କମିସନର୍‌ ପାହ୍ୟାକୁ ପଦୋନ୍ନତି ପାଇଲେ ଆଇଏଏସ୍‌ ପ୍ରଶାନ୍ତ ନାୟକ

ଭୁବନେଶ୍ୱର : ବହୁ ବାଦାନୁବାଦ ପରେ ୧୯୮୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା ଇଡ୍‌କଲ୍‌ ସିଏମ୍‌ଡି ପ୍ରଶାନ୍ତ ନାୟକ କମିସନର ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ୨୦୦୦ ମସିହା ନଭେମ୍ବର ମାସରୁ ତାଙ୍କୁ ପଦୋନ୍ନତି ଜନିତ ସୁବିଧା ମିଳିବ। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ଇତି ମଧ୍ୟରେ ୧୯୮୬ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀମାନେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇସାରିଛନ୍ତି। କିନ୍ତୁ ଆଇଏଏସ୍‌ ଅଧିକାରୀ ଶ୍ରୀ ନାୟକ ୧୯୮୪ ବ୍ୟାଚ୍‌ର ଆଇଏଏସ୍‌ମାନଙ୍କ ମଧ୍ୟରୁ ବରିଷ୍ଠ ଥିବା ସତ୍ତ୍ୱେ ଅତିରିକ୍ତ ଶାସନ ସଚିବ ପଦବିରେ କାର୍ଯ୍ୟ କରୁଛନ୍ତି। ୨୦୦୦ ମସିହା ନଭେମ୍ବର ମାସରେ ତାଙ୍କ ବ୍ୟାଚ୍‌ର ଆଇଏଏସ୍‌ମାନଙ୍କୁ କମିସନର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। କିନ୍ତୁ ଶ୍ରୀ ନାୟକଙ୍କ ବିରୁଦ୍ଧରେ ହାଇକୋର୍ଟରେ ମାମଲା ଥିବାରୁ ତାଙ୍କୁ ପଦୋନ୍ନତିରୁ ବଞ୍ଚିତ କରାଯାଇଥିଲା। ହାଇକୋର୍ଟ ମାମଲାକୁ ସେ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୨୦୦୧ରେ ତାଙ୍କ ବିରୁଦ୍ଧରେ ଥିବା ପଦୋନ୍ନତି ବାତିଲ ନିଷ୍ପତ୍ତି ମାମଲାକୁ ସୁପ୍ରିମ କୋର୍ଟ ରଦ୍ଦ କରିଥିଲେ।

ଉଲ୍ଲେଖଯୋଗ୍ୟ, ଯେଉଁ ଆଦେଶ ବିରୁଦ୍ଧରେ ତାଙ୍କର ପଦୋନ୍ନତି ବାତିଲ କରାଯାଇଥିଲା, ସର୍ବୋଚ୍ଚ ଅଦାଲତରେ ସେହି ଆଦେଶ ରଦ୍ଦ ହେବା ଫଳରେ ତାଙ୍କ ପଦୋନ୍ନତି କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନ ଥିଲା। ତାଙ୍କୁ ପଦୋନ୍ନତି ମିଳିବା ପରିବର୍ତେ ତାଙ୍କ ବିରୁଦ୍ଧରେ ସିବିଆଇ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଦି ଚାଲିଥିବା ଆଳରେ ସରକାର ପଦୋନ୍ନତି ଦେଇ ନ ଥିଲେ। ଇତି ମଧ୍ୟରେ ସେହି ମାମଲାଗୁଡ଼ିକର ଫଇସଲା ହୋଇଯାଇଛି। ଚଳିତ ମାସ ଶେଷରେ ଶ୍ରୀ ନାୟକ ଅବସର ଗ୍ରହଣ କରିବେ। ଏହି ପରିପ୍ରେକ୍ଷୀରେ ଆଡ୍‌ଭୋକେଟ୍‌ ଜେନେରାଲ୍‌ଙ୍କ ମତାମତ ନେଇ ରାଜ୍ୟ ସରକାର ଆଜି ତାଙ୍କୁ କମିସନର ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି।

ସମ୍ବନ୍ଧିତ ଖବର