ଶ୍ରୀମନ୍ଦିର ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଦୀପ୍ତ କୁମାର ମହାପାତ୍ର, ଶ୍ରୀମନ୍ଦିରର ୪ ଦ୍ୱାରରେ ଲାଗିଲା ସୂଚନା ଫଳକ

ପୁରୀ: ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମହାପାତ୍ର ପୂର୍ବତନ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ସ୍ଥାନ ପୂରଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପ୍ରଥମେ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ। ଏହା ପରେ ଶ୍ରୀମନ୍ଦିରର ପ୍ରଶାସନିକ କାର୍ଯ୍ୟାଳୟକୁ ଯାଇ ଦାୟିତ୍ୱ ନେଇଥିଲେ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନେଇ ପ୍ରଶାସନ ପକ୍ଷରୁ ୪ଟି ଦ୍ୱାରରେ ସୂଚନା ଫଳକ ଲଗାଯାଇଛି। ଦାନ ଅର୍ଥ ହୁଣ୍ଡିରେ ପକାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆହ୍ଵାନ କରାଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦାନ ଦେଇ ରସିଦ ନେଇ ପାରିବେ।

ସୂଚନାଯୋଗ୍ୟ ଯେ, ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବାକୁ ପ୍ରସଙ୍ଗ କରି ଗତ କିଛି ମାସ ହେଲା ରାଜ୍ୟ ସାରା ବିଭିନ୍ନ ପ୍ରକାରର ଆଲୋଚନା ହେଉଛି। ଗତ ବୁଧବାର ରାତିରେ ରତ୍ନଭଣ୍ଡାରର ଚାବି ହଠାତ୍‌ ମିଳିବା ପରେ ଭକ୍ତ, ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଚାବି ମିଳିବା ପରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କହିଥିଲେ, ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ମିଳିଛି। ଜିଲ୍ଲାପାଳ ଏଭଳି କହିବା ପରେ ରାଜ୍ୟବାସୀ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। ଅନ୍ୟପଟରେ ରାଜନୈତିକ ଦଳମାନେ ମଧ୍ୟ ଏହି ଘଟଣାକୁ ପ୍ରସଙ୍ଗ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସମ୍ବନ୍ଧିତ ଖବର