ଭୁବନେଶ୍ବର : ୨୦୦୪ ବ୍ୟାଚ୍‌ ଆଇଏଏସ ଅଧିକାରୀ ତଥା ଶ୍ରମ କମିସନର ନିରଞ୍ଜନ ସାହୁ ହେଲେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ। ତାଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍ ଆଇଏଏସ ଅଧିକାରୀ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ଥିବା ଏନ୍. ଥିରୁମାଲା ନାଏକଙ୍କୁ ଶ୍ରମ କମିସନର ଭାବେ ନିଯୁକ୍ତି ମିଳିଛି। ସେହିପରି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ବରେ ଥିବ ଟି.ଅପାଙ୍କ ଆଓଙ୍କୁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ପଦରୁ ଦାୟିତ୍ବ ମୁକ୍ତ କରାଯାଇଛି। ଶ୍ରୀ ସାହୁ ଉତ୍ତରାଞ୍ଚଳ ଆରଡିସି ଭାବେ କାର୍ଯ୍ୟରେ ଯୋଗଦେବା ପରେ ଶ୍ରୀ ଆଓ ଦାୟିତ୍ବ ମୁକ୍ତ ହେବେ। ଏହାସହିତ ପ୍ରଥମ କରି ଆୟୁଷ ନିର୍ଦ୍ଦେଶକ ପଦରେ ଜଣେ ଆଇଏସ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି।

Advertisment

ବିଜ୍ଞପ୍ତି ଅନୁଯାୟୀ, ସୁପର ଗ୍ରେଡ୍‌କୁ ପଦୋନ୍ନତି ମିଳିବା ପରେ କଟକରେ ରେଜିଷ୍ଟ୍ରେସନ୍ ଆଇଜି ଥିବା ପ୍ରଶାନ୍ତ କୁମାର ସେନାପତିଙ୍କୁ ବଦଳି କରାଯାଇ ଏସ୍‌ସି-ଏସ୍‌ଟି ଓ ସଂଖ୍ୟାଲଘୁ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ସୁଶାନ୍ତ ମହାପାତ୍ରଙ୍କୁ ପଦୋନ୍ନତି ମିଳିବା ପରେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଅଧୀନରେ ଥିବା ଇଷ୍ଟେଟ୍‌ ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବଭାବେ ନିଯୁକ୍ତି ମିଳିଛି। ବରିଷ୍ଠ ଓଏଏସ ଅଧିକାରୀ ଅଶ୍ବିନୀ ମିଶ୍ରଙ୍କ ପଦୋନ୍ନତି ପରେ ବଦଳି ହୋଇଥିବାରୁ ଗତ ଅଗଷ୍ଟ ମାସରୁ ଆୟୁଷ ନିର୍ଦ୍ଦେଶକ ପଦବି ଖାଲିପଡ଼ିଥିଲା। ମୟୂରଭଞ୍ଜ ଏଡିଏମ ଦାୟିତ୍ବରେ ଥିବା ଆବୋଲି ସୁନୀଲ ନର୍ବାଣେଙ୍କୁ ରାଉରକେଲା ଏଡିଏମ୍ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହାସହିତ ସେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ବର୍ତ୍ତମାନ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ପଦରେ ଆଇଏଏସ ନିଖିଲ ପବନ କଲ୍ୟାଣ ଅତିରିକ୍ତ ଭାବେ ଦାୟିତ୍ବ ତୁଲାଉଛନ୍ତି।

ଅନ୍ୟପକ୍ଷରେ ଆଜି ବିଳମ୍ବିତ ରାତିରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ପଦୋନ୍ନତି ପାଇଥିବା ଅନ୍ୟ ୧୧ଜଣ ଆଇଏଏସ୍ ଅଫିସରଙ୍କର ବଦଳି ହେବ ନାହିଁ। ସେମାନେ ପୂର୍ବପରି ସେହି ଜାଗାରେ କାର୍ଯ୍ୟ କରିବେ। ଏହି ଅଧିକାରୀଙ୍କ ମଧ୍ୟରେ ଆଇଏଏସ୍ ମହିଳା ଓ ଶିଶୁ ବିକାଶ ଓ ମିସନ ଶକ୍ତିର ନିର୍ଦେଶକ ଅରବିନ୍ଦ ଅଗ୍ରଵାଲ, ପୁରୀ ଜିଲ୍ଲାପାଳ ବଲଵନ୍ତ ସିଂହ, ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଭଦ୍ରକ ଜିଲ୍ଲାପାଳ ଜ୍ଞାନରଂଜନ ଦାସ, ସଂସ୍କୃତି ନିର୍ଦେଶକ ବିଜୟ କୁମାର ନାୟକ, ବିଜ୍ଞାନ ଓ କାରିଗରୀ ବିଭାଗ ଅତିରିକ୍ତ ସଚିବ ରସିଦ୍ ଖାଁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ୍ ନାୟକ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ବିଶ୍ବନାଥ ଆଚାର୍ଯ୍ୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଶରତ ଚନ୍ଦ୍ର ନାୟକ ପ୍ରମୁଖ ଅଛନ୍ତି।