ଆଇଏଏସ୍ ଅଫିସର୍‌ଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌: ଦିଲ୍ଲୀରୁ ଧରାପଡ଼ିଲା ମାଷ୍ଟରମାଇଣ୍ଡ୍‌

ଦିଲ୍ଲୀ ପୁଲିସରୁ ରେକର୍ଡ ଆଣିଲା କ୍ରାଇମବ୍ରାଞ୍ଚ, ଫେରାର୍ ନାଇଜେରିଆନ୍ ଏବେ ମୋଷ୍ଟୱାଣ୍ଟେଡ୍

କଟକ : ଓକାକ୍‌ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର) ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ସହିତ ଆଉ ଜଣେ ଆଇଏଏସ୍ ଅଫିସର୍‌ଙ୍କ ବି ହ୍ବାଟ୍ସଆପ୍ ହ୍ୟାକ୍‌ ହୋଇଛି। ଏହି ଦୁଇଟି ହ୍ବାଟ୍ସଆପ୍ ହ୍ୟାକ୍ ମାମଲାରେ ମୁଖ୍ୟ ମାଷ୍ଟରମାଇଣ୍ଡ ପଶ୍ଚିମ ଦିଲ୍ଲୀ ମୋହନ ଗାର୍ଡେନରେ ରହୁଥିବା ନାଇଜେରିଆନ୍ ଚିମେଲମ୍ ଇମାନୁଏଲ୍ ଅନିୱେଟାଲୁ ଓରଫ ମରିସକୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଚିହ୍ନଟ କରିଛି।

ଦିଲ୍ଲୀ ପୁଲିସର ସାଇବର୍ ସେଲ୍ ଗଲା ନଭେମ୍ବର ୧ ତାରିଖରେ ଏକ ହ୍ବାଟ୍ସଆପ୍ ହ୍ୟାକ୍ ମାମଲାରେ ମରିସକୁ ମୋହନଗ୍ୟାର୍ଡନର ଏକ ଭଡ଼ାଘରୁ ଗିରଫ କରିଥିବାବେଳେ ଅନ୍ୟତମ ନାଇଜେରିଆନ୍ ସହଯୋଗୀ ଏବେ ବେଙ୍ଗାଲୁରୁରେ ଲୁଚିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ସହଯୋଗୀ ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ଓକାକ୍ ମାମଲାରେ ବି ସମ୍ପୃକ୍ତି ରହିଛି। ତେବେ ଓଡ଼ିଶା କ୍ରାଇମବ୍ରାଞ୍ଚ ଓ ଦିଲ୍ଲୀ ପୁଲିସ ପାଇଁ ଏବେ ବେଙ୍ଗାଲୁରୁରେ ରହୁଥିବା ନାଇଜେରିଆନ୍ ମୋଷ୍ଟଓାଣ୍ଟେଡ୍ ଥିବା କ୍ରାଇମବ୍ରାଞ୍ଚ ଘୋଷଣା କରିଥିବା ସୂଚନା ମିଳିଛି।

କ୍ରାଇମବ୍ରାଞ୍ଚ ଓକାକ୍‌ର ସିଇଓ ତଥା ଇଲୋକ୍ଟ୍ରନିକ୍ସ ଏବଂ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ୍ ହ୍ୟାକ୍ ଓ ୭ ଲକ୍ଷ ଟଙ୍କା ଠକେଇ ମାମଲାରେ ତଦନ୍ତ କରୁଛି। ଏବେ ଆଉ ଜଣେ ଓକାକର୍ ଆଇଏଏସ୍ ଅଫିସରଙ୍କ ବି ହ୍ବାଟ୍ସଆପ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଆଇଏଏସ୍ ଅଫିସରଙ୍କ ଅଭିଯୋଗ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଗଲା ୪ ତାରିଖରୁ ତଦନ୍ତ ଆରମ୍ଭ କରିଦେଇଛି।

ମିଳିଥିବା ସୂଚନ‌ା ଅନୁସାରେ, ସମ୍ପୃକ୍ତ ଆଇଏଏସ୍ ଅଫିସରଙ୍କୁ ପ୍ରଥମେ ହ୍ୟାକର୍ ଲିଙ୍କ୍ ପଠାଇ ହ୍ୟାକ୍ କରିବାପରେ ହିଁ ସିଇଓ ଶ୍ରୀ ପଟ୍ଟନାୟକଙ୍କ ଆକାଉଣ୍ଟ ହ୍ୟାକ୍ କରିଥିଲା। ହ୍ୟାକର୍ ବର୍ତ୍ତମାନ ସୁଦ୍ଧା ଦୁଇଟି ହ୍ବାଟ୍ସଆପ୍ ହ୍ୟାକ୍ କରିଥିବା ସଂକ୍ରାନ୍ତ ମାମଲା କ୍ରାଇମବ୍ରାଞ୍ଚକୁ ଆସିଛି। କ୍ରାଇମବ୍ରାଞ୍ଚ ଦୁଇଟି ମାମଲାର ତଦନ୍ତ କରୁଥିବା ବେଳେ ଦିଲ୍ଲୀ ପୁଲିସ ହ୍ବାଟ୍ସଆପ୍ ହ୍ୟାକ୍ କାରବାରରେ ନାଇଜେରିଆନ୍ ହ୍ୟାକର ମରିସକୁ ଗିରଫ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି।

କ୍ରାଇମବ୍ରାଞ୍ଚର ପରାମର୍ଶବଳୀ

ଓଡ଼ିଶାରେ ପ୍ରଥମଥର ପାଇଁ ଏ ପ୍ରକାର ହ୍ବାଟସଆପ୍ ହ୍ୟାକିଂ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ରୋକିବାକୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ପ୍ରଥମେ ନିଜ ହ୍ବାଟ୍ସଆପ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେସନକୁ କାର୍ଯ୍ୟକ୍ଷମ କରନ୍ତୁ। ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିବା ପର ସେଟିଂ ଅପସନ କ୍ଲିକ୍ କରନ୍ତୁ। ପରେ ଆକାଉଣ୍ଟ ଅପ୍‌ସନ୍‌ କ୍ଲିକ୍‌ କରି ଟୁ ଷ୍ଟେପ୍ ଭେରିଫିକେସନ୍ ଅପସନ କ୍ଲିକ କରନ୍ତୁ। ଏହାପରେ ଏନାବୁଲ ଅପସନ କ୍ଲିକ୍‌ କରି ୬ ସଂଖ୍ୟା ବିଶିଷ୍ଟ ଗୋପନୀୟ ପିନ୍ ନମ୍ବର ଦେଇ ଓକେ କରନ୍ତୁ। ପରେ ସମାନ ପିନ୍ ଆଉଥରେ ଭରନ୍ତୁ। ଏହାପରେ ନିଜ ଇ-ମେଲ୍ ଆଉଡି ଦିଅନ୍ତୁ। ପରେ ପରବର୍ତ୍ତୀ ଅପ୍‌ସନ୍‌ କ୍ଲିକ୍‌ କଲାପରେ ପୁଣି ସମାନ ଇ-ମେଲ୍ ଆଇଡି ଲେଖନ୍ତୁ। ସେଭ୍ ଅପସନ୍ କ୍ଲିକ୍‌ କରି ଡନ୍ ଅପସନ୍ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କ ହ୍ବାଟସଆପରେ ଟୁ ଷ୍ଟେପ୍ ଭେରିଫିକେସନ୍ କାର୍ଯ୍ୟକ୍ଷମ ହୋଇଗଲା। ତେବେ ହ୍ବାଟସଆପକୁ ଆସୁଥିବା କୌଣସି ପ୍ରକାର ଅଜଣା ଲିଙ୍କ୍ କ୍ଲିକ୍‌ କରନ୍ତୁ ନାହିଁ। କିମ୍ବା କୌଣସି ବ୍ୟକ୍ତିଙ୍କୁ ନିଜର ଓଟିପି ଦିଅନ୍ତୁ ନାହିଁ। ଅନ୍‌ଲାଇନରେ ଯେଉଁ ବ୍ୟକ୍ତି ଆପଣଙ୍କୁ ଟଙ୍କା ମାଗୁଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥରେ ଫୋନ୍ କରି ସୁନିଶ୍ଚିତ ହୁଅନ୍ତୁ ଯେ ଏହି ବ୍ୟକ୍ତି ଆପଣଙ୍କ ପରିଚିତ ନାଁ ହ୍ୟାକର୍। ଏଭଳି ପରାମର୍ଶବଳୀ ଆଜି କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ପକ୍ଷରୁ ଜାରି କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର