ଭବାନୀପାଟଣା/ଧର୍ମଗଡ଼: ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା (ଆଇଏଏସ୍‌)ଙ୍କୁ ଭିଜିଲାନ୍ସ କାବୁ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଜୟପାଟଣା ବ୍ଲକ୍‌ ଆମଯୋର୍‌ ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରବିବାର ସନ୍ଧ୍ୟାରେ ଉପଜିଲ୍ଲାପାଳ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲା। 

Advertisment

ସରକାରୀ ବାସଭବନରୁ ଜବତ ହେଲା ନଗଦ ୪୭ଲକ୍ଷ ଟଙ୍କା
କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇଥିଲେ

ଅଭିଯୋଗକାରୀଙ୍କୁ ଉପଜିଲ୍ଲାପାଳ ଧର୍ମଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଡାକି ଲାଞ୍ଚ ରାଶି ଯାଞ୍ଚ କରିଥିଲେ ଏବଂ ତାଙ୍କ ବାସଭବନ ଅଫିସ ଟେବୁଲ୍‌ ଡ୍ରୟର ଭିତରେ ରଖିଥିଲେ। ଭିଜିଲାନ୍ସ ଚଢ଼ଉ କରି ଉପଜିଲ୍ଲାପାଳଙ୍କ ହାତ ଧୋଇବା ଏବଂ ଟେବୁଲ ଡ୍ରୟର ଧୋଇବାରୁ ଉଭୟ ସକାରାତ୍ମକ ରାସାୟନିକ ପ୍ରତିକ୍ରିୟା ଦେଇଥିବା ଜଣାପଡ଼ିଛି। ଏହା ପରେ ତାଙ୍କ ସରକାରୀ ବାସଭବନରେ ଯାଞ୍ଚ କରାଯିବା ବେଳେ ଆହୁରି ନଗଦ ୪୭ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏ ସମ୍ପର୍କରେ ଭିଜିଲାନ୍ସ ସେଲ୍‌ ପିଏସ୍ କେସ୍ ନମ୍ବର ୬/୨୦୨୫, ୭ପିସି ଆଇନ, ୧୯୮୮ ପିସି (ସଂଶୋଧନ) ଆଇନ, ୨୦୧୮ ଦ୍ୱାରା ପଞ୍ଜୀକୃତ ହୋଇଛି। ଘଟଣାର ଅଧିକ ତଦନ୍ତ ପାଇଁ ରାତିରେ ଶ୍ରୀ ଚକ୍‌ମାଙ୍କୁ ଭବାନୀପାଟଣା ଅଣାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି।

ସୂଚନାଯୋଗ୍ୟ, ୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଶ୍ରୀ ଚକ୍‌ମା ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା। ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ। ଅଗରତାଲା ଏନ୍‌ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ କରିବା ପରେ ଶ୍ରୀ ଚକ୍‌ମା ୟୁପିଏସ୍‌ସି ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।