ଆଇଏଏସ୍ ସ୍ତରରେ ଅଦଳବଦଳ

ବେଣୁଗୋପାଳ ହେଲେ ରାଜସ୍ବ ପର୍ଷଦ ସଦସ୍ୟ, କେବିକେ ମୁଖ୍ୟ ପ୍ରଶାସକ ବଦଳିଲେ

ଭୁବନେଶ୍ବର : ରାଜସ୍ବ ପର୍ଷଦର ସଦସ୍ୟ ଭାବେ ୧୯୮୮ ବ୍ୟାଚ୍‌ର ଅଫିସର୍‌ ସି ଜେ ବେଣୁଗୋପାଳଙ୍କୁ ନିଯୁକ୍ତି ଦିଆଯାଇଛି। କେବିକେ ମୁଖ୍ୟ ପ୍ରଶାସକ ଥିବା ୧୯୮୬ ବ୍ୟାଚ୍‌ର ଅଫିସର୍‌ ଏସ୍ ପି ଠାକୁରଙ୍କର ବଦଳି ହୋଇଛି। ତାଙ୍କୁ ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହି ବ୍ୟାଚ୍‌ର ଅଫିସର୍ ତଥା ଉନ୍ନୟନ କମିସନର୍‌ ଅସିତ ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବି ସହ ରାଜ୍ୟ ପ୍ରଶାସନରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ୧୫ ଜଣ ଆଇଏଏସ୍‌, ଜଣେ ଆଇପିଏସ୍‌ ଓ ଜଣେ ଆଇଏଫ୍ଏସ୍‌ ଅଫିସର୍‌ଙ୍କ ବଦଳି ହୋଇଛି।

ପୁଲିସ୍‌ ଡିଜି ବଦଳିଲା ପରେ ମୁଖ୍ୟ ଶାସନ ସଚିବ ମଧ୍ୟ ବଦଳିବା ନେଇ ପାୱାର୍‌ କରିଡର୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ମୁଖ୍ୟ ଶାସନ ସଚିବ ବଦଳିଲା ପରେ ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ ହେବ ବୋଲି କୁହାଯାଉଥିଲା। କିନ୍ତୁ ମୁଖିଆ ବଦଳିବା ପୂର୍ବରୁ ସରକାର ପ୍ରଥମେ ସଚିବମାନଙ୍କୁ ଅଦଳବଦଳ କରିଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବମାନଙ୍କୁ ବଦଳାଇ ଦେଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ଆଉ ଏକ ଅଦଳବଦଳ ହେବାର ସମ୍ଭାବନା ରହିଛି।

ଏହି ବଦଳି ତାଲିକାରେ ସ୍ଥାନ ପାଇଥିବା ଜଣେ ଆଇପିଏସ୍‌ ଓ ଜଣେ ଆଇଏଫ୍‌ଏସ୍‌ ଅଫିସର୍‌ଙ୍କ ନିଯୁକ୍ତି ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବରିଷ୍ଠ ଆଇପିଏସ୍‌ ଅଫିସର୍‌ ଅରୁଣ ବୋଥ୍ରାଙ୍କୁ ସେସୁର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ପୂର୍ବରୁ କ୍ୟାପିଟାଲ୍‌ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍‌ର ପରିଚାଳନା ନି‌େର୍ଦ୍ଦଶକ ଭାବେ ଦାୟିତ୍ବ ଦିଆଯାଇଥିଲା। ବର୍ତ୍ତମାନ ଠାରୁ ସେ ଦୁଇଟି ଯାକ ଦାୟିତ୍ବରେ ରହିବେ। ସେହିପରି ସଚିବ ଭାବେ କାର୍ଯ୍ୟ କରୁଥିବା ଏକମାତ୍ର ଆଇଏଫ୍‌ଏସ୍‌ ଅଫିସର୍ ଆର୍‌ ରଘୁପ୍ରସାଦଙ୍କ ବିଭାଗ ବଦଳାଇ ଦିଆଯାଇଛି। ସେ ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଚିବ ଭାବେ ଦାୟିତ୍ବ ତୁଲାଉଥିଲେ। ତେବେ ତାଙ୍କୁ ଭାରପ୍ରାପ୍ତ ସଚିବ ବୋଲି କୁହାଯାଉଥିଲା। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପରି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଆଇଏଫ୍ଏସ୍‌ ଅଫିସର୍‌ଙ୍କୁ ଭାରପ୍ରାପ୍ତ ଦାୟିତ୍ବରେ ରଖାଯିବା ନେଇ ବିଭିନ୍ନ ମହଲରେ ସମାଲୋଚନା ହୋଇଥିଲା। ଏବେ ସରକାର ତାଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଭାରପ୍ରାପ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର