ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ୍, ଭିଜିଲାନ୍ସ ଜାଲରେ ଉଦ୍ୟାନ ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ

‘ମୋ ସରକାର’ରେ ବଡ଼ କାର୍ଯ୍ୟାନୁଷ୍ଠାନ, ନିଲମ୍ବନ କରାଗଲା

ଜଣେ ବ୍ୟାଙ୍କ ଅଧିକାରୀଙ୍କ ସମେତ ଦୁଇ ଅଟକ
ବିଲ୍ ପାସ କରାଇଦେବାକୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ
ବାଲେଶ୍ୱର, କଟକ, ଭୁବନେଶ୍ୱରରେ ଚଢ଼ଉ ଜାରି

ଭୁବନେଶ୍ୱର : ‘ମୋ ସରକାର’ରେ ଆଜି ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ୨୦୦୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ଉଦ୍ୟାନ କୃଷି ବିଭାଗର ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ। ବିଲ୍ ପାସ କରାଇ ଦେବା ପାଇଁ ଜଣେ ବ୍ୟାଙ୍କ ଅଧିକାରୀଙ୍କ ମାଧ୍ୟମରେ ଏସଆର୍‌ଏମ୍ ପ୍ଲାଷ୍ଟୋକେମ୍ ପ୍ରାଇଭେଟ୍ ଲିମିଟେଡ୍‌ର ଅଧିକୃତ ପ୍ରତିନିଧିଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ଶ୍ରୀ ଉପାଧ୍ୟାୟଙ୍କ ସହ ସଂପୃକ୍ତ ଘରୋଇ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଉଠାଇ ନେଇଛି। ଉଭୟଙ୍କୁ ବିଜେବି ନଗରଠାରେ ଥିବା ଭିଜିଲାନ୍ସ ସେଲରେ ଜେରା କରାଯାଉଛି। ପରେ ଭିଜିଲାନ୍ସର ଆଇଜି, ଡିଆଇଜି ପାହ୍ୟାର ଅଧିକାରୀମାନେ ସେଲ୍‌ରେ ପହଞ୍ଚି ପଚରା ଉଚରା ଆରମ୍ଭ କରିଛନ୍ତି। ଶ୍ରୀ ଉପାଧ୍ୟାୟ ଓ ସଂପୃକ୍ତ ବ୍ୟାଙ୍କ ଅଧିକାରୀଙ୍କୁ ଯେ କୌଣସି ମୁହୂର୍ତରେ ଗିରଫ କରାଯିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା କାର୍ଯ୍ୟାନ୍ବୟନ ପ୍ରକ୍ରିୟାରେ ଅଧିକାରୀମାନେ ଏହି ଦୁର୍ନୀତିରେ ଲିପ୍ତ ଥିବା ଜଣାପଡିଛି।

ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ବିଜୟକେତନ ଉପାଧ୍ୟାୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାକିରିରୁ ନିଲମ୍ବିତ କରିଛନ୍ତି। ସ୍ପଷ୍ଟ ଭାବେ ଜଣାଇଛନ୍ତି ଯେ ଦୁର୍ନୀତିରେ ସମ୍ପୃକ୍ତ ଥିବା କାହାରିକୁ ବି ଛଡ଼ାଯିବ ନାହିଁ। ସ୍ୱଚ୍ଛତା ହେଉଛି ସରକାରର ମୁଖ୍ୟ ସ୍ତମ୍ଭ। ପୂର୍ବରୁ ଗୃହ ନିର୍ମାଣ କେଳେଙ୍କାରୀରେ ଭିଜିଲାନ୍ସ ନବୀନଙ୍କ ଦ୍ବିତୀୟ ପାଳିରେ ବିନୋଦ କୁମାରଙ୍କୁ ଓ ତା ପୂର୍ବରୁ ବରିଷ୍ଠ ଆଇଏଏସ୍ ଅଫିସର ପ୍ରଫୁଲ୍ଲ ମିଶ୍ରଙ୍କୁ ବନ୍ଧାଯାଇଥିଲା। ।

