ଆଇଏଏସ୍‌ ଅଦଳବଦଳ : ୫ ବରିଷ୍ଠଙ୍କୁ ଅତିରିକ୍ତ ଦାୟିତ୍ବ

ଓଏଫ୍‌ଡିସି ଅଧ୍ୟକ୍ଷ ହେଲେ ଗଗନ ଧଳ, ସଞ୍ଜୀବଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବ, କ୍ରିଷନ୍‌ କୁମାର ପିକେଡିଏ ଅଧ୍ୟକ୍ଷ ଦାୟିତ୍ବ, ଏସ୍‌ପି ଠାକୁର କେବିକେ ମୁଖ୍ୟ ପ୍ରଶାସକ

ଭୁବନେଶ୍ବର : ମୁଖ୍ୟଶାସନ ସଚିବ ପଦରୁ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ବେଚ୍ଛାକୃତ ଅବସର ନେବା ପରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିବେ ବୋଲି ଆଶା କରାଯାଉଥିଲା। ହେଲେ ଆଜି ବିଭାଗ ଅଦଳବଦଳ ନକରି କେବଳ ୫ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସ୍ଥାନରେ ୧୯୮୬ ବ୍ୟାଚ୍ ଆଇଏଏସ ଅଫିସର ତଥା ଉନ୍ନୟନ କମିସନର ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ ନିଯୁକ୍ତି ମିଳିଛି। ଶ୍ରୀ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦାୟିତ୍ବ ତୁଲାଇବା ସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧ୍ୟକ୍ଷ ଓ ଓରସାକ୍‌ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ। ୧୯୮୬ ବ୍ୟାଚ୍ ଆଇଏଏସ ଅଧିକାରୀ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିସନର ପଦବି ସହିତ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଏହାସହ ଶ୍ରୀ ମହାପାତ୍ର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ଶନିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୯୮୫ ବ୍ୟାଚ୍ ବରିଷ୍ଠ ଆଇଏଏସ ଅଫିସର ତଥା କୃଷି ଉତ୍ପାଦନ କମିସନର ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗଗନ କୁମାର ଧଳଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫଡିସି)ର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। କିଛି ଦିନ ତଳେ ଶ୍ରୀ ଧଳ ଚାକିରିରୁ ଇସ୍ତଫା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଆବେଦନ କରିଥିଲେ। ଏହାଭିତରେ ସେ ତାଙ୍କ ଇସ୍ତଫାପତ୍ର ଫେରାଇ ନେଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଖୋଦ ମୁଖ୍ୟ ଶାସନ ସଚିବ ଏ ନେଇ କିଛି ବି ସ୍ପଷ୍ଟ କରିନାହାନ୍ତି। ଶ୍ରୀ ଧଳଙ୍କୁ ଟେଲିଫୋନରେ ଏ ନେଇ ଯୋଗାଯୋଗ କରାଯାଇଥିଲେ ବି ସେ ଟେଲିଫୋନ ଧରିନଥିଲେ। ସରକାର ଏବେ ତାଙ୍କୁ ନୂଆ ନିଯୁକ୍ତି ଦେବା ପରେ ସେ ନୂଆ ପଦବିରେ ଯୋଗ ଦେବେ କି ନା, ସେ ନେଇ କିଛି ବି ସ୍ପଷ୍ଟ ହୋଇପାରିନି।

ଶ୍ରୀ ଧଳଙ୍କ ସ୍ଥାନରେ ୧୯୮୮ ବ୍ୟାଚ୍ ଆଇଏଏସ ଅଫିସର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିସନର ଭାବେ ନିଯୁକ୍ତି ମିଳିଛି। ଶ୍ରୀ ମହାପାତ୍ର ପୂର୍ବପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇବେ। ୧୯୮୬ ବ୍ୟାଚ ଆଇଏଏସ ଅଧିକାରୀ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁଦର୍ଶନ ପାଲ ଠାକୁରଙ୍କୁ କୋରାପୁଟ ଓ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ୧୯୮୮ ବ୍ୟାଚ୍ ଆଇଏଏସ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଥିବା ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯିବା ସହ ୧୯୯୦ ବ୍ୟାଚ୍ ଆଇଏଏସ ତଥା ଓଏମସି ଅଧ୍ୟକ୍ଷ ଓ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଥିବା ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ନିଯୁକ୍ତି ମିଳିଛି। ଆଇଆରଟିଏସ ଅଧିକାରୀ ତଥା ବାଣିଜ୍ୟ ଓ ପରିବହନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଥିବା ମନୋଜ କୁମାର ମିଶ୍ରଙ୍କୁ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ଆଇଟିଏସ ଅଫିସର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ବତନ୍ତ୍ର ସଚିବ ଥିବା ରୁଦ୍ର ନାରାୟଣ ପଲେଇଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏସବୁ ଅଧିକାରୀମାନେ ଆସନ୍ତା ସୋମବାର ଠାରୁ ଦାୟିତ୍ବ ଗ୍ରହଣ କରିବେ। ସାଧାରଣ ପ୍ରଶାସନ ବିଭାଗର ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ, ପୂର୍ତ୍ତ ସଚିବ ଥିବା କ୍ରିଷନ କୁମାରଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସହ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର