ଭୁବନେଶ୍ବର: ୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର୍ ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ତାଙ୍କୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଆଇଏଏସ୍ ଅଫିସର ଭାବେ ଶ୍ରୀ କୁମାରଙ୍କୁ ସରକାର ଚାକିରିରୁ ବିଦା କରିଛନ୍ତି। ଆଉ ଦୁଇ ବର୍ଷ ପରେ ସେ ଚାକିରିରୁ ଅବସର ଗ୍ରହଣ କରିଥା’ନ୍ତେ।
ଶ୍ରୀ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ। ଏହାଦ୍ବାରା ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା। ସେଥିପାଇଁ ଶ୍ରୀ କୁମାରଙ୍କ ବିରୋଧରେ ରାଜ୍ୟ ସରକାର ୨୭ଟି ଭିଜିଲାନ୍ସ ମାମଲା ଦାୟର କରିଥିଲେ। ତାହା ମଧ୍ୟରୁ ଦୁଇଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗତ କିଛି ବର୍ଷ ହେଲା ସେ ଚାକିରିରୁ ନିଲମ୍ବିତ ହୋଇ ରହିଥିଲେ। ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି କରିଥିବା ବ୍ୟକ୍ତିମାନେ ଯେତେ ଉଚ୍ଚ ପଦପଦବିରେ ଥା’ନ୍ତୁ ନା କାହିଁକି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କିଛି ଦିନ ତଳେ ଦୁର୍ନୀତି ଅଭିଯୋଗରେ ସର୍ବଭାରତୀୟ ସେବାର ବରିଷ୍ଠ ଜଙ୍ଗଲ ସେବା ଅଧିକାରୀ ଅଭୟ ପାଠକଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/binod-kumar.jpg)