ଭୁବନେଶ୍ବର : ଅନୁଗୁଳ, ଜଗତସିଂହପୁର, ସମ୍ବଲପୁର, ରାୟଗଡ଼ା ଓ ଝାରସୁଗୁଡ଼ାର ଜିଲ୍ଲାପାଳ ବଦଳିଛନ୍ତି। କେନ୍ଦ୍ରାଞ୍ଚଳରେ ନୂଆ ଆର୍ଡିସିଙ୍କୁ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) କମିସନର୍ଙ୍କୁ ବି ବଦଳାଇ ଦିଆଯାଇଛି। ଏହା ସହ ଅତିରିକ୍ତି ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସ୍ତରରେ ୩୭ ଜଣଙ୍କ ବଦଳି ହୋଇଛି।
ଆଜି ଦ୍ବିତୀୟ ଶନିବାର ଛୁଟି ଥିବା ସତ୍ତ୍ବେ ଆଇଏଏସ୍, ବରିଷ୍ଠ ଓଏଏସ୍ ଓ କନିଷ୍ଠ ଓଏଏସ୍ ଅଫିସର୍ମାନଙ୍କ ବଦଳି ନିର୍ଦ୍ଦେଶ ସରକାର ଜାରି କରିଛନ୍ତି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ଆଉ ଏକ ମାସ ବି ବାକି ନାହିଁ। ଏହା ପୂର୍ବରୁ ରାଜ୍ୟ ସରକାର ପ୍ରାଶାସନିକ ସ୍ତରରେ ଆଜି ଠାରୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କଲେ ବୋଲି କୁହାଯାଉଛି।
ବଦଳିଥିବା ୫ ଜିଲ୍ଲାପାଳ ସଂପୃକ୍ତ ଜିଲ୍ଲାରେ ୩ ବର୍ଷରୁ ଅଧିକ କିମ୍ବା ପାଖାପାଖି ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି। ଏହା ସହ ବଦଳି ହୋଇଥିବା ଓଏଏସ୍ ଅଧିକାରୀମାନେ ମଧ୍ୟ ନିଜ ନିଜ ପଦବିରେ ୩ ବର୍ଷ କାମ କଲେଣି। ସାଧାରଣ ନିର୍ବାଚନ ପୂର୍ବରୁ ନିର୍ଦ୍ଦିଷ୍ଟ ପଦବିରେ ତିନି ବର୍ଷରୁ ଅଧିକ ସମୟ କାମ କରିଥିବା ଅଫିସର୍ମାନଙ୍କ ବଦଳି ନେଇ ନିର୍ବାଚନ କମିସନ୍ଙ୍କ ଗାଇଡ୍ଲାଇନ୍ ରହିଛି। ସେହି ଅନୁଯାୟୀ ସରକାର ବଦଳି ପ୍ରକ୍ରିୟା ଆରମ୍ଭ କରିଥିବା କୁହାଯାଉଛି। ଆଗକୁ ଆହୁରି କିଛି ଅଫିସର୍ଙ୍କ ପାଳି ପଡ଼ିବା ନେଇ ଚର୍ଚ୍ଚା ହେଉଛି।
ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର କମିସନର ଶୁଭମ୍ ସାକ୍ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ବିଏମ୍ସିରେ ଅତିରିକ୍ତ କମିସନର୍ ଥିବା ଶ୍ରୀ ସାକ୍ସେନାଙ୍କୁ ଦେଢ଼ ମାସ ତଳେ ବିଏମ୍ସି କମିସନର୍ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ କମିସନର୍ ପଦବିରେ ଜଣେ ଜୁନିୟର୍ ଅଫିସର୍ଙ୍କୁ କାହିଁକି ନିଯୁକ୍ତି ଦିଆଗଲା, ତାହା ପାୱାର୍ କରିଡର୍ରେ ଆଲୋଚନାର ବିଷୟ ହୋଇଥିଲା। ଆଜି ସରକାରଙ୍କୁ ତାଙ୍କୁ ବଦଳାଇ ଦେଇଛନ୍ତି। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କମିସନର୍ ଭାବେ ଅବସ୍ଥାପିତ କରାଯାଇଛି। ଏବେ ବିଏମ୍ସିରେ ନିର୍ବାଚିତ ପ୍ରତିନିଧି ନ ଥିବାରୁ କମିସନର୍ଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ।
ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର୍ ଭାବେ ନିଯୁକ୍ତି ମିଳିଛି। ସେ ତିନି ବର୍ଷରୁ ଅଧିକ ସମୟ ଧରି ଅନୁଗୁଳରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଲେଣି। ଗତ ଜାନୁଆରି ମାସରେ ତାଙ୍କୁ କମିସନର୍ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ଅନୁଗୁଳ ଜିଲ୍ଲାପାଳ ଭାବେ ବିଡିଏର ସଚିବ ତଥା ବରିଷ୍ଠ ଓଏଏସ୍ ଅଫିସର୍ ମନୋଜ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ମହେନ୍ଦ୍ର ମଲ୍ଲିକ ଅବସର ନେଲା ପରେ କେନ୍ଦ୍ରାଞ୍ଚଳ ଆର୍ଡିସି ଭାବେ କାହାରିକୁ ନିଯୁକ୍ତି ଦିଆଯାଇ ନ ଥିଲା।
ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାରଙ୍କୁ ଜଗତସିଂହପୁର ବଦଳି କରାଯାଇଛି। ସେ ରାୟଗଡ଼ା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାର ତିନି ବର୍ଷ ଆସନ୍ତା ସପ୍ତାହରେ ପୂରିବ। ତାଙ୍କ ସ୍ଥାନରେ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଓଏଏସ୍ ପ୍ରମୋଦ କୁମାର ବେହେରାଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଜଗତସିଂହପୁରର ବର୍ତ୍ତମାନର ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀମତୀ ଷଡ଼ଙ୍ଗୀ ଜଗତସିଂହପୁର ଜିଲ୍ଲାପାଳ ଭାବେ ଆସନ୍ତା ମେ’ ମାସରେ ତିନି ବର୍ଷ ପୂରଣ କରିଥା’ନ୍ତେ।
ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେ ପାଖାପାଖି ୩ ବର୍ଷ ଧରି ଏଠାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଲେଣି। ତେବେ ପର୍ଯ୍ୟଟନ ବିଭାଗରେ ବାରମ୍ବାର ନିର୍ଦ୍ଦେଶକ ବଦଳୁଥିଲା ବେଳେ ଗତ ସାଢ଼େ ଚାରି ବର୍ଷ ଭିତରେ ଶ୍ରୀ ପଟ୍ଟନାୟକ ହେବେ ସପ୍ତମ ନିର୍ଦ୍ଦେଶକ। ଝାରସୁଗୁଡ଼ାର ନୂଆ ଜିଲ୍ଲାପାଳ ଭାବେ ବରିଷ୍ଠ ଓଏଏସ୍ ଅଧିକାରୀ ବିଭୂତି ଭୂଷଣ ଦାସଙ୍କୁ ନିଯୁକ୍ତି ମିଳିଛି। ଶ୍ରୀ ଦାସ ଏବେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଅନ୍ୟ ଏକ ବଦଳି ନିର୍ଦ୍ଦେଶରେ ୩୭ ଜଣ ଓଏଏସ୍ ଅଫିସର୍ଙ୍କୁ ବଦଳି କରାଯାଇଛି। ନିମାଁଇ ଚରଣ ସୂତାରଙ୍କୁ ନବରଙ୍ଗପୁର ଏଡିଏମ୍, ପରୀକ୍ଷିତ ସେଠୀଙ୍କୁ ବଲାଙ୍ଗୀର ଏଡିଏମ୍, ଶ୍ରୀକାନ୍ତ ତରାଇଙ୍କୁ କଟକ ଏଡିଏମ୍, ଲକ୍ଷ୍ମୀକାନ୍ତ ପ୍ୟାରୀଲାଲ ପ୍ରଧାନଙ୍କୁ ଓଏସ୍ଟିଏସ୍ସିଏଫ୍ସିସିର ଏମ୍ଡି, ସମ୍ବିତ କୁମାର ନାୟକଙ୍କୁ ବାଲେଶ୍ବର ଏଡିଏମ୍, ମାନସ ରଂଜନ ପାଢ଼ୀଙ୍କୁ ଗଞ୍ଜାମ ଏଡିଏମ୍, ବିଜୟ କୁମାର ଦାଶଙ୍କୁ ବିଡିଏର ଭାରପ୍ରାପ୍ତ ସଚିବ, ହରିଶ ଚନ୍ଦ୍ର ନାୟକଙ୍କୁ ପୁରୀ ପୌରପାଳିକାର ନିର୍ବାହୀ ଅଧିକାରୀ, ନିହାର ରଂଜନ ଦାସଙ୍କୁ କଟକ ରାଜସ୍ବ ପର୍ଷଦର ଯୁଗ୍ମ ସଚିବ ଭାବେ, ମନୋଜ କୁମାର ମହାନ୍ତିଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଯୁଗ୍ମ ସଚିବ, ସୁଜାତା ମିଶ୍ରଙ୍କୁ ବିଡିଏର ଯୁଗ୍ମ କମିସନର, ମନୋଜ କୁମାର ବେହେରାଙ୍କୁ ଜୟପୁର ଡିଆରଡିଏ ପିଡି, ଇନ୍ଦ୍ରମଣି ନାୟକଙ୍କୁ କଳିଙ୍ଗ ନଗର ଆରଆଇସି ଜିଏମ୍, ଦୌଲତ ଚନ୍ଦ୍ରାକରଙ୍କୁ ବରଗଡ଼ ଡିଆରଡିଏର ଅତିରିକ୍ତ ପିଡି, ପୀତାମ୍ବର ସାମଲଙ୍କୁ ଜଗତ୍ସିଂହପୁର ଉପ ଜିଲ୍ଲାପାଳ, ପ୍ରବୀର ନାୟକଙ୍କୁ ବଣାଇଁ ଉପ ଜିଲ୍ଲାପାଳ, ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଢେଙ୍କାନାଳ ଉପ ଜିଲ୍ଲାପାଳ, କ୍ଷୀରୋଦ ପ୍ରଧାନଙ୍କୁ କନ୍ଧମାଳ ଉପ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ରାୟଗଡ଼ା ଉପ ଜିଲ୍ଲାପାଳ, ପ୍ରିୟରଂଜନ ପୃଷ୍ଟିଙ୍କୁ ଛତ୍ରପୁର ଉପ ଜିଲ୍ଲାପାଳ, ତନ୍ମୟ କୁମାର ଦର୍ୱାନ୍ଙ୍କୁ ପଦମ୍ପୁର ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
ସେହିପରି ଦେବବ୍ରତ ସାହୁଙ୍କୁ ଗଞ୍ଜାମ ଡିଆରଡିଏର ଅତିରିକ୍ତ ପିଡି, ହେମନ୍ତ କୁମାର ବିହାରୀଙ୍କୁ ଭଦ୍ରକ ଅତିରିକ୍ତ ଉପ ଜିଲ୍ଲାପାଳ, ସୁଷମା ବିଲୁଙ୍ଗଙ୍କୁ କେନ୍ଦୁଝର ଅତିରିକ୍ତ ଉପ ଜିଲ୍ଲାପାଳ, ଚିନ୍ମୟୀ ବିଶ୍ବାଳଙ୍କୁ ଯାଜପୁରର ଅତିରିକ୍ତ ଉପ ଜିଲ୍ଲାପାଳ, ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ଭଂଜନଗର ଅତିରିକ୍ତ ଉପ ଜିଲ୍ଲାପାଳ, ପ୍ରଣୟ କୁମାର ଜେନାଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଉପ ଜିଲ୍ଲାପାଳ, କୁଶଳ ଚନ୍ଦ୍ର ନାୟକଙ୍କୁ କୋରାପୁଟ ଅତିରିକ୍ତ ଉପ ଜିଲ୍ଲାପାଳ, ରବିନାରାୟଣ ଜେଠୀଙ୍କୁ ବ୍ରହ୍ମପୁର ଅତିରିକ୍ତ ଉପ ଜିଲ୍ଲାପାଳ, ଅକ୍ଷୟ କୁମାର ରାଉତଙ୍କୁ ବରଗଡ଼ ଅତିରିକ୍ତ ଉପ ଜିଲ୍ଲାପାଳ, ତଲତ୍ ଆଫ୍ରିନ୍ଙ୍କୁ ଖୋର୍ଧା ଡିଆରଡିଏର ଅତିରିକ୍ତ ପିଡି, ଆଶୁତୋଷ ସାମଲଙ୍କୁ ବାଲେଶ୍ବରର ଅତିରିକ୍ତ ଉପ ଜିଲ୍ଲାପାଳ, ଶାନ୍ତନୁ ମହାନ୍ତିଙ୍କୁ କଟକ ଅତିରିକ୍ତ ଉପ ଜିଲ୍ଲାପାଳ, ମଧୁଛନ୍ଦା ସାହୁଙ୍କୁ ବରଗଡ଼ ଡିଆରଡିଏର ଅତିରିକ୍ତ ପିଡି, ସୁସ୍ମିତା ସାହୁଙ୍କୁ କଟକ ରାଜସ୍ବ ପର୍ଷଦର ଉପ ସଚିବ, ରଶ୍ମୀରଂଜନ ସାହୁଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ‘ମୋ ସ୍କୁଲ୍’ ଓଏସ୍ଡି ଓ ବାଦଲ ମହାନ୍ତିଙ୍କୁ ଓର୍ମାସର ଉପ ମୁଖ୍ୟ ନିର୍ବାହୀ ଭାବେ ନିଯୁକ୍ତି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/ORISSA_SECRETARIAT.jpg)