ଅବସର ପରେ ଗାଁରେ ନିରାଡ଼ମ୍ବର ଜୀବନ କାଟୁଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଶଙ୍କରନାରାୟଣ

ନିପଟ ମଫସଲିଆ ମଣିଷର ଚିତ୍ର: କର୍ମକାଣ୍ଡ ବୈଦିକ ସ୍କୁଲ୍ ଖୋଲିବାକୁ ଲକ୍ଷ୍ୟ

ଭଞ୍ଜନଗର (ବିଶ୍ବମ୍ବର ଜେନା): ପାଖରେ ନା ଅଛି ଗାଡ଼ି ଓ ବଡ଼କୋଠା ନା ଅଛି ମୋବାଇଲ୍। ଝରଣା ପାଣିରେ ଗାଧୁଆପାଧୁଆ। ଶୋଇବାକୁ ଚଟାଣ ଭରସା। ଦେହରେ ଖଣ୍ଡିଏ ଧୋତି ଓ କୂର୍ତ୍ତା ଏବଂ ବେକରେ ଲାଲ୍ ଗାମୁଛା। ଇଏ କୌଣସି ଗ୍ରାମାଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଅଂଶ ନୁହେଁ, ବରଂ ଜଣେ ଅବସରପ୍ରାପ୍ତ ତଥା ଭାରତୀୟ ପ୍ରାଶାସନିକ ସେବାର ଜଣେ ଅଧିକାରୀଙ୍କ ଏଭଳି ସାଦାସିଧା ଜୀବନଶୈଳୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଭଳି ଜ‌ଣେ ନିଆରା ମଣିଷ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ କୁଲାଡ଼ ଗ୍ରାମର ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଶଙ୍କରନାରାୟଣ ପାଣିଗ୍ରାହୀ। ଭାରତ ସରକ‌ାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ କାର୍ଯ୍ୟକରି ୨୦୧୮ ମସିହାରେ ସେ ଅବସର ନେଇଥିଲେ। ଏହାପରେ ରାଜଧାନୀ ଦିଲ୍ଲୀ ଛାଡ଼ି ନିଜ ପୈତୃକ ଗାଁ କୁଲାଡ଼ ଆସି ଅତି ସାଧାରଣ ମଣିଷ ଭଳି ଜୀବନଯାପନ କରୁଛନ୍ତି। ଯାହାକି ତାଙ୍କୁ ଅନ୍ୟମାନଙ୍କ ଠାରୁ ନିଆରା କରିପାରିଛି। ଆଉ ତାଙ୍କ ନିରାଡ଼ମ୍ବର ଜୀବନଶୈଳୀ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି।
କୁଲାଡ଼ ଗ୍ରାମର ଦିବଙ୍ଗତ ପଦ୍ମନାଭ ପାଣିଗ୍ରାହୀଙ୍କ ବଡ଼ ପୁଅ ହେଉଛନ୍ତି ଶଙ୍କରନାରାୟଣ।  ୧୯୭୪ରେ ସେ କୁଲାଡ଼ କବି ସମ୍ରାଟ ବିଦ୍ୟାପୀଠରୁ ଏକାଦଶ ପରୀକ୍ଷା ପାସ୍‌ କରିବା ପରେ ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ଇଣ୍ଟରମିଡିଏଟ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ।  ସେଠାରୁ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ସଂସ୍କୃତ ସମ୍ମାନରେ ସ୍ନାତକ ଡିଗ୍ରି  ହାସଲ କରିଥିଲେ। ଏହାପରେ ସେ ଉଚ୍ଚଶିକ୍ଷା‌ ପାଇଁ ବନାରସ ଯାଇ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ସଂସ୍କୃତରେ ସ୍ନାତ‌କୋତ୍ତର ଡିଗ୍ରି ହାସଲ କରିଥିଲେ। ତେବେ ଏହା ମଧ୍ୟରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ପ୍ରବେଶିକା ପରୀକ୍ଷାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ୧୯୮୧ରେ ଚଣ୍ଡୀଗଡ଼ର ପଞ୍ଜାବ ବିଶ୍ବବିଦ୍ୟାଳୟରେ ସଂସ୍କୃତରେ ଏମ୍‌ଫିଲ୍‌ରେ ନାମ ଲେଖାଇଲେ। ସିଭିଲ୍ ସର୍ଭିସ୍ ପ୍ରବେଶିକା ପରୀକ୍ଷାରେ ପୁଣି ଦ୍ବିତୀୟ ଥର ଅସଫଳ ହେବା ପରେ ଶେଷ ସୁଯୋଗକୁ ଅପେକ୍ଷା କରିଲେ। ୧୯୮୫ରେ ସମସ୍ତ ବିଷୟ ପରୀକ୍ଷା ସେ ସଂସ୍କୃତ ଭାଷାରେ ଦେଇଥିଲେ। ସର୍ବଭାରତୀୟସ୍ତରରେ ଭାରତୀୟସ୍ତରରେ ପ୍ର‌ାଶାସନିକ ସେବାରେ ୩୯୬ ନମ୍ବର ରୢାଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଦେଶର ପ୍ରଥମ ପରୀକ୍ଷାର୍ଥୀ ଭାବେ ସେ ସଂସ୍କୃତରେ ସାକ୍ଷାତକାର ଦେଇଥିଲେ। ପୂର୍ବରୁ ଆଇପିଏସ୍‌କୁ ଚୟନ କରିଥିବା ବେଳେ ପାସ୍ ହେବା ପରେ କେନ୍ଦ୍ର ସରକାରଙ୍କ ଗ୍ରୁପ୍‌-ଏ ସେବାରେ କାର୍ଯ୍ୟ କରିବାକୁ ମନ ବଳାଇଥିଲେ। ଆଉ ୧୯୮୭ ମସିହାରେ ସୂଚନା ଓ ‌ପ୍ରସାରଣ ମନ୍ତ୍ରଣାଳୟରେ ଯୋଗଦେଲେ।
ଶଙ୍କରନାରାୟଣ କହିଛନ୍ତି, ପାରମ୍ପରିକ ବେଶପୋଷାକକୁ ନେଇ କେବେବି ସେ ସାଲିସ୍ କରିନାହାନ୍ତି। ଅଷ୍ଟମ ଶ୍ରେଣୀରୁ ଆରମ୍ଭ କରି ଚାକିରି କାଳ ପର୍ଯ୍ୟନ୍ତ ସେ ଧୋତି ଓ କୂର୍ତ୍ତାକୁ ପୋଷାକ ଭାବେ ଗ୍ରହଣ କରିଆସୁଥିଲେ। ଏବେବି ଏହାକୁ ପରିଧାନ କରିଆସୁଛନ୍ତି। ଏପରିକି ଗୋଟିଏ ଟିଣବାକ୍ସ୍ ଧରି ବନାରସ ଯାଇ ଓଡ଼ିଆଘାଟରେ ରହି ସେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆଜି ପର୍ଯ୍ୟନ୍ତ ସେ ସାଧାରଣ ଜୀବନଶୈଳୀ ସହ ସାଲିସ୍ କରିନାହାନ୍ତି।
ଏହା ପ‌ରଠାରୁ ସେ ମନ୍ତ୍ରଣାଳୟର ପିଇଆଇବି, ଆଇଆଇଏମ୍‌ସି, ଆକାଶବାଣୀ, ଦୂରଦର୍ଶନ, ରିସର୍ଚ୍ଚ ଆଣ୍ଡ୍ ରେଫରେନ୍ସ୍ ଡିଭିଜନ୍ ଭଳି ବିଭିନ୍ନ ବିଭାଗରେ ଶଙ୍କରନାରାୟଣ ୩୨ ବର୍ଷ ଧରି ଚାକିରି କରିଥିଲେ। ୨୦୧୮ ଜୁନ୍ ମାସରେ ଆକାଶବାଣୀର ଯୁଗ୍କ ନିର୍ଦ୍ଦେଶକ ପଦରୁ ଅବସର ଗ୍ରହଣ କରିଥିଲେ।
କେନ୍ଦ୍ର ସରକାରଙ୍କ ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ରାଜଧାନୀର ଚାକଚକ୍ୟ ତାଙ୍କୁ ବାନ୍ଧି ରଖିପାରିନଥିଲା। ଶେଷରେ ନିଜ ମାତୃଭୂମି କୁଲାଡ଼ ଗ୍ରାମକୁ ୨୦୧୯ରେ ଫେରି ଆସିଥିଲେ। ବର୍ତ୍ତମାନ ସେ ନିଜ ବାପାଙ୍କ ପୁରୁଣା ଘରେ ନିରାଡ଼ମ୍ବର ଜୀବନ ଜୀଉଁଛନ୍ତି। ଘରେ ଗାଡ଼ିଠୁ ଆରମ୍ଭ କରି ମୋବାଇଲ୍ ପର୍ଯ୍ୟନ୍ତ କୌଣସି ପ୍ରକାର ସୌଖୀନ୍ ସାମଗ୍ରୀ ନାହିଁ। ଚାକିରି କାଳ ମଧ୍ୟରେ ବଡ଼ ପଦପଦବିରେ ଅବସ୍ଥାପିତ ହୋଇଥିଲେ। ହେଲେ ତାଙ୍କ ପାଖରେ ବଡ଼ଲୋକଙ୍କ ଦେଖାଣିଆ ମନୋଭାବ କି ଅହଙ୍କାର ନାହିଁ। ପ୍ରତିଦିନ ଜଣେ ନିପଟ ମଫସଲିଆ ମଣିଷଭଳି ସେ ଜୀବନଯାପନ କରିଆସୁଛନ୍ତି। ଆଉ ଗ୍ରାମବାସୀଙ୍କ ସହ ସାଧାରଣ ଲୋକ ଭଳି ମିଶି ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି। ଆଉ ବିଭିନ୍ନ ପରାମର୍ଶ ନେଉଛନ୍ତି। ନିଜ ସଞ୍ଚିତ ଅର୍ଥରେ ଆଗାମୀ ଦିନରେ ଅଞ୍ଚଳରେ କର୍ମକାଣ୍ଡ ଏବଂ ବୈଦିକ ସ୍କୁଲ୍ ଖୋଲିବାକୁ ଶଙ୍କରନାରାୟଣ ଯୋଜନା କରିଛନ୍ତି। ଏହାସହ ଘୁମୁସର ମାଟିରୁ ପଶୁବଳିକୁ ବନ୍ଦ କରିବା, କୁଲାଡ଼ ବଡଦାଣ୍ଡ ଓ ଜଗନ୍ନାଥମନ୍ଦିରର ଜବରଦଖଲ ଜମିକୁ ଉଦ୍ଧାର କରିବା ଏବଂ ରଥଖଳାକୁ ଅସାମାଜିକ ଲୋକମାନଙ୍କ ଠାରୁ ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି।
ସମ୍ବନ୍ଧିତ ଖବର