ଆଇଏଏସ୍‌ ପଦୋନ୍ନତି ପାଇଁ ୨୭ ନାମ ସୁପାରିସ

ଭୁବନେଶ୍ୱର : ପଦୋନ୍ନତି ଭିିତ୍ତିରେ ପୂରଣ ହେବାକୁ ଥିବା ୯ଟି ଆଇଏଏସ୍‌ ପଦବି ଲାଗି ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)କୁ ଓଏଏସ୍‌ ଅଫିସରମାନଙ୍କ ନାମ ପଠାଇଛନ୍ତି। ୨୦୧୭ ମସିହା ପାଇଁ ଏହି ପଦବି ସକାଶେ ୨୭ ଜଣଙ୍କ ନାମ ପଠାଯାଇଛି।

ରାଜ୍ୟରେ ଥିବା ଆଇଏଏସ୍‌ ପଦବି ମଧ୍ୟରୁ ୭୨ଟି ପଦବି ପଦୋନ୍ନତି ଭିିତ୍ତିରେ ପୂରଣ ହୋଇଥାଏ। ୨୦୧୭ ମସିହା ସକାଶେ ଖାଲି ପଡ଼ିଥିବା ୯ଟି ପଦବି ଲାଗି ନାମ ତାଲିକା ପଠାଇବାକୁ କୁହାଯାଇଥିଲା। ଗୋଟିଏ ପଦବି ଲାଗି ୩ ଜଣ ଓଏଏସ୍‌ ଅଫିସରଙ୍କ ନାମ ପଠାଇବାକୁ ପଡ଼ୁଥିବା ବେଳେ ୯ଟି ପଦବି ଲାଗି ୨୭ ଜଣଙ୍କ ନାମ ଦିଆଯାଇଛି।

ଉପଜିଲ୍ଲାପାଳ ଓ ତଦୁର୍ଦ୍ଧ ପାହ୍ୟାରେ ଅତିକମରେ ୮ ବର୍ଷ କାମ କରିଥିବା ଓ ବରିଷ୍ଠତା ତାଲିକାର ଉପରେ ଥିବା ଓଏଏସ୍‌ ଅଫିସରମାନଙ୍କ ନାମ ୟୁପିଏସ୍‌ସିକୁଦିଆଯାଇଛି। ପଦୋନ୍ନତି ପାଇବାକୁ ଥିବା ଏହି ଅଫିସରମାନଙ୍କ ନାମ ତାଲିକା ପ୍ରସ୍ତୁତ ସମୟରେ ସେମାନଙ୍କର ଗୁପ୍ତ ଚରିତ୍ର ପଞ୍ଜିକା (ସିସିଆର୍‌)କୁ ଅନୁଧ୍ୟାନ କରାଯିବା ସହିତ ସେମାନଙ୍କ ଉପରେ କୌଣସି ଦଣ୍ଡବିଧାନ, ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଭିଜିଲାନ୍ସ ଓ ଅନ୍ୟ ଫୌଜାଦାରି ମାମଲା ରହିଛି କି ନାହିଁ ତାହାକୁ କର୍ତ୍ତୃପକ୍ଷ ଅନୁଧ୍ୟାନ କରିଥାନ୍ତି।

ରାଜ୍ୟ ସରକାରଙ୍କ ତାଲିକା କେନ୍ଦ୍ରୀୟ ଆୟୋଗଙ୍କ ନିକଟରେ ପହଞ୍ଚିବା ପରେ ସେଠାରେ ଥିବା ଚୟନ କମିଟି ଏଥିରୁ ୯ ଜଣଙ୍କ ନାମ ଚୂଡ଼ାନ୍ତ କରିବେ। ଏହି ତାଲିକା ଆୟୋଗକୁ ହସ୍ତାନ୍ତର କରାଯିବା ପରେ ତାହା ପୁନର୍ବାର ରାଜ୍ୟ ସରକାରଙ୍କ ନିକଟକୁ ଆସିବ। ଚୂଡ଼ାନ୍ତ ହୋଇଥିବା ନାମ ତାଲିକା ଉପରେ ରାଜ୍ୟ ସରକାର ସମ୍ମତି ପ୍ରକାଶ କରିବା ପରେ ତାହା ପୁଣିଥରେ ଆୟୋଗଙ୍କ ନିକଟକୁ ଯିବ ଏବଂ ଆୟୋଗ ତାହାକୁ କାର୍ମିକ ମନ୍ତ୍ରାଳୟକୁ ପଠାଇବେ। ସେଠାରୁ ପଦୋନ୍ନତି ପାଇଥିବା ଆଇଏଏସ୍‌ ଅଫିସରମାନଙ୍କ ନାମ ରାଜ୍ୟ ସରକାରଙ୍କ ନିକଟକୁ ଆସିବା ପରେ ବିଧିବଦ୍ଧ ଭାବେ ନାମ ତାଲିକା ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ଓଡ଼ିଶା ପାଇଁ ମୋଟ୍‌ ୨୩୭ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‌ ପଦବି ଥିବା ବେଳେ ସେଥିରୁ ୧୬୫ଟି ପ୍ରତ୍ୟକ୍ଷ ନିଯୁକ୍ତି ଓ ୭୨ଟି ପଦୋନ୍ନତି ଭିିତ୍ତିରେ ପୂରଣ କରାଯାଇଥାଏ। ଏବେ ଓଡ଼ିଶାରେ ୧୭୫ ଜଣ ଆଇଏଏସ୍‌ ଅଫିସର କାର୍ଯ୍ୟରତ ଅଛନ୍ତି। ଓଡ଼ିଶା କ୍ୟାଡର୍‌ ଆଇଏଏସଙ୍କ ମଧ୍ୟରୁ ୨୨ ଜଣ ଡେପୁଟେସନ୍‌ରେ ଯାଇଛନ୍ତି ଓ ୪୦ଟି ପଦବି ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର