ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ: ପ୍ରଦୀପ କୁମାର ଜେନା ହେଲେ ଗ୍ରାମ୍ୟ ଉନ୍ନୟନ ସଚିବ

ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜଳ ସମ୍ବଳ ବିଭାଗର ସଚିବ ପ୍ରଦୀପ କୁମାର ଜେନାଙ୍କୁ ସ୍ୱତନ୍ତ୍ର ରିଲିଫ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗରେ ଅବସ୍ଥାପିତ କରାଯାଇଛି। ଶିଳ୍ପ ବିଭାଗର ସଚିବ ସଂଜୀବ ଚୋପ୍ରାଙ୍କୁ ଗୃହ ବିଭାଗ ସଚିବ ଭାବେ ନିଯୁକ୍ତି ମିଳିଛି। ତାଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି କୃଷି ସଚିବ ସୌରଭ ଗର୍ଗ ଅତିରିକ୍ତ ସିଏମ୍‌ଡି ଭାବେ ଗ୍ରୀଡକୋ ଓ ଓପିଟିସିଏଲ ଏବଂ ଓସିପିଏଲର ସିଇଓ ଦାୟିତ୍ୱ ତୁଲାଇବେ। ଶକ୍ତି ବିଭାଗ ଦାୟିତ୍ୱରେ ଥିବା ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗର ସଚିବ ଭାବେ ନିଯୁକ୍ତି ବଦଳି କରାଯାଇଛି। ସେ ଏମଏସଏମଇ ବିଭାଗର ସଚିବ ଓ ଇପିକଲ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଶକ୍ତି ବିଭାଗକୁ ବଦଳି ହୋଇଛନ୍ତି। ସେ ଓଏଚପିସି ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମଗମଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇ ଥିବା ବେଳେ ଜଳସମ୍ପଦ ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ବିଶାଳ ଗଗନଙ୍କୁ ନିଜ ବିଭାଗରେ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ଜଣାପଡ଼ିଛି। ସେ ମହିଳା ବିକାଶ ସମବାୟ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ସମ୍ବନ୍ଧିତ ଖବର