ଏପଟେ ଶ୍ରୀ ଉପାଧ୍ୟାୟ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କ ପୈତୃକ ଘର ବାଲେଶ୍ବର ଜିଲ୍ଲା ସୋର, କଟକ ତୁଳସୀପୁରରେ ଥିବା ଶ୍ବଶୁର ଘର, ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସ, ତାଙ୍କ ବଡ଼ ଭାଇଙ୍କ ଘର, ନୂଆପଲ୍ଲୀରେ ଥିବା ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ଏଥିପାଇଁ କଟକରୁ ଦୁଇଟି ଟିମ‌୍ ତଦନ୍ତରେ ସହଯୋଗ କରିବାକୁ ଭୁବନେଶ୍ବର ଆସିଛନ୍ତି। ଏହି ଅପରେସନରେ ଭିଜିଲାନ୍ସର ପ୍ରାୟ ୧୦୦ ଅଧିକାରୀ ନିୟୋଜିତ ହୋଇଛନ୍ତି ଓ ୧୧ଟି ସ୍ଥାନରେ ଚଢଉ ଜାରି ରହିଛି। ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଆରମ୍ଭ ହୋଇଛି। ଭିଜିଲାନ୍ସ ପକ୍ଷରୁ ଶ୍ରୀ ଉପାଧ୍ୟାୟଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ସ୍ପଷ୍ଟ ହେଲେ ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରାଯିବ ବୋଲି ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ତିନି ଦିନ ତଳେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଉଦ୍ୟାନ ବିଭାଗରେ କାର୍ଯ୍ୟରତ କୋଟିପତି ମାଳି ଉଦ୍ଧବ ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରିଥିଲା। ଆଜି ରାଜଧାନୀରେ ଆଇଏଏସ୍ ଅଧିକାରୀ ଲାଞ୍ଚ ନେଇ ଗିରଫ ହେବା ପରେ ବିଭାଗକୁ ଦୁର୍ନୀତି ଚରିଯାଇଛି, ଏଭଳି ସଙ୍କେତ ମିଳୁଛି। ଅନ୍ୟପକ୍ଷରେ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଅନ୍ୟ ଦୁର୍ନୀତିଗ୍ରସ୍ତ ବାବୁଙ୍କ ମନରେ କମ୍ପନ ସୃଷ୍ଟି କଲାଣି।

ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଚାଷୀଙ୍କୁ ସ୍ପ୍ରିଙ୍କ୍‌ଲର୍ ଯୋଗାଣ ବ୍ୟବସ୍ଥା ରହିଛି। ଏସଆର୍‌ଏମ୍ ପ୍ଲାଷ୍ଟୋକେମ୍ ପ୍ରାଇଭେଟ୍ ଲିମିଟେଡ୍‌ ଉଦ୍ୟାନ ନିର୍ଦେଶାଳୟ ଅଧୀନରେ ଏକ ପ୍ରାଧିକୃତ ସଂସ୍ଥା ଭାବେ ପଞ୍ଜୀକରଣ ହୋଇଛି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସ୍ପ୍ରିଙ୍କଲର୍ ଯୋଗାଣ ପରେ ସଂପୃକ୍ତ ଜିଲ୍ଲାର ଉଦ୍ୟାନ ବିଭାଗର ଉପନିର୍ଦେଶକ ଯାଞ୍ଚ କରିବେ ଓ ସେ ବାବଦ ଅର୍ଥ ପୈଠ ପାଇଁ ଉଦ୍ୟାନ ନିର୍ଦେଶାଳୟକୁ ପ୍ରସ୍ତାବ ଦେବେ। ଉଦ୍ୟାନ ନିର୍ଦେଶକଙ୍କ ମୋହର ପରେ ସଂପୃକ୍ତ ଡିଲର, ବା କଂପାନି ଅଧିକାରୀଙ୍କୁ ଅର୍ଥ ପୈଠ କରାଯିବ।

ଏହି ବିଲ ବାବଦ ଅର୍ଥ ପ୍ରଦାନ ପାଇଁ ଶ୍ରୀ ଉପାଧ୍ୟାୟ ଏସଆର୍‌ଏମ୍ ପ୍ଲାଷ୍ଟୋକେମ୍ ପ୍ରାଇଭେଟ୍ ଲିମିଟେଡ୍‌ ଠାରୁ ଟଙ୍କା ଚାହିଁଥିଲେ। ସଂପୃକ୍ତ ଘରୋଇ ବ୍ୟାଙ୍କ ଅଧିକାରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଏହି ଅର୍ଥ ଦେବା ପାଇଁ କହିଥିଲେ। ଭିଜିଲାନ୍ସ ତଦନ୍ତ ବେଳେ ଜାଣିପାରିଛି ଯେ ଶ୍ରୀ ପଟ୍ଟନାୟକ ଉପାଧ୍ୟାୟଙ୍କ ପାଇଁ ବିଭିନ୍ନ କଂପାନି, ଡିଲର ଓ ଯୋଗାଣ ଅଧିକାରୀଙ୍କ ଠାରୁ ଟଙ୍କା ସଂଗ୍ରହ କରୁଥିଲେ। ଆଜି ୧୨ଟା ୫୦ମିନିଟ୍ ସମୟରେ ସଂପୃକ୍ତ ବ୍ୟାଙ୍କର ବାପୁଜୀ ନଗର ଶାଖା ନିକଟରେ ଅଭିଯୋଗକାରୀ ଉପାଧ୍ୟାୟଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକଙ୍କୁ ୧ଲକ୍ଷ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିନେଇଥିଲେ। ସଂପୃକ୍ତ କଂପାନି ସପକ୍ଷରେ ୫୦ଲକ୍ଷ ଟଙ୍କାର ବିଲ୍ ଅନୁମୋଦନ ପାଇଁ ଏହି ଅର୍ଥ ନେଉଥିଲେ। ଶ୍ରୀ ପଟ୍ଟନାୟକଙ୍କ ପକେଟରୁ ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ଉଭୟ ଶ୍ରୀ ଉପାଧ୍ୟାୟ ଓ ଶ୍ରୀ ପଟ୍ଟନାୟକଙ୍କ ଘର, କାର୍ଯ୍ୟାଳୟ ଆଦି ଚଢଉ ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତକୁ ଆସିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ଅଭିଯୋଗକାରୀ ଆଇଏଏସ୍ ଅଧିକାରୀ ଶ୍ରୀ ଉପାଧ୍ୟାୟଙ୍କ ନାମରେ ବିଲ୍ ପାଇଁ ଲାଞ୍ଚ ମାଗୁଛନ୍ତି ବୋଲି ‘ମୋ ସରକାର’ କାର୍ଯ୍ୟକ୍ରମରେ ଦୁଇ ମାସ ତଳେ ଅଭିଯୋଗ କରିଥିଲେ। ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ଘଟଣାର ତଦନ୍ତ କରିବାକୁ ଭିଜିଲାନ୍ସ ଆଇଜି ରୢାଙ୍କର ଜଣେ ଅଧିକାରୀଙ୍କୁ ଦାୟିତ୍ବ ଦେଇଥିଲେ। ଭିଜିଲାନ୍ସ ସେଲ ଅତ୍ୟନ୍ତ ଗୁପ୍ତ ଓ ସ୍ବତନ୍ତ୍ର ଭାବେ ଏହି କାର୍ଯ୍ୟ ଚଳାଇଥିଲେ। ସେଲ୍‌ ପକ୍ଷରୁ ଆଇଏଏସ୍ ଶ୍ରୀ ଉପାଧ୍ୟାୟଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିଲା। ବିଭିନ୍ନ ସମୟରେ ଆଇଏଏସ ଅଧିକାରୀଙ୍କ ସହିତ ଅଭିଯୋଗକାରୀଙ୍କ ହୋଇଥିବା କଥାବାର୍ତାକୁ ରେକର୍ଡିଂ କରାଯାଇଥିଲା। ସେ କାହା କାହା ସହିତ ମିଶୁଥିଲେ, କେଉଁଠିକୁ ଯାଉଥି‌ଲେ। କାହା ମାଧ୍ୟମରେ ସେ ଟଙ୍କା କାରବାର କରୁଥିଲେ ସେ ସବୁ ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ। ଶ୍ରୀ ଉପାଧ୍ୟାୟଙ୍କର ଅତ୍ୟନ୍ତ ଖାସ୍ ବ୍ୟକ୍ତି ହେଉଛନ୍ତି ଏକ ଘରୋଇ ବ୍ୟାଙ୍କର ମ୍ୟାନେଜର। ତାଙ୍କ ମାଧ୍ୟମରେ ଶ୍ରୀ ଉପାଧ୍ୟାୟ ଲାଞ୍ଚ ଟଙ୍କା ସଂଗ୍ରହ କରୁଥିଲେ। ତାଙ୍କୁ ଆଜି ଭିଜିଲାନ୍ସ ଅଟକ ରଖିଥିବା ବେଳେ ସେ କାମ କରୁଥିବା ବ୍ୟାଙ୍କରେ ଚଢ଼ଉ କରି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସଂଗ୍ରହ କରିଛି। ସେହିପରି ସୋରରେ ଥିବା ଘର, କଟକରେ ଥିବା ଶ୍ବଶୁର ଘର ଓ କାର୍ଯ୍ୟାଳୟରେ ଚଢ଼ଉ କରାଯାଇ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି।

ଭିଜିଲାନ୍ସକୁ ସୂଚନା ମିଳିଛି, ଶ୍ରୀ ଉପାଧ୍ୟାୟ ବିନା କାରଣରେ ଅନେକ ଯୋଗାଣକାରୀଙ୍କ ଫାଇଲକୁ ଅଟକାଇ ରଖୁଥିଲେ। ଆଜି ସେ ଯେଉଁ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିଲେ ତାଙ୍କ ଫାଇଲକୁ ୪ ମାସ ହେବ ସେମିତି ପକାଇ ରଖିଥିଲେ। ୨୦୦୯ ବ୍ୟାଚ୍‌ର ଏହି ଆଇଏଏସ୍ ଅଧିକାରୀ ୨୦୧୪-୧୫ରେ କଳାହାଣ୍ଡି ଜିଲ୍ଲାପାଳ ଥିଲେ। ୨୦୧୫-୧୬ରେ ଜଗତସିଂହପୁର ଜିଲ୍ଲାପାଳ ଓ ପରେ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଥିଲେ। ପରେ ତାଙ୍କର ବଦଳି ଉଦ୍ୟାନ କୃଷି ବିଭାଗର ନିର୍ଦେଶକ ଭାବେ ହୋଇଥିଲା।

ସମ୍ବନ୍ଧିତ ଖବର