ପିକ୍ସରେ ଅଭିନବ ବିନ୍ଦ୍ରାଙ୍କ ସ୍ବର୍ଣ୍ଣ ପଦକ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସର ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣିମ ଜାଭଲିନ୍ ସଫଳତା ସହ ତୁଳନା କରିଛନ୍ତି। ଥମାସ କପ୍ର ୭୩ ବର୍ଷ ଇତିହାସରେ ଭାରତ ମାତ୍ର ଷଷ୍ଠ ଦେଶ ଭାବେ ବିଜେତା ହୋଇଛି